ଭାରତର ମୁକ୍ତି ସଂଗ୍ରାମର ଚର୍ଚ୍ଚିତ ଯୋଦ୍ଧା ନେତାଜୀ
ବିପିନ ବିହାରୀ ମହାନ୍ତି
“ଉଠ! ଆଉ ବେଳ ନାହିଁ । ଧର ଅସ୍ତ୍ର । ମାଡ଼ିଚାଲ । ତୁମ ଆଗରେ ସ୍ୱାଧୀନତାର ପଥ । … ଦିଲ୍ଲୀ ଚଲୋ । …. ଦିଲ୍ଲୀ ଚଲୋ!
ଏହିଥିଲା ଇମ୍ପାଲ ଅଭିମୂଖେ ସେଦିନ ମାଡ଼ି ଚାଲିଥିବା ଆଜାଦ୍ ହିନ୍ଦ୍ ଫୌଜପ୍ରତି ନେତାଜୀ ସୁଭାଷ ବୋଷଙ୍କର ଆହ୍ୱାନ ।
୧୯୪୪ ମସିହାର ବସନ୍ତ ଋତୁ । ଆଜାଦ୍ ହିନ୍ଦ୍ ଫୌଜ ଆଗେଇ ଚାଲିଛନ୍ତି ଭାରତ ଆଡ଼କୁ ବର୍ମାର ଘନ ଜଙ୍ଗଲ, ନଦୀନାଳ ଓ ପାହାଡ଼ ଉପତ୍ୟକା ଡ଼େଇଁ – ଦିଲ୍ଲୀ ଚଲୋ । ଆଉ ଶେଷରେ ମାର୍ଚ୍ଚ ୧୮ ତାରିଖ ଦିନ ଯେତେବେଳେ ଭାରତ ଭୂମିର ଇମ୍ପାଲରେ ପାଦ ଥାପିଲେ, କି ଆନନ୍ଦ ଥିଲା ସେ ସୈନିକମାନଙ୍କର । ନେତାଜୀ ଏକ ବେତାର ଭାଷଣରେ ସମସ୍ତ ବିଶ୍ୱକୁ ଜଣାଇ ଦେଲେ ଯେ – ‘ଆଜାଦ୍ ହିନ୍ଦୁ ଫୌଜ ଏବେ ସୀମାନ୍ତ ପାରହୋଇ ଭାରତ ମାଟିରେ ଠିଆ । ସ୍ୱାଧୀନ ଭାରତର ବୈଜୟନ୍ତୀ ଉଡ଼ୁଛି ଇମ୍ପାଲରେ ।
ଏତେବେଳକୁ ସମଗ୍ର ପୃଥବୀ ଜଳୁଛି ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରକୋପରେ । ବ୍ରିଟେନ୍ ବିପକ୍ଷରେ ଜାପାନର ଲଢ଼େଇ । ଭାରତରେ ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ଇଂରେଜ ବିରୁଦ୍ଧରେ । ବାହାରେ ଜାପାନ ସହିତ ନେତାଜୀଙ୍କର ଆଜାଦ୍ ହିନ୍ଦ୍ ଫୌଜ ଲଢ଼ୁଛି ସେଇ ଇଂରେଜ ବିରୁଦ୍ଧରେ । ଜାପାନ ସହିତ ସର୍ତ୍ତ ଅନୁସାରେ ଇଂରେଜ ଶାସନରୁ ମୁକ୍ତ କରି ନିଜ ଆୟତରେ ରଖୁଥିବା ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଜାପାନ୍ ଆଜାଦ୍ ହିନ୍ଦ୍ ଫୌଜକୁ ହସ୍ତାନ୍ତର କରିଥାଏ । ନେତାଜୀ ସେଠାରେ ଗଢ଼ିଲେ ନିଜର ଅସ୍ଥାୟୀ ସରକାର ଏବଂ ଏହାର ନୂତନ ନାମ କରଣ କରିଥାନ୍ତି ‘ଶହୀଦ୍ ଓ ସ୍ୱରାଜ’ । ଏହି ଆଜାଦ୍ ହିନ୍ଦ୍ ସରକାରଙ୍କୁ ଜାପାନ, ନାଜୀ ଜର୍ମାନୀ, ଫାଶିଷ୍ଟ ଇଟାଲୀ, ଚୀନ, ସ୍ୱାଧୀନ ବର୍ମା, ସ୍ୱାଧୀନ ଫିଲପାଇନ୍ସର ପ୍ରଭୃତି ନଅଗୋଟି ଦେଶ ସେତେବେଳକୁ ସ୍ୱୀକୃତି ପ୍ରଦାନ କରି ସାରିଥାନ୍ତି ।
ପ୍ରତିକୂଳ ପରିବେଶ ନଥିଲେ ଏବଂ ଜାପାନ ଉପରେ ୧୯୪୪ ମସିହାର ଅଗଷ୍ଟମାସରେ ଆମେରିକା ବୋମାମାଡ଼ ହିରୋସୀମା ଓ ନାଗାସାକି ଉପରେ କରିନଥିଲେ ଏବଂ ଜାପାନ ଆମେରିକା ପାଖରେ ଆତ୍ମସମର୍ପଣ କରିନଥିଲେ, ବୋଧହୁଏ ଦିଲ୍ଲୀ ଆଉ ବେଶୀ ବାଟ ନଥିଲା ।
ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଦୁଇଜଣ । ଗାନ୍ଧି ଏବଂ ନେତାଜୀ । ଗାନ୍ଧିଥିଲେ ନରମପନ୍ଥୀ ଏବଂ ସତ୍ୟ ଅହିଂସାର ପଥିକ ଏବଂ ନେତାଜୀ ଥିଲେ ଚରମ ପନ୍ଥୀ ଯାହାଙ୍କ ଆଦର୍ଶ ଥିଲା କଳେ ବଳେ ବା କୌଶଳେ ଆମ ସ୍ୱାଧୀନତାକୁ ଇଂରେଜମାନଙ୍କ ଠାରୁ ଛଡ଼ାଇ ଆଣିବା ।
ସୁଭାଷ ବୋଷ ୧୯୩୮ ମସିହା ହରିପୁର କଂଗ୍ରେସ ଅଧିବେଶନ ପାଇଁ ସଭାପତି ହେଲେ । ସେତେବେଳେ ତାଙ୍କ ଭାଷଣରେ ସେ କେତୋଟି କଥା କହିଥିଲେ :
“ପୃଥିବୀର କୌଣସି ଦେଶ ଆଉ ଭାରତକୁ ପରାଧୀନ କରି ରଖିପାରିବ ନାହିଁ ।… ଭାରତବର୍ଷ ନିଶ୍ଚୟ ସ୍ୱାଧୀନ ହେବ । ଭାରତର ଶେଷ ସ୍ୱାଧୀନତା ସଂଗ୍ରାମରେ ଯୁବକମାନଙ୍କ ଛଡ଼ା ଦେଶର କୃଷକ ଓ ଶ୍ରମିକମାନଙ୍କୁ କଂଗ୍ରେସ ଭିତରକୁ ଆଣିବାକୁ ହେବ ।… ଦେଶର ଅର୍ଥନୀତିକୁ ଉନ୍ନତ କରିବା ପାଇଁ ଗୋଟିଏ ଗୋଟିଏ ଯୋଜନା କମିଶନ ଗଢ଼ାଯିବ । ସେହି କମିଶନ ଦେଶର କୃଷି, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା ଆଦି ବିଷୟରେ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବ । ଭାରତର ପୂର୍ବ ସାମ୍ୟବାଦ ନୀତି ଅନୁସାରେ ଦେଶର ଶାସନ ପରିଚାଳନା ହେବ । ଜାତିଆଣ ଭାବ, କୁସଂସ୍କାର ପ୍ରଥାଗୁଡ଼ିକୁ ଦେଶରୁ ଉଠାଇ ଦେବାକୁ ହେବ ।