ପୋଲିସର ନିଷ୍କ୍ରିୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜନୈକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସର ନିଷ୍କ୍ରିୟତା ବିରୋଧରେ ପିଡିତା ମହିଳା ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ସାରଙ୍ଗ ଗ୍ରାମର ମୁରଲୀଧର ପରିଡାଙ୍କ ପତ୍ନୀ ରେବତୀ ପରିଡା ଅଭିଯୋଗ କରିଛନ୍ତି ଯେ ଗତ ୫ତାରିଖ ରାତି ପ୍ରାୟ ୧୦ଟା ସମୟରେ ସେ ଶ୍ରୀବଳଦେବଜୀଉଙ୍କ ବଡସିଂହାର ବେଶ ଦର୍ଶନକରି ଘରକୁ ଫେରୁଥିବା ବାଟରେ ସାରଙ୍ଗ ଗ୍ରାମର ଓକିଲ ଅନନ୍ତ ଚରଣ ଖଟୁଆ ଏବଂ ତାଙ୍କ ପୁଅ ଆଶିଷ ଖଟୁଆ ରେବତୀଙ୍କୁ ଜୋରଜବରଦସ୍ତ ଅଟକାଇ ଧକ୍କା,ତଂଟିଆ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିରଞ୍ଜନ ପ୍ରଧାନ ଓ ତା’ର ପରିବାର ନାମରେ କରିଥିବା ଜି.ଆର. କେଶ ନମ୍ବର ୨୧୨/୨୦୧୮କୁ କାହିଁକି ଉଠାଉନାହୁଁ ବୋଲି ଧମକ ଦେଇଥିଲେ । ଏଥିସହିତ ରେବତୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେଏବଂ ରେବତୀଙ୍କ ପିନ୍ଧା ଲୁଗାକୁ ଟାଣିଦେଇ ତାଙ୍କୁ ବେଇଜ୍ଜତ କରିଥିବା ଓ ତା’ର ଘର ପୋଡିଦେଇ ପରିବାରବର୍ଗକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ରେବତୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୨୩୨/୨୦୧୯ରେ ଆଇ.ପି.ସି.ର ଦଫା ୩୪୧, ୩୪୨, ୩୨୩, ୨୯୪, ୩୫୪(ଖ), ୩୦୭, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିଥିଲେ ମଧ୍ୟ ଆସାମୀଙ୍କୁ ଗିରଫ ନିମନ୍ତେ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।


