ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ଆମ ସାଂବିଧାନିକ ବ୍ୟବସ୍ଥା
ବିପିନ ବିହାରୀ ମହାନ୍ତି
ବିଶ୍ୱ ସ୍ତରରେ ନାରୀମାନଙ୍କର ଉନ୍ନତି ଓ ସୁରକ୍ଷା କଳ୍ପେ ନାନାବିଧ ଆଇନ ପ୍ରଣୀତ ଏବଂ କାର୍ଯ୍ୟକାରୀ ହେଉଅଛି । ସେମାନେ କିପରି ପୁରୁଷ ପରି ବିଭିନ୍ନ କ୍ଷେତ୍ରରେ ସମାନ ଅଧିକାର ସାବ୍ୟସ୍ତ କରି, ବଂଚିଲାପରି ବଂଚିପାରିବେ, ତାହା ଉପରେ ବିଭିନ୍ନ ରାଷ୍ଟ୍ରମାନେ ଗୁରୁତ୍ୱ ଦେଲେଣି । ମିଳିତ ଜାତିସଂଘ ସନନ୍ଦର ପ୍ରଥମ ଧାରାନୁଯାୟୀ ‘ଜାତି, ଲିଙ୍ଗ, ଭାଷା ଏବଂ ଧର୍ମ ନିର୍ବିଶେଷରେ ସମସ୍ତ ମନୁଷ୍ୟର ମାନବାଧିକାର ଏବଂ ମୌଳିକ ସ୍ୱାଧୀନତାର ଉନ୍ନତି ପାଇଁ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ସହଯୋଗ ଆଶା କରନ୍ତି’ । ଖାଲି ସେତିକି ନୁହେଁ ୧୯୬୭ରେ ମହିଳା ମାନଙ୍କ ପାଇଁ ପ୍ରଭେଦ ଦୂରୀକରଣ ଉପରେ ଏକ ଘୋଷଣା ନାମା କରାଗଲା ଯାହାକି ୧୯୮୧ ରେ ‘ନାରୀ ଅଧିକାର ବିଲ’ ରୂପେ କାର୍ଯ୍ୟକାରୀ ହେଲା । ଏହି ବିଲ ଅନୁଯାୟୀ ସ୍ତ୍ରୀ ଲୋକଙ୍କ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟର ଯତ୍ନ, ଅର୍ଥନୈତିକ ଓ ସାମାଜିକ ଜୀବନ, ଆଇନଗତ ସମାନତା, ବୈବାହିକ ତଥା ପାରିବାରିକ ସଂପର୍କ ଏବଂ ଗ୍ରାମୀଣ ସ୍ତ୍ରୀ ଲୋକଙ୍କ ପାଇଁ ଚିନ୍ତାକରାଯାଇଛି । ଏହାର ଅନୁଧ୍ୟାନ କରିବା ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ରଖା ଯାଇଛି । ଏହାକୁ ଆଧାର କରି ଆମ ଭାରତ ୧୯୯୦ ମସିହାରେ ଦିଲ୍ଲୀଠାରେ ଏକ ମହିଳା ଅୟୋଗ ଗଠନ କଲା ।
ଭାରତୀୟ ସଂବିଧାନରେ ନାରୀମାନଙ୍କ ଉନ୍ନତି କଳ୍ପେ ନାନା ଉଦାରତା ଅବଲମ୍ବନ କରାଯାଇଛି । ଆମ ସମ୍ବିଧାନର ଧାରା ୧୪ଟି ସଂପୂର୍ଣ୍ଣ ରୂପେ ମିଳିତ ଜାତିସଂଘର ସନନ୍ଦ ଏକର ପ୍ରତିଫଳନ ଅଟେ । ସଂବିଧାନର ମୌଳିକ ଅଧିକାର ଜନୀତ ଅଧିକାର ଅନୁଛେଦରେ ଥିବା ଏହି ଧାରା ୧୪ ଅନୁଯାୟୀ ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ଆଇନ ସମସ୍ତଙ୍କୁ ସମାନ ସୁରକ୍ଷା ପ୍ରଦାନ କରିବ । ଏହା ଅର୍ଥ ଏହି ଯେ ଜାତି, ଧର୍ମ, ଲିଙ୍ଗ, ଭାଷା ଓ ବର୍ଣ୍ଣର ଉର୍ଦ୍ଧ୍ୱରେ ଆଇନ ଆଗରେ ସମସ୍ତେ ସମାନ ଏବଂ ଆଇନ ସେମାନଙ୍କୁ ସୁରକ୍ଷା ଦେବ ଯେଉଁଥିରେ କି ନାରୀ ଅର୍ନ୍ତଭୁକ୍ତ । ସଂବିଧାନରେ ଧାରା ୧୫(୩) ଅନୁସାରେ ରାଷ୍ଟ୍ର ମହିଳାମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବ । ଏହି ଧାରାକୁ ଆଧାର କରି ଭାରତର ପ୍ରଚଳିତ ସମସ୍ତ ମହିଳା ସୁରକ୍ଷା ଆଇନ ଗୁଡିକ ଜନ୍ମ ହୋଇଛି । ସେହିପରି ସମ୍ବିଧାନର ଧାରା-୧୨ ରାଷ୍ଟ୍ରର ପ୍ରତ୍ୟେକ ନାଗରିକକୁ ମତବ୍ୟକ୍ତ କରିବାର ଅଧିକାର ଦେଇଛି । ଏହି ଆଇନରେ ବଂଚିବାର ଅଧିକାର କହିଲେ ଆଇନତଃ ସମ୍ମାନର ସହ ଜୀବନ ବଂଚିବା ଏବଂ ହିଂସାମୁକ୍ତ ଜୀବନ ଧାରଣକୁ ବୁଝାଏ ଅର୍ଥାତ୍ ନାରୀର ବି ହିଂସାମୁକ୍ତ ଜୀବନ ବଂଚିବାର ଅଧିକାର ଅଛି ।
ରାଷ୍ଟ୍ର ନିର୍ଦ୍ଦେଶିକା ନୀତି ଅନୁଛେଦରେ ଥିବା ସମ୍ବିଧାନ ଧାରା-୨୯ ଅନୁସାରେ ରାଷ୍ଟ୍ର ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କୁ ଜୀବନଧାରଣର ଉପଯୁକ୍ତ ଉପାଦାନ ଯୋଗାଇବ, ଉଭୟ ପୁରୁଷ ଏବଂ ମହିଳା ସମାନ କାର୍ଯ୍ୟ ଲାଗି ସମାନ ପାରିଶ୍ରମିକର ବ୍ୟବସ୍ଥା କରିବ ଏବଂ ଯଥାଯଥ ଓ ମାନବୀୟ ପରିବେଶରେ କାର୍ଯ୍ୟ କରାଇ ସୁନିଶ୍ଚିତ କରିବ ତଥା ମହିଳା ମାନଙ୍କୁ ସନ୍ତାନ ଜନ୍ମର ରିହାତି ପ୍ରଦାନ କରିବ ଅର୍ଥାତ୍ ପ୍ରସବ , ପ୍ରସୂତି , ମା’ ଓ ଶିଶୁର ଯତ୍ନ ତଥା କର୍ମଜୀବୀ ମହିଳା ଥିଲେ ଦରମା ସହ ପ୍ରସବକାଳୀନ ଛୁଟିର ବ୍ୟବସ୍ଥା କରିବା ଇତ୍ୟାଦିକୁ ବୁଝାଏ ।
