ବାଲେଶ୍ଵର ଜିଲ୍ଲା ମହୋତ୍ସବ କୋଶମ୍ୱ-୨୦୨୪ ର ତୃତୀୟ ସନ୍ଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ଆଜିର ସମାଜରେ ମହିଳା ଆଉ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହି ନାହାନ୍ତି । ସମାଜର ଉନ୍ନତି, ରାଜ୍ୟର ପ୍ରଗତି ଓ ଦେଶର ବିକାଶରେ ମହିଳାଙ୍କ ଭୂମିକା ଅଧିକ ପରିଲକ୍ଷିତ ହେଉଛି । ଆଗରୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ନାରୀ ଆଜି ନିଜେ ଆତ୍ମନିର୍ଭରଶୀଳ ହେଉଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ପ୍ରୟାସ କରୁଛନ୍ତି ମହିଳାମାନେ । ଏହି କ୍ରମରେ କୋଶମ୍ୱ-୨୦୨୪ ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନନୀୟା ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ତତ୍ସହିତ ବାଲେଶ୍ୱର ମାନନୀୟା ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ସଦର ପଞ୍ଚାୟତ ସମିତି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା, ବସ୍ତା ପଞ୍ଚାୟତ ସମିତି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ଦାସ, ସୋରୋ ପଞ୍ଚାୟତ ସମିତି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ଅନଶୁୟା ମଲ୍ଲିକ, ଖଇରା ପଞ୍ଚାୟତ ସମିତି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ, ନୀଳଗିରି ପଞ୍ଚାୟତ ସମିତି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ ଓ ନୀଳଗିରି ଏନ.ଏ.ସି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ Iଅନ୍ୟପଟେ ମହୋତ୍ସବରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୩୪୫୯ ଜଣ ଯୁବକଯୁବତୀ ପଞ୍ଜୀକୃତ କରିଥିଲେ ଯେଉଁଥିରୁ ୪୬୧ ଜଣଙ୍କୁ ନିଯୁକ୍ତି ପତ୍ରପ୍ରଦାନ କରିଥିଲେ ବିଭିନ୍ନ କମ୍ପାନୀ । ଏହାସହ ୨୨୩୦ ଜଣଙ୍କୁ ପରବର୍ତ୍ତୀ ସାକ୍ଷାତକାର ପାଇଁ ସର୍ଟ ଲିଷ୍ଟ କରାଯାଇଛି । ଏଥିରେ ତାଲିମ ପ୍ରଦାନକାରୀ ସଂସ୍ଥା ମଧ୍ୟ ଯୋଗଦେଇଥିଲେ । କେବଳ ଏତିକି ନୁହେଁ ୧୪୪ ଜଣ ଯୁବକ ଯୁବତୀଙ୍କୁ ଅଗ୍ନିବୀର ପାଇଁ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ଦିଆଯାଇଥିଲା । ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ପରିଷଦର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଓ ବାଲେଶ୍ୱର ମାନନୀୟା ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଦର୍ଶକଙ୍କ ମନ ମୋହିଥିଲା ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମ । ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଯାଦୁଗରି କଣ୍ଠରେ ବିମୋହିତ ହୋଇଥିଲେ ଦର୍ଶକ । ଏହାସହ ଜିଲ୍ଲାର ଲୋକକଳା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।