ମୁହାଁଣ ଅଞ୍ଚଳ ରେ ଯାଆଁଳ ମାଫିଆ ସକ୍ରୀୟ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ର କେଳୁଣୀ ମୁହାଁଣ ଓ ଦେବୀ ମୁହାଁଣ ଅଞ୍ଚଳରେ ଯାଆଁଳ ମାଫିଆ ସକ୍ରିୟ ହୋଇ ପଡିଛନ୍ତି । ମୁହାଁଣ ନିକଟରେ ଯାଆଁଳ ଧରିବା ସମ୍ପୂର୍ଣ ବେଆଇନ ହୋଇଥିଲେ ବି ଅନେକ ମାଫିଆ ଏଠାରେ ଦୈନିକ ଲକ୍ଷ ଲକ୍ଷ ଯାଆଁଳ ଧରି ନେଉଥିବା ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି। କିଛି ଅସାଧୁ ବ୍ୟକ୍ତି ପଶ୍ଚିମବଙ୍ଗ ଅଞ୍ଚଳ ରୁ ଲୋକ ଓ ସ୍ୱତନ୍ତ୍ର ଜାଲ ଆଣି ନିୟମିତ ଭାବେ ମୁହାଁଣ ଅଞ୍ଚଳ ରେ ଖଇଙ୍ଗା ଓ ବାଗଦା ଚିଙ୍ଗୁଡ଼ି ଯାଆଁଳ ଧରି ସୁଦୂର ବାଂଲାଦେଶ ଓ କୋଲକାତା ଅଞ୍ଚଳ କୁ ଚୋରା ଚାଲାଣ କରୁଛନ୍ତି। କେବଳ ଖଇଙ୍ଗା ଓ ବାଗଦା ଚିଙ୍ଗୁଡ଼ି ମାଛ ଯାଆଁଳ କୁ ରଖି ଅନ୍ୟ ଯାଆଁଳ ସବୁ କୁ ନଷ୍ଟ କରିଦେଉଛନ୍ତି ।ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଞ୍ଚଳ ରେ ଏହି ମାଛ ଚାଷ କରାଯାଉଥିବାରୁ ସେଠାରେ ଏହି ଯାଆଁଳ ସବୁ ର ବେଶ ଚାହିଦା ରହିଛି । ଏହି ଯାଆଁଳ ସହିତ ଅନ୍ୟ କିସମ ମାଛ ଯାଆଁଳ ସବୁକୁ ଧରି ନିଆଯାଉଥିବାରୁ ସମୁଦ୍ରରେ ମାଛର ପରିମାଣ ବହୁମାତ୍ରାରେ ହ୍ରାସ ପାଉଛି ବୋଲି କହିଛନ୍ତି ସନ୍ତୋଷ ବେହେରା ଓ ପ୍ରଶାନ୍ତ ବେହେରା ପ୍ରମୁଖ ମତ୍ସ୍ୟଜୀବୀ। ଫଳରେ ମାଛଧରି ଜୀବିକା ନିର୍ବାହ କରୁଥିବା ଅସ୍ତରଙ୍ଗ ଅଞ୍ଚଳର ୨୦ ହଜାର ରୁ ଅଧିକ ମତ୍ସ୍ୟଜୀବୀ ଙ୍କ ପେଟପାଟଣା ପ୍ରଭାବିତ ହେଉଛି । ପଶ୍ଚିମବଙ୍ଗର କିଛି ମାଛ ଚାଷୀ ସ୍ଥାନୀୟ ଅଞ୍ଚଳର କିଛି ମାଫିଆଙ୍କ ସହାୟତା ରେ ମୁହାଣ ମୁହଁ ନାସି ନିକଟରେ ଯାଆଁଳ ଧରୁଛନ୍ତି ଯାହାକି ସମ୍ପୂର୍ଣ ବେଆଇନ ବୋଲି କହିଛନ୍ତି ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନ ର ସଭାପତି ପ୍ରସନ୍ନ କୁମାର ବେହେରା। ଏହା ମତ୍ସ୍ୟ ଉତ୍ପାଦନ ଉପରେ ବହୁ ପ୍ରଭାବ ପକାଉଛି ଓ ଏହି କାରଣ କୁ ନେଇ ସମୁଦ୍ର ଓ ନଦୀ ରେ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇଛି ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ର ପରିବେଶବିତ ଶୋଭାକର ବେହେରା। ଏ ନେଇ ଅଭିଯୋଗ ହେବା ପରେ ଅସ୍ତରଙ୍ଗ ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପୁଲିସ ମୁହାଁଣ ମୁହଁ ନାସି ନିକଟରେ ମଙ୍ଗଳବାର ଅପରାହ୍ନରେ ଅଚାନକ ୭ଟି ସ୍ଥାନରେ ମିଳିତ ଭାବେ ଚଢ଼ାଉ କରିଥିଲେ ।ପଶ୍ଚିମବଙ୍ଗ ର କିଛି ବ୍ୟକ୍ତିଙ୍କୁ ଧରି ତାଙ୍କ ନିକଟରୁ ହାପା ଜାଲ, ପଲିଥିନ, ଖଙ୍ଗା ଓ ଚିଙ୍ଗୁଡି ଯାଆଁଳ ସହ ଅନେକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କଠାରୁ ଅସ୍ତରଙ୍ଗ ମତ୍ସ୍ୟବିଭାଗ ଲିଖିତ ଆକାରରେ ଅଣ୍ଡରଟେକିଂ ଲେଖି ରଖିବା ସହ ଜବତ ଯାଆଁଳ କୁ ନଦୀରେ ଛାଡି ଦିଆଯାଇଥିଲା । ଏପରି ବେଆଇନ ଭାବେ ଯାଆଁଳ ଧରିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟଧିକାରୀ ସତ୍ୟବ୍ରତ ଦାସ କହିଛନ୍ତି । ମୁହାଁଣ ଅଞ୍ଚଳ ରେ ମତ୍ସ୍ୟବିଭାଗ ଓ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ନିୟମିତ ଚଢାଉ କରାଯିବାକୁ ଦାବି ହେଉଛି।


