ସରକାରୀ ଡାକ୍ତରଙ୍କ ମରୁଡି, ସ୍ୱାସ୍ଥ୍ୟସେବା ବିପର୍ଯସ୍ତ, ଆନ୍ଧ୍ର ଘରୋଇ ଡାକ୍ତରଖାନା ଉପରେ ଲୋକେ ନିର୍ଭର
ଡାକ୍ତରଖାନାରେ 41 ଡାକ୍ତର ପଦବୀ ଖାଲି, ଦୁର୍ଗମ ଶିକୁଳିପଦର ସ୍ବାସ୍ଥ୍ୟକେନ୍ଦ୍ର 4 ମାସ ହେଲା ବିନା ଡ଼ାକ୍ତରରେ ଚାଲିଛି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଆଦିବାସୀ ଅଧୁଷିତ ବନ ପାହାଡ଼ ଘେରା ଦୁର୍ଗମ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସପୂର୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନରେ 65 ଗୋଟି ଡାକ୍ତର ପଦବୀ ରହିଥିବାବେଳେ ମାତ୍ର 24 ଡାକ୍ତର ରହିଛନ୍ତି. ଜିଲ୍ଲା ମହକୁମା ଡାକ୍ତରଖାନର ଅବସ୍ଥା ଏ ଭଳି ରହିଥିବାବେଳେ ସମଗ୍ର ଜିଲ୍ଲାର ବ୍ଲକ ମହକୁମା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହିଥିବା ସରକାରୀ ଡାକ୍ତରଖାନାର ଅବସ୍ଥା କିପରି ଥିବ ତାହା ସ୍ପଷ୍ଟ ଅନୁମେୟ. ଗଜପତି ଜିଲ୍ଲାରେ 70 ରୁ ଉର୍ଦ୍ଧ ଭାଗ ସରକାରୀ ଡାକ୍ତରଙ୍କ ପଦବୀ ଖାଲି ରହିଛି. ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନରୁ ଆରମ୍ଭ କରି ସମଗ୍ର ଜିଲ୍ଲାରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ କୌଣସି ଭାବେ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି. ଗଜପତିର ପଡୋଶୀରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗର ଓ ବିଶାଖାପାଟଣାରେ ଥିବା ଘରୋଇ ଡାକ୍ତରଖାନା ଉପରେ ଗଜପତି ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି. ଆନ୍ଧ୍ରରେ ଏହି ସ୍ୱାସ୍ଥ୍ୟସେବା ପାଇଁ ଗଜପତିବାସୀ ବହୁ ଖର୍ଚ୍ଚାନ୍ତ ବହନ କରିବାକୁ ପଡେ. ଏଥିସହ ସ୍ୱାସ୍ଥ୍ୟଜନିତ ସମ୍ବଦ୍ଧିୟ ବିଭିନ୍ନ ପରୀକ୍ଷା ପାଇଁ ଆନ୍ଧ୍ର ଟାଉଟର ଓ ଦଲାଲଙ୍କ ଦ୍ୱାରା ଶିକାର ହୋଇ ବହୁ ଅର୍ଥ ଅପବ୍ୟୟ କରିବା ସହ ଗଜପତିବାସୀ ଭିନ୍ନଭିନ୍ନ ଭାବେ ଆନ୍ଧ୍ରରେ ନିର୍ଯାତିତ ହେଉଛନ୍ତି. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଗଜପତି ଜିଲ୍ଲାରେ ବହୁ ଡାକ୍ତରଙ୍କ ପଦବୀ ଖାଲି ରହିଛି. ପାରଳାରେ ଥିବା ଜିଲ୍ଲା ମହକୁମା ଡାକ୍ତରଖାନାରେ 41 ଗୋଟି ଡାକ୍ତର ପଦବୀ ଖାଲି ରହିଛି. ସେହିପରି ମୋହନା ଡାକ୍ତରଖାନାରେ 12 ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର 3 ଜଣ ଡାକ୍ତର ରହିଛନ୍ତି. ଦୁର୍ଗମ ଶିକୁଳିପଦର ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଏକମାତ୍ର ଡାକ୍ତର ପଦବୀ ବହୁ ଦିନ ଧରି ଖାଲି ପଡିଛି. ଏନେଇ ସରକାର ତଥା ପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି ସୂଚନା ମିଳିଛି ଅତି ଶୀଘ୍ର ଗଜପତି ଜିଲ୍ଲାରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀକୁ ସରକାର ପୂରଣ କରିବେ ବୋଲି ମଧ୍ୟ ଗଜପତି ସିଡ଼ିଏମ ଶ୍ରୀ ପାତ୍ର କହିଛନ୍ତି. ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ସ୍ଥିତ ନୁତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ 4 ମାସ ଧରି ଡାକ୍ତରଙ୍କ ପଦବୀ ଖାଲି ପଡ଼ିଥିବା ଯୋଗୁଁ ଅଞ୍ଚଳର ରୋଗୀ ମାନେ ସ୍ବାସ୍ଥ୍ୟସେବା ପାଇବା ପରିବର୍ତ୍ତେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମୋହନା ବ୍ଲକର ସର୍ବବୃହତ ଜନ ସଂଖ୍ୟା ବିଶିଷ୍ଠ ଶିକୁଳିପଦର ଗ୍ରାମପଞ୍ଚାୟତ ସମେତ ଲୁହାଗୁଡି , ଢେପାଗୁଡା, ଚାନ୍ଦିପୁଟ ,ମାଣିକପୁର, ମେରାପଲ୍ଲୀ ପଞ୍ଚାୟତବାସୀ ଦୈନିକ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଉପରେ ଚିକିତ୍ସା ପାଇଁ ନିର୍ଭରଶୀଳ । ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଫାର୍ମାସିଷ୍ଟ, ଜଣେ ସ୍ବାସ୍ଥ୍ୟ ସହଯୋଗୀ ଏବଂ ଦୁଇ ଜଣ ସଫାଇ କର୍ମଚାରୀ ନିଯୁକ୍ତ ଥିବା ବେଳେ ଅଧିକାଂଶ ସମୟରେ ନିଯୁକ୍ତ ଫାର୍ମାସିଷ୍ଟ ଉମେଶ ଚନ୍ଦ୍ର ନାୟକ ଡାକ୍ତର ଖାନାରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣ। ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀଙ୍କ ଚିକିତ୍ସା ପାଇଁ ଏଟେଣ୍ଡେଣ୍ଟ ହିଁ ଏକମାତ୍ର ସାହାଭରସା । ଫାର୍ମାସିଷ୍ଟ ଉପସ୍ଥିତ ଥିଲେ ରୋଗୀସେବା ସାମାନ୍ୟ ମିଳୁଥିବା ବେଳେ ଫାର୍ମାସିଷ୍ଟ ନଥିଲେ ରୋଗୀ ସେବା ସମ୍ପୁର୍ଣ୍ଣ ଠପ ହେଉଯାଉଛି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଏହା ପୁର୍ବରୁ ଚୁଡଙ୍ଗପୁର ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରବିର କୁମାର ସେଠୀ ଙ୍କୁ ଅଣାଯାଇ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ଵ ଦିଆଯାଇଥିଲା । ହେଲେ କିଛି ମାସ କାମ କରିବା ପରେ କୌଣସି କାରଣ ବଶତଃ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପ୍ରାୟ ତିନି ମାସ ହେବ ଉକ୍ତ ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି କରିଦେଇଛନ୍ତି । ଏବଂ ତାଙ୍କ ପରିବର୍ତ୍ତେ ଅନ୍ୟ କୌଣସି ଡାକ୍ତର ଏ ପର୍ଯ୍ୟନ୍ତ ନିଯୁକ୍ତି କରିନାହାନ୍ତି। ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଡାକ୍ତର ପଦବୀ ପୂରଣ ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ଜୟ କୁମାର ପଣ୍ଡାଙ୍କୁ ଜଣାଇଛନ୍ତି । ହେଲେ କୌଣସି ସୁଫଳ ମିଳିନାହିଁ ।ଅସୁବିଧା ସମ୍ପର୍କରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ଜୟକୁମାର ପଣ୍ଡାଙ୍କୁ ପଚାରିବାରେ ସମସ୍ୟା ନେଇ ଅବଗତ ଅଛନ୍ତି , ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇଛନ୍ତି। ଡାକ୍ତର ଅଭାବ ଥିବା ହେତୁ କେହି ନିଯୁକ୍ତି ପାଇନାହାନ୍ତି। ତେବେ ଶିକୁଳିପଦର ନୁତନ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧାମାନ ଥିଲେ ମଧ୍ୟ ଡାକ୍ତର ଙ୍କ ଅଭାବ ଯୋଗୁଁ ରୋଗୀ ମାନେ ଚିକିତ୍ସା ନପାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଡାକ୍ତର ଟିଏ ଯୋଗାଇଦେବାକୁ ସାଧାରଣ ରେ ଦାବି ହୋଇଛି।
9 Attachments • Scanned by Gmail