…. । କଂଗ୍ରେସ କେବଳ ଭାରତକୁ ରକ୍ଷା କରିବାକୁ ଲଢ଼ୁ ନାହିଁ । ସମଗ୍ର ମାନବ ଜାତିକୁ ରକ୍ଷା କରିବା ପାଇଁ ଲଢ଼ୁଛି । ଭାରତ ସ୍ୱାଧୀନ ହେଲେ, ମାନବଜାତି ରକ୍ଷା ପାଇବ ।… । ଆମେ ଇଂରେଜ ସରକାରଙ୍କ ସହିତ ମୋଟେ ମିଳାମିଶା କରିବା ନାହିଁ । ଆମେ ସ୍ୱାଧୀନ ହେଲେ ଯୋଜନା କମିଶନ ଗଢ଼ି ଶିଳ୍ପ ଓ କୃଷି ଆଦି ପ୍ରସାର କରିବା ।… । ବର୍ତ୍ତମାନ କଂଗ୍ରେସ କାର୍ଯ୍ୟକାରୀ କମିଟି ସ୍ୱାଧୀନ ଭାରତର ମନ୍ତ୍ରୀମଣ୍ଡଳ ଭଳି କାମ କରିବା ଉଚିତ୍ ।
ଏହିପରି ଅନେକ ମନ୍ତବ୍ୟ ଦେଇଥିଲେ । ଯାହାକୁ ଗାନ୍ଧି ଓ ଅନ୍ୟ କଂଗ୍ରେସ ନେତାମାନେ ସମର୍ଥନ କରୁନଥିଲେ । ୧୯୩୯ରେ ତ୍ରିପୁରାଠାରେ କଂଗ୍ରେସର ଅଧିବେଶନରେ ଗାନ୍ଧିଙ୍କ ଇଚ୍ଛାବିରୁଦ୍ଧରେ ଛିଡ଼ା ହୋଇ ସଭାପତି ହେଲେ । ଏଥର ମଧ୍ୟ ସେ ମନ୍ତବ୍ୟ ଦେଇ କହିଥିଲେ ଯେ, ‘ମହାଯୁଦ୍ଧରେ ବ୍ରିଟିଶ ସରକାର ନିଶ୍ଚୟ ଗୋଟିଏ ପକ୍ଷ ହୋଇ ଲଢ଼ିବ । ସେତେବେଳେ ସେ ତା’ର ସମସ୍ତ ଶକ୍ତି ଯୁଦ୍ଧରେ ଲଗାଇବ । ଆମେ ସେହି ସମୟରେ ଇଂରେଜ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚଳେଇଲେ ସେ ଆମକୁ ଦମନ କରିପାରିବ ନାହିଁ । ଆମେ ନିଶ୍ଚୟ ସ୍ୱାଧୀନ ହେବା ।’ ଏକଥାକୁ ଗାନ୍ଧିଜୀ ଓ ଅନ୍ୟମାନେ ଗ୍ରହଣ କଲେ ନାହିଁ । ସବୁ କଥାରେ ସେମାନେ ନେତାଜୀଙ୍କର ବିରୁଦ୍ଧାଚରଣ କଲେ । ୧୯୩୯ର ଦ୍ୱିତୀୟ ବିଶ୍ୱଯୁଦ୍ଧ ଘୋଷଣା ହେଲା । ନେତାଜୀ କଂଗ୍ରେସ ଛାଡ଼ି ଫରଓ୍ୟାଡ଼୍ ବ୍ଲକ ଗଠନ କଲେ । ଇଂରେଜ ସରକାର ତାଙ୍କୁ ତାଙ୍କ ଘରେ ଜବରଦସ୍ତ ବନ୍ଦୀ କରି ରଖିଲେ ।
