ଦିନକ ପରେ ଇଂରାଜୀ ନବବର୍ଷ ଗୋଲାପ ଫୁଲର ଚାହିଦା ବଢୁଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):୨୦୨୩ ମସିହା ଶେଷ ହୋଇ ଆରମ୍ଭ ହେବାକୁ ଯାଉଛି ଇଂରାଜୀ ନବବର୍ଷ ୨୦୨୪। ଅର୍ଥାତ ଦିନକ ପରେ ସୋମବାର ପଡୁଛି ଇଂରାଜୀ ନବବର୍ଷ ୨୦୨୪ । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଂଞ୍ଚଳରେ ଉତ୍କଣ୍ଠା ଲାଗି ରହିଛି । ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷ ଶେଷ ହୋଇ ପୁଣି ଏକ ନୂତନ ବର୍ଷ ଆସିବା ପାଇଁ ଏକ ନିୟମିତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହି ଇଂରାଜୀ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଲାଗି ରହିଛି । ଇଂରାଜୀ ନବବର୍ଷ ୨୦୨୪ର ଅବ୍ୟହିତ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନବବର୍ଷର ଶୁଭେଛା ବାର୍ତ୍ତା ପ୍ରେରଣ ଆରମ୍ଭ ହୋଇଗଲାଣି । ନବବର୍ଷର ଏହି ଅଗ୍ରୀମ ଶୁଭେଛା ବ୍ୟତୀତ ସମସ୍ତେ ଅପେକ୍ଷା କରିଥାନ୍ତି ନବବର୍ଷର ଆଗମନକୁ । ବିଶେଷକରି ଡିସେମ୍ବର ମାସ ୩୧ ତାରିଖ ରାତି ୧୨ଟା ପରେ ନବବର୍ଷର ଶୁଭେଛା ଆଦାନ ପ୍ରଦାନ ଅଧିକ ମହତ୍ୱ ରଖିଥାଏ । ତେଣୁ ୩୧ ତାରିଖ ବିଳମ୍ବିତ ରାତିରୁ ନବବର୍ଷର ଉତ୍ସବ ପାଳନ ସହ ଶୁଭେଛା ବାର୍ତ୍ତା ପ୍ରେରଣ ଅଧିକ ସକ୍ରିୟ ହୋଇଉଠିଛି । ଇଂରାଜୀ ନବବର୍ଷରେ ନିଜର ବନ୍ଧୁ, ପରିବାର, ଆତ୍ମୀୟସ୍ୱଜନ ଓ ଉପରିସ୍ଥ ଅଧିକାରୀଙ୍କୁ ଶୁଭେଛା ଜଣାଇବାକୁ ଅଧିକାଂଶ ବ୍ୟସ୍ତ ହୋଇ ଉଠିଥାନ୍ତି । ନବବର୍ଷର ଶୁଭେଛା ଜଣାଇବା ପାଇଁ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଥିବା ଫୁଲ ଦୋକାନ ଗୁଡିକରେ ସ୍ୱତନ୍ତ୍ର ଭାବେ ଫୁଲତୋଡା ତିଆରି କରିବା ଲାଗି ଅର୍ଡ଼ର ଦିଆଯାଇଥିବା ଦେଖିବାକୁ ମିଳୁଛି । ନବବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ଚାଲିଛି ବ୍ୟାପକ ପ୍ରସ୍ତୁତି । ପ୍ରିୟଜନକୁ ନୂତନ ବର୍ଷରେ ଫୁଲ ଉପହାର ଦେଇ ଶୁଭ ମନାସିବା ପାଇଁ ସମସ୍ତଙ୍କ ଠାରେ ଦେଖା ଦେଇଛି ଆଗ୍ରହ । ଗ୍ରାହକଙ୍କ ଆଗ୍ରହକୁ ଦେଖି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳର ଫୁଲ ଦୋକାନ ଗୁଡ଼ିକରେ ବର୍ତ୍ତମାନ ଠାରୁ ଭଳିକି ଭଳି ସୁଗନ୍ଧିତ ଏବଂ ସୁନ୍ଦର ଫୁଲ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଇଂରାଜୀ ନବବର୍ଷ ପାଳନ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଥିବା ମକମଲ୍ଲୀ ଚାଷୀ ମାନଙ୍କ ଠାରେ ଫୁଲ ବ୍ୟବସାୟୀ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳୁଛି । ବିଶେଷ କରି ଫୁଲତୋଡା ପାଇଁ ଗୋଲାପ ଓ ମକମଲ୍ଲୀ ଫୁଲର ଚାହିଦା ଅଧିକ ରହିଥିବା ଜଣାପଡିଛି । ଗୋଲାପ ଫୁଲ ଗୋଟାକୁ ୨୫ରୁ ୩୦ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି ।