ସୋମବାର ଠାରୁ ଜାହାନିଆଁ ବାଲିଯାତ୍ରା ସହିତ ବେଳାଭୁମି ମହୋତ୍ସବ ଆରମ୍ଭ
ନିମାପଡ଼ା, (ସନ୍ତୋଷ ଦାଶ):ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟ କୁ ବହନ କରୁଥିବା ବାଲିଯାତ୍ରା ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପୀର ଜାହାନିଆଁ ପୀର ପୀଠ ଠାରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହେବ। ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ର ଜାହାନିଆଁ ପୀର ପୀଠ ଠାରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରା କୁ ଆସି ସାଧାରଣ ଲୋକ ଜିନିଷପତ୍ର କିଣାବିକା ସାଙ୍ଗକୁ ସମୁଦ୍ର ସ୍ନାନ ର ମଜା ଉଠାଇବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୁଇ ଦିନ ଧରି ବେଳାଭୁମି ମହୋତ୍ସବ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ପ୍ରଥମ ଦିନ ସୋମବାର ଅପରାହ୍ନ ୩ ଟା ରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଦିନିଆ ବେଳାଭୁମି ମହୋତ୍ସବ କୁ ଉଦଘାଟନ କରିବେ। ତାଙ୍କ ସହିତ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତ ରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନୃତ୍ୟାଙ୍ଗନା ପକ୍ଷରୁ ଓଡ଼ିଶୀ ନୃତ୍ୟ , ପ୍ରିନ୍ସ ଡାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ, ପ୍ରଜ୍ଞା ହୋତା ଓ ବିଷ୍ଣୁ ମୋହନ କବି ଙ୍କ ଦଳ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳାଭୁମି ମହୋତ୍ସବ କମିଟି ସଭାପତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରକାଶ କରିଥିବା ବେଳେ ଦ୍ଵିତୀୟ ଦିନ ମଙ୍ଗଳବାର ଅପରାହ୍ନ ୩ ଟା ରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଅତିଥି ଭାବେ ଯୋଗଦେବେ।ଇରା ମହାନ୍ତି ଓ ତାଙ୍କ ଦଳ ପକ୍ଷରୁମେଲୋଡି କାର୍ଯ୍ୟକ୍ରମ, ନୃତ୍ୟାଙ୍ଗନା ପକ୍ଷରୁ ଓଡ଼ିଶୀ ନୃତ୍ୟ, ରୁମୁକୁଝୁମାନା ଡାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳାଭୁମି ମହୋତ୍ସବ କମିଟି ର ସମ୍ପାଦକ ପୁରୀ ଜିଲ୍ଲାପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ପ୍ରକାଶ କରିଛନ୍ତି। ଏଥି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରଙ୍ଗୀନ ଆଲୋକ ମାଳା ରେ ଝଲସି ଉଠୁଛି ଅସ୍ତରଙ୍ଗ ର ଜାହାନିଆଁ ପୀର ପୀଠ ର ବେଳାଭୁମି।