ଏହି ଗୃହବନ୍ଦୀ ଜେଲ ଭିତରେ ସେ ବିଦେଶକୁ ପଳାଇ କିଛି ଗୋଟେ କରିବାର ଯୋଜନା କଲେ । ୧୯୪୧ ମସିହା ୧୬ ତାରିଖଦିନ ରାତି ୧୧ଟା ବେଳେ ତାଙ୍କ ପୁତୁରା ମାଧ୍ୟମରେ ମଟର କାର ଯୋଗେ ଜଣେ କାବୁଲିବାଲା ବେଶରେ ଆସି ଧାନବାଦରେ ଅନ୍ୟଏକ ପୁତରା ପାଖେ ପହଞ୍ôଚଲେ । ସେଠାରେ ସେ ଜୀବନ ବୀମା ଏଜେଣ୍ଟ ଭାବେ ପରିଚୟ ଦେଇ ସେଠାରୁ ସେ ଭାରତ ରାମ ନାମକ ଜଣେ ବିଶ୍ୱସ୍ତ ବନ୍ଧୁଙ୍କ ସାହାଯ୍ୟରେ ମୂକବଧିର ଅଭିନୟ କରି ପେଶୱାର ଦେଇ ଆଫଗାନ ସ୍ଥାନରେ ପହଞ୍ôଚଲେ । ଏହାଥିଲା ୧୯୪୧ ଜାନୁୟାରୀ ୨୬ ଏବଂ ଏହିଦିନ ହିଁ ଅନ୍ୟାମାନେ ତାଙ୍କ ପଳାୟନ କଥା ଜାଣିଲେ । ଏହାପରେ ୧୯୪୧ ମସିହା ଏପ୍ରିଲରେ ସେ ପହଞ୍ôଚଲେ ବର୍ଲିନରେ । ଏଇଠୁ ସେ ଇଟାଲି, ଫ୍ରାନସ୍ ଓ ଅନ୍ୟାନ୍ୟ ଦେଶ ବୁଲି ଭାରତୀୟଙ୍କୁ ଭେଟିଲେ । ବିଦେଶୀ ସମର୍ଥନ ଲୋଡ଼ିଲେ । ଏହି ଜର୍ମାନୀରେ ଭାରତୀୟମାନେ ତାଙ୍କୁ ଡାକୁଥିଲେ ନେତାଜୀ । ସେ ହେଲେ ଆମର ପ୍ରିୟ ନେତାଜୀ ।
ସେ ଭାରତୀୟ ସୈନ୍ୟବାହିନୀ ନେଇ ଅଲଗା ସଂଗଠନ ଗଢ଼ିଲେ । ଜାପାନ ସଙ୍ଗେ ସର୍ତ୍ତରଖି ଲଢ଼ିଲେ ବ୍ରିଟିଶ ବିରୁଦ୍ଧରେ ।
ଏହାପରେ ନେତାଜୀ ସିଙ୍ଗାପୁର ଯାଇ ସେଠି ଅସ୍ଥାୟୀ ସ୍ୱାଧୀନ ଭାରତ ସରକାର ଗଠନ କଲେ । ଯୁଦ୍ଧବନ୍ଧୀ ଭାରତୀୟମାନଙ୍କୁ ଏକାଠି କରି ଭାରତୀୟ ଜାତୀୟ ସେନା ବାହିନୀ ଗଠନକଲେ । ଯାହାର ନାମ ଥିଲା ଆଜାଦ୍ ହିନ୍ଦୁ ଫୌଜ । ଏହିବାହିନୀରେ ଉଭୟ ପୁରୁଷ ଓ ମହିଳା ସୈନ୍ୟଥିôଲେ । କର୍ଣ୍ଣେଲ ଲକ୍ଷ୍ମୀ ମହିଳା ବିଭାଗର ମୁଖ୍ୟ ଥିଲେ । ୧୯୪୨ ମସିହା ଜୁଲାଇ ମାସରେ ଏହି ସୈନ୍ୟବାହିନୀ ଗଢ଼ାଯାଇଥିଲା । ସେଦିନ ଆଜାଦ୍ ହିନ୍ଦ୍ ଫୌଜକୁ ନେତାଜୀ ଭାଷଣ ଦେଇ କହିଥିଲେ – ‘ ତୁମେ ରକ୍ତ ଦେଇ ଭାରତର ସ୍ୱାଧୀନତା ଆଣିବ । ଭାରତ ସ୍ୱାଧୀନ ହେଲେ, ତୁମ୍ଭେମାନେ ନୂତନ ସୈନ୍ୟବାହିନୀ ଗଢ଼ିବ ।…. । ଯେମିତି ଆମ ଦେଶ ଆଉ କେବେହେଲେ ପରାଧୀନ ହେବ ନାହିଁ । … ମୁଁ ତୁମକୁ ଜବାବ୍ ଦେଉଛି, ଦୁଃଖ, ସୁଖ ସବୁବେଳେ ମୁଁ ତୁମ ସଙ୍ଗରେ ରହିଥିବି । ଜୀବନ ଓ ମରଣ ସବୁବେଳେ ତୁମଯଦି ମୋ ସାଙ୍ଗରେ ରହିଥିବ, ମୁଁ ତୁମକୁ ବିଜୟ ପଥରେ ନେଇଯିବି । ତୁମ ଯୁଦ୍ଧ ଡାକରା ହେଉ : ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ ।
ଜାପାନ ଆତ୍ମ ସମର୍ପଣ ପରେ ଆଜାଦ୍ – ହିନ୍ଦ୍ -ଫୌଜ ଇମ୍ଫାଲଠାରୁ ଫେରାଇ ନିଆଗଲା । ତଥାପି ସେ ଆଶାବାଦୀ ଥିଲେ । ସେତେବେଳେ ସେ ତାଙ୍କ ସୈନ୍ୟମାନଙ୍କୁ କହିଥିଲେ : ତୁମର ତ୍ୟାଗ, କଦାପି ଦେଶବାସୀ ଭୁଲିଯିବେ ନାହିଁ । ଏହିଭଳି ତ୍ୟାଗ ଫଳରେ ଆମ ଦେଶ ସ୍ୱାଧୀନ ହେବ । ଆଗାମୀ ଦିନରେ ଭାରତବାସୀ ସ୍ୱାଧୀନ ମନୁଷ୍ୟ ହୋଇ ଜନ୍ମ ହେବେ । ଦାସ ହୋଇ ଜନ୍ମ ହେବେ ନାହିଁ । … । ଆମ ଦେଶ କେବେ ହେଲେ ପରାଧୀନ ହୋଇ ରହିବ ନାହିଁ । ସାମୟିକ ଭାବେ ହୁଏତ ବିଫଳ ହୋଇଛୁ ।
୧୯୪୫ ମସିହା ଅଗଷ୍ଟ ୧୫ ତାରିଖ ଘଟଣା । ସେଦିନ ଗୋଟିଏ ଜାପାନୀ ଉଡ଼ାଜାହାଜରେ ସେ ଟୋକିଓକୁ ଯାଉଥିଲେ । ସଂଗରେ ଥିଲେ ବିଶ୍ୱସ୍ତ ବନ୍ଧୁ ହର୍ବବୁର ରହମାନ । ତାଙ୍କ ମତରେ ତାଇହୋକ୍ ବୋଲି ବାଟରେ ଗୋଟିଏ ଉଡ଼ାଜାହାଜ ଘାଟିରେ ଜାହାଜଟି ଉପରକୁ ଉଠିଲାବେଳେ ଜାହାଜ୍ରେ ନିଆ ଲାଗିଗଲା । ତାଙ୍କ ଦେହ ପୋଡ଼ିଗଲା । ତାଙ୍କୁ ଗୋଟିଏ ଡାକ୍ତରଖାନାକୁ ନିଆଗଲା । ସେଠାରେ ୧୯୪୫ ମସିହା ଅଗଷ୍ଟ ୨୩ ତାରିଖ ଦିନ ମୃତ୍ୟୁ ଘଟିଲା । ତଥାପି ତାଙ୍କ ମୃତ୍ୟୁକୁ ନେଇ ନାନା ବିଶ୍ୱାସ ଓ ଅବିଶ୍ୱାସ । ଅନେକ କୁହନ୍ତି ସେ ଏବେ ବଂଚିଛନ୍ତି । ଏବେ ପଶ୍ଚିମବଙ୍ଗ ସରକାର ତାଙ୍କ ତରଫରୁ ନେତାଜୀ ସମ୍ପର୍କୀତ ୬୪ଟି ନଥି ଲୋକାର୍ପଣ କରିଛନ୍ତି । କେନ୍ଦ୍ର ସରକାର ତାଙ୍କ ପାଖରେ ଥିବା ନଥିମଧ୍ୟ ପ୍ରକାଶ କରିବେ ବୋଲି ଘୋଷଣା କରିଛନ୍ତି । ଆଗରୁ ଏନେଇ ଦୁଇ ଦୁଇଟା କମିଶନ ବସିସାରିଛି । କିଛି ଶେଷ ସିଦ୍ଧାନ୍ତ ମିଳିନାହିଁ । ଏବେ ପୁଣି ଅପେକ୍ଷା ଅଛି ।
