ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟିର ୧୮ଶ ସମ୍ମିଳନୀରେ ଆହ୍ୱାନ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାର ସାମଗ୍ରୀକ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ଦାବିରେ ଜିଲ୍ଲାବ୍ୟାପୀ ଗଣ ଆନ୍ଦୋଳନ ପାଇଁ ଶନିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଅଷ୍ଟାଦଶ ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଲେଶ୍ୱର ସହରସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପରେ ସମ୍ମିଳନୀର ସାଧାରଣ ଅଧିବେଶନରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ସଭାପତିତ୍ୱ କରିଥିଲେ । ସାଧାରଣ ସଂପାଦକ ପ୍ରଦୀପ ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ଉପସ୍ଥାପିତ କରିଥିଲେ । ବିଭିନ୍ନ ସାମାଜିକ ସଂଗଠନ ଓ ଗଣସଂଗଠନ କର୍ମକର୍ତ୍ତାମାନେ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ସଂଗ୍ରାମର ଫଳ ସ୍ୱରୂପ ଫକୀରମୋହନ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ନଥିବାରୁ ମେଡିକାଲ୍ କଲେଜ୍ ହସପିଟାଲରେ ରୋଗୀମାନେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି ଓ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନଥିବା ସଂପର୍କରେ ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଅଭିଯୋଗ କରିଥିଲେ । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ, ଓକିଲ ସଂଘର ସଭାପତି ମନୋଜ ନାୟକ, ‘ସହାୟକ’ର ସଭାପତି ଡ. କ୍ଷିତିଶ୍ୱର ଦାଶ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ବିଭିନ୍ନ ବ୍ଲକ୍ ଓ ଅଞ୍ଚଳ କମିଟି ପକ୍ଷରୁ ଡା. ଶ୍ରୀଶ କୁମାର ଦାଶ, ନବ କିଶୋର ଦାସ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଦାମୋଦର ଦାସ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କମିଟିର ସଭାପତି ଡ. ଅଦୈତ ପାତ୍ର ପ୍ରମୁଖ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କ୍ରିୟାନୁଷ୍ଠାନ କମିଟିର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ଆଗାମୀ ଗଣ ଆନ୍ଦୋଳନ ପ୍ରତି ସେମାନଙ୍କର ସମର୍ଥନ ଜଣାଇଥିଲେ ।ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ, ବିଧାୟକ ସୁଧାଂଶୁ ପରିଡ଼ା, ସଭ୍ୟ ସୁବ୍ରତ କର ପ୍ରମୁଖ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ଉଦ୍ୟଢ଼ କରୁଛନ୍ତି ବୋଲି ମତ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଇଂ. ହୃଷିକେଶ ସାହୁ ଆଗାମୀ ବର୍ଷପାଇଁ କାର୍ଯ୍ୟକ୍ରମ ଓ ସାଂଗଠନିକ ଚିଠାପ୍ରସ୍ତାବ ଆଗତ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ ଶୁଭେଚ୍ଛା ଜଣାଇଥିବାବେଳେ ପ୍ରାକ୍ତନ ସଭାନେତ୍ରୀ ମମତା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମିଳନୀର ସଫଳତା କାମନା କରି ବିଶେଷ ବ୍ୟକ୍ତିମାନଙ୍କ ବାର୍ତ୍ତାକୁ ଉପସଭାପତି ନିରଞ୍ଜନ ରାଉତ ପାଠ କରିଥିଲେ । ରମେଶ ଚନ୍ଦ୍ର ଜେନା ଶୋକ ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିଶେଷ ସହାୟତା ଏବଂ ସହଯୋଗ ପ୍ରଦାନ କରିଥିବାରୁ ଡା. ମୃତ୍ୟୁଞ୍ଜୟ ମିଶ୍ର, ଡ. ଜନାର୍ଦ୍ଦନ ବେହେରା, ଡା. ଜାମସେଦ ଅଲ୍ଲୀ ଖାଁ, ଡା. ଲମ୍ବୋଦର ବଳ, କମଳ ଚକ୍ରବର୍ତ୍ତୀ, ତରୁଣ କୁମାର ଦାସ ଓ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ସାଧାରଣ ସଂପାଦକ ଭଗବାନ ରାଉତଙ୍କୁ କମିଟି ପକ୍ଷରୁ ମାନପତ୍ର ଓ ଉପାୟନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ସେହିପରି ୮ଜଣ ଜଣ ପୃଷ୍ଠପୋଷକ ସଭ୍ୟଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ । ବ୍ୟାସକବି ଫକୀରମୋହନ ଓ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଶେଷରେ ବନ୍ଦନା ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ସରସ୍ୱତୀ ପଣ୍ଡା, ଶ୍ରଦ୍ଧାଞ୍ଜଳି ରାୟ, ପ୍ରମିତା ଦାସ, କ୍ରିଷ୍ଣା ସାହା, ସଂଯୁକ୍ତା ବେହେରା, ରୋଟାରିୟାନ୍ ଯଶୋଦାନନ୍ଦନ ଆସ୍, ଅକ୍ଷୟ କୁମାର ତ୍ରିପାଠୀ, ଶରତ ଦଳାଇ, ହାଜି ଏସ୍.କେ. ୟୁସୁଫ୍, ଜତିନ୍ ପାତ୍ର, ପ୍ରଫୁଲ୍ଲ କୁମାର ଦାସ, ସୀତାରାମ ପ୍ରଧାନ, ଯୋଗେନ୍ଦ୍ର ମାହାର୍ଣ୍ଣା, ସେକ୍ କରିମ୍, ଜଗତାନନ୍ଦ ବିଶ୍ୱାଳ, ତପନ ସିଟ୍, ପୁରସ୍ତମ ବେହେରା, ଆଲୋକଦାସ, ବେଣୁଧର ପାଳ, ଅର୍ଚ୍ଚନା ନନ୍ଦୀ, ଶେଖ୍ କରିମୁଦ୍ଦିନ୍, ରବି ପାଣିଗ୍ରାହୀ, ଯତୀନ୍ଦ୍ର ସେନ୍ ପ୍ରମୁଖ ସହଯୋଗ କରିଥିଲେ ।


