ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପାରଳାର ହୋଟେଲ, ଗ୍ୟାରେଜରେ ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶକ୍ରମେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି, ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ୍ ପ୍ରଶାସନର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଦୋକାନ, ଗେରେଜ୍, ଭୋଜନ ହୋଟେଲ୍ ରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା, ଅତିରିକ୍ତ ଜିଲ୍ଲା ଶ୍ରମି ଅଧିକାରିଣୀ ଶ୍ରିମତୀ ଭାରତୀ ବେହେରା, ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମମତା ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ାତିଆ, ଏ.ଏସ୍.ଆଇ ଶ୍ରୀଯୁକ୍ତ କେ. କୁମାର ଓ ସିସିଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିଜୟ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଚଢ଼ାଉ ବେଳେ ରାଜଦାଣ୍ଡ ସ୍ଥିତ ୟୁନିକ ହୋଟେଲ୍ ରୁ ଜଣେ ନାବାଳକ ଓ ଜଣେ ନାବାଳିକା ଉଦ୍ଧାର ହୋଇଥିଲା ବେଳେ ନୂଆ ବସଷ୍ଟାଣ୍ଡ ସ୍ଥିତ କେ. ଦିଲିପ ମୋଟର ଗେରେଜ୍ ରୁ ଜଣେ ନାବାଳକ ଉଦ୍ଧାର ହୋଇଥିଲା। ଉକ୍ତ ନାବାଳକ ମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିଲା ବେଳେ ଅନ୍ୟଜଣେ ଗଜପତିର ପାରଳାଖେମୁଣ୍ଡିର ଓ ନାବାଳିକା ଜଣକ ରାୟଗଡ଼ ବ୍ଲକର ବୋଲି ସୂଚନା ରହିଛି।ଉଦ୍ଧାର ହୋଇଥିବା ନାବାଳକ ଓ ନାବାଳିକା ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ, ଆର୍.ସୀତାପୁର ଓ ପ୍ରାଉଡ଼, ବି.ସୀତାପୁର ଠାରେ ଥଇଥାନ କରାଯାଇଛି। ସେମାନଙ୍କର କାଗଜପତ୍ର କୁ ଯାଞ୍ଚ କଲାପରେ ଉକ୍ତ ନାବାଳକ ଓ ନାବାଳିକା ମାନେ କେଉଁ ଶିକ୍ଷା ତଥା ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆଗ୍ରହ ସେମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରଖିଛି। ଏପରି ବେଆଇନ ଭାବେ ନାବାଳକ ଓ ନାବାଳିକା ମାନଙ୍କୁ ହୋଟେଲ୍, ଗେରେଜ କାମରେ ସାମିଲ କରୁଥିବାରୁ ଉକ୍ତ ହୋଟେଲ୍ ଏବଂ ଗେରେଜ୍ ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