ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ସାମଗ୍ରିକ ଉଦ୍ୟମ ଆବଶ୍ୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱେଚ୍ଛାସେବୀ ସଂଗଠନ ‘ଆଶ୍ରୟ’ ପକ୍ଷରୁ ୨୯ତମ ବାର୍ଷିକ ଉତ୍ସବ ଏବଂ ପ୍ରୋଜେକ୍ଟ ସକ୍ଷମ ୨୦୨୩ ଜୟଦେବ ଭବନରେ ଅନୁଷ୍ଠିତ ହୋଯାଇଛି । ଆଶ୍ର୍ରୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୋକନାଥ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଭାବାନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଯୁବପିଢି ଏବଂ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସମାଜ ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମକକ୍ଷ କରାଇବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ଅତିଥିଭାବେ ପଦ୍ମଶ୍ରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ଦାଶ ବେନହୁର, ସମାଜସେବୀ ନିଶାମଣି ଆଚାର୍ଯ୍ୟ, ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଡ. ସୁଦର୍ଶନ ସାହୁ, ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ସୁଦର୍ଶନ ପଟ୍ଟନାୟକ, ବନ୍ଦନା ପଣ୍ଡା, ଶରତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ସମାଜସେବାରେ ଜୀବନବ୍ୟାପୀ ଅବଦାନ ପାଇଁ ଅଗ୍ରଗାମୀ ନିର୍ଦ୍ଦେଶକ ଅଚ୍ୟୁତ ଦାସ ଏବଂ ରାଇରଙ୍ଗପୁରର ସମାଜସେବିକା ପ୍ରଫେସର ସୁହାସିନୀ ମହାପାତ୍ରଙ୍କୁ ଆଶ୍ରୟ ସେବାରତ୍ନରେ ସମ୍ମାନିତ କରାଯାଇଥିଲା । ଏଥିସହିତ ସେବା ପାଇଁ ଡ. ଦେବାଶିଷ ମିଶ୍ର, ବସନ୍ତ ମଞ୍ଜରୀ ସାହୁ, ନିକୁଞ୍ଜ କିଶୋର ସାହୁ, ପ୍ରମୋଦ କିଶୋର ପରିଡ଼ା, ସାମ୍ବାଦିକ ଅରବିନ୍ଦ୍ର ତ୍ରିପାଠୀ, ସକିଲ ମହମ୍ମଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