ଏହି ମହାପୁରୁଷଙ୍କର ୧୮୯୭ ମସିହା ଜାନୁୟାରୀ ୨୩ରେ କଟକରେ ଓଡ଼ିଆ ବଜାରରେ ଜନ୍ମ ହୋଇଥିଲା । ଏଇଠି ସେ ଷୋଳବର୍ଷ କଟାଇଥିଲେ । ସେ ତାଙ୍କର ବାଲ୍ୟ ଶିକ୍ଷା କଟକ ସହରରେ ପ୍ରୋଟେଷ୍ଟାଣ୍ଟ ୟୁରୋପିୟ ଏବଂ କଲେଜିଏଟ୍ ବିଦ୍ୟାଳୟରେ ସମାହିତ ହୋଇଥିଲା । ଏହାପରେ ସ୍କଟିସ୍ ବିଶ୍ୱବିଦ୍ୟାଳୟ । ସେଠୁ ସେ ଆଇ.ସି.ଏସ୍. ତାଲିମ ପାଇଁ ଇଂଲଣ୍ଡ ଯାଇଥିଲେ ଏବଂ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ଏହା ସର୍ବୋଚ୍ଚ କ୍ଷମତାପ୍ରାପ୍ତ ଏକ ବହୁଅର୍ଥକାରୀ ଚାକିରୀ ମାତ୍ର ସେ ବିବେକାନନ୍ଦଙ୍କ ବାଣୀରୁ ରୋଗୀ, ଗରିବ, ପଡ଼ିତଙ୍କ ସେବାପାଇଁ ଓ ଅରବିନ୍ଦଙ୍କ ପ୍ରୋତ୍ସାହନ ବାଣୀରୁ ଦେଶର ସ୍ୱାଧୀନତା ପାଇଁ ପ୍ରତିଶ୍ରୁତି ବଦ୍ଧତା ହେତୁ, ସେ ଚାକିରି ଛାଡ଼ିଦେଲେ । ଏହାପରେ ସେ ୧୯୨୧ ମସିହାରୁ ଗାନ୍ଧିଙ୍କ ସହ କଂଗ୍ରେସରେ ସାମିଲ ହେଲେ ।
ସୁଭାଷ ବୋଷ ନବମ ଶ୍ରେଣୀରୁ ବସନ୍ତ ଏବଂ ହଇଜା ପ୍ରପୀଡ଼ିତ ରୋଗୀମାନଙ୍କର ବହୁ ସେବା କରିଛନ୍ତି ଏବଂ ବିଭିନ୍ନ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଖାଲି ସେତିକି ନୁହେଁ ବହୁ ଦୁଃଶାହସିକ କାର୍ଯ୍ୟରେ ହାତ ମଧ୍ୟ ଦେଇଛନ୍ତି । ଏଥିରୁ ତୁଳସୀ ଦୁଇପତ୍ରରୁ ବାସିଲାପରି ଜଣାପଡ଼ୁଥିଲା ଯେ ଭବିଷ୍ୟତରେ ସେ ଜଣେ ମହାପୁରୁଷ ହେବେ ।
ସୁଭାଷ ବୋଷ ଆଜି ନାହାଁନ୍ତି । ତାଙ୍କ କଳ୍ପିତ ଭାରତ ଆଜି ସ୍ୱାଧୀନ ହୋଇଥିଲେ ହେଁ, ଭାରତୀୟମାନଙ୍କ ହାତରେ ଏହା ଏବେବି ପରାଧୀନ । ତାଙ୍କର ଆଦର୍ଶ : ମାନବ ସେବାହିଁ ଈଶ୍ୱରଙ୍କ ସେବା, ଆଜି କେବଳ ବାଣୀ ହୋଇ ରହିଛି । ତାଙ୍କ ନେଇ ବହୁ ଭାଷଣବାଜି ଚାଲିଛି; ବହୁ ଜୟଜୟ କାରରେ ସ୍ଲୋଗାନ ଦିଆଯାଉଛି ଅଥଚ ତାଙ୍କ ଆଦର୍ଶରେ କାର୍ଯ୍ୟତଃ ଆମେ କେହି ନାହୁଁ । ଏହାହିଁ ଦୁଃଖ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