ଆନ୍ତର୍ଜାତିକ ସ୍ତରରେ ଅନ୍ୟଦେଶମାନେ ନାରୀମାନଙ୍କୁ ଯେତିକି ସୁବିଧା, ସୁଯୋଗ ଓ ଅଧିକାର ଦେଇଛନ୍ତି, ତା’ ତୁଳନାରେ ଭାରତର ସଂବିଧାନ ସେମାନଙ୍କୁ ପ୍ରଚୁର ଅଧିକାର ଏବଂ ସୁଯୋଗ ଦେଇଛି, ଏହା ସତ୍ୟ । ମହିଳାମାନଙ୍କୁ ନେଇ ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସ୍ୱରୂପ ଯୌତୁକ ନିରୋଧ ଆଇନ, ଭୃଣହତ୍ୟା ନିଷେଧ ଆଇନ, ପିତାମାତାଙ୍କ ସଂପତ୍ତିରେ ସମାନ ଅଧିକାର ଆଇନ ଏବଂ ସେମାନଙ୍କ ପ୍ରତି ହିଂସା ଓ ଅସଦାଚରଣ ପାଇଁ କଠୋର ଦଣ୍ଡ ବିଧି ଆଇନ ଅଛି ।
ଆଇନର ବହୁତ କଥା ଅଛି । ଦୁଃଖ ଯେ ଆଇନ ତା’ ରାସ୍ତାରେ ଅଛି । ଆମେ ପୂର୍ବଗତ ଆମ ବାଟରେ ଅଛୁ । ଯେ ଯାଏଁ ଆମ୍ଭମାନଙ୍କର ରୁଗ୍ଣ ମାନସିକତା ସେମାନଙ୍କ ପ୍ରତି ଦୂର ହୋଇନାହିଁ, ସେମାନଙ୍କୁ ଦିଆଯାଇଥିବା ସକଳ ଅଧିକାର କେବଳ କାଗଜ କଲମରେ ରହିଯିବ ।
ଭାରତର ଜଳବାୟୁରେ ବୈବାହିକ ସଂପର୍କର ଯୌତୁକ ଏକ ମହାମାରୀ ସଦୃଶ । ଆମ ଦେଶରେ ଘଟୁଥିବା ମହିଳା ମୃତ୍ୟୁ ସଂଖ୍ରାର ୨୬.୪ ଶତକଡା ମହିଳା ମାନଙ୍କର ଯୌତୁକ ଜନିତ କାରଣରୁ ଘଟୁଛି ବୋଲି ଅନୁଧ୍ୟାନରୁ ଜଣାପଡେ । ୨୦୦୧ ଜନଗଣନା ତୁଳନାରେ ୨୦୧୧ ଜନଗଣାନାରେ ଏହା ୨୫.୮% ବୃଦ୍ଧି ପାଇଛି । ଦେଖାଯାଇଛି ଯେ ଗ୍ରାମାଂଚଳ ଅପେକ୍ଷା ଭାରତର ବଡବଡ ସହର ବା ନଗରରେ ଯୌତୁକ ଜନିତ ମୃତ୍ୟୁ ମାମଲା ସର୍ବାଧିକ ।
ନାରୀମାନଙ୍କ ପ୍ରତି ହିଂସାଚରଣ ମଧ୍ୟ କମ୍ ନୁହେଁ । ପ୍ରତିଟି କ୍ଷେତ୍ରରେ ନାରୀମାନେ ନିର୍ଯ୍ୟାତିତ ଏବଂ ହିଂସାର ଶିକାର ହୁଅନ୍ତି । ୨୦୦୭ ଠାରୁ ୨୦୧୧ ମଧ୍ୟରେ ଅନୁଧ୍ୟାନରୁ ଜଣାପଡିଛି ଯେ ଏହି ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଦୃଷ୍ଟାନ୍ତ ସ୍ୱରୂପ ୨୦୦୭ ରେ ଥିବା ଏହି ସଂଖ୍ୟା ୯୩୯ଥିବା ବେଳେ ୨୦୧୧ ବେଳକୁ ଏହା ବୃଦ୍ଧି ପାଇଁ ୨୦୧୨ରେ ପହଂଚିଛି ।
ଭିନ୍ନ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଆମ ଦେଶରେ ନାରୀ ଅପହରଣ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ୨୦୦୧ ମସିହା ତୁଳନାରେ ବର୍ତ୍ତମାନ ଏହା ତିନି ଗୁଣରେ ପହଂଚିଛି । ବିଭାଘର , ଚାକିରି କିମ୍ବା ସେମିତି କିଛି ପ୍ରଲୋଭନ ଦେଖାଇ ଗ୍ରାମାଂଚଳ ଯୁବତୀ ମାନଙ୍କୁ ବାହାର ଦେଶକୁ ଚାଲଣ କରାଯାଉଛି । ଅନୈତିକ କାର୍ଯ୍ୟରେ ଲଗାଯାଉଛି କିମ୍ବା କେଉଁଠି ଧର୍ଷଣ କରାଯାଉଛି ଅଥବା ଧର୍ଷଣ ପରେ ହତ୍ୟା କରାଯାଉଛି । ବଳାତ୍କାର କଥା ଏମିତିରେ କହିଲେ ନସରେ । ଆମେ ଯଦି କେବଳ ଆମ ଓଡିଶା କଥା ବିଚାରକୁ ନେଉ, ଦେଖୁ ଯେ ଏହା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ରେ ଥିବା ଏହି ସଂଖ୍ୟା ୧୦୨୫ ଥିବା ବେଳେ, ୨୦୧୧ବେଳକୁ ଏହା ୧୧୧୨ରେ ପହଂଚି ଏବେ ୧୨୦୦ଟପିଲାଣି ।
ସବୁଠୁ ବଳାଏ ଗର୍ଭପାତ ବିଶେଷ କରି ଶିଶୁ କନ୍ୟାଭୃଣ ହତ୍ୟା କଥା । ଆମେ ଭୁଲିଯାଉଛୁ ଯେ ପୁରୁଷ ଏବଂ ନାରୀମାନଙ୍କର ସମାନୁପାତିକ ସନ୍ତୁଳନ ନରହିଲେ, ଭାରତରେ ଗୁରୁତର ସାମାଜିକ ସଂକଟ ଦେଖାଯିବ । ଏଥିପାଇଁ ଶତକଡା ୨୫ଭାଗ ଯୁବକଙ୍କ ପାଇଁ ପ୍ରାତ୍ରୀ ମିଳିନପାରେ । ୨୦୧୧ ଜନଗଣନା ଅନୁସାରେ ପ୍ରତି ୧୦୦୦ର ପୁରୁଷରେ ମହିଳାଙ୍କ ସଂଖ୍ୟା ୯୪୦ । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ଦିଲ୍ଲୀରେ ଏହି ସଂଖ୍ୟା ୧୦୦୦ପୁରଷଙ୍କ ପାଇଁ ମହିଳାଙ୍କ ସଂଖ୍ୟା ୮୨୧ । ଭାରତରେ ଜନ୍ମ ଲାଭ କରୁଥିବା ୧୨ନିୟୁୂତ ଶିଶୁ କନ୍ୟାଙ୍କ ମଧ୍ୟରୁ ସେମାନଙ୍କୁ ପାଳନ କରିବା ପୂର୍ବରୁ ଏକ ନିୟୁତ ଶିଶୁଙ୍କର ମୃତ୍ୟୁ ଘଟିଥାଏ । ଚିନ୍ତିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏକକୋଟି କନ୍ୟା ଭୃଣ ହତ୍ୟା ବେଆଇନ ଭାବେ କରାଯାଇଛି । ଯଦି ବିଶ୍ୱରେ ଏହିପରି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଅସାମଜଂଶ୍ୟ ଲାଗି ରହେ, ତେବେ ଅନେକ ରାଷ୍ଟ୍ରରେ ମହିଳାମାନଙ୍କ ସ୍ଥିତି ବହୁତ ଦୟନୀୟ ଅବସ୍ଥାରେ ପହଂଚିଯିବ ।
ନିର୍ଯ୍ୟାତନର ଦିଗ ବହୁମୁଖୀ । ଏହା ରାଜନୈତିକ , ସାମାଜିକ, କର୍ମକ୍ଷେତ୍୍ରଜନିତ ଅଥବା ପାରିବାରିକ ହୋଇପାରେ । ଏହା ମଧ୍ୟ ସାମାଜିକ, ଅର୍ଥନୈତିକ କିମ୍ବା ଅନୈତିକ ସଂପର୍କକୁ ନେଇ ହୋଇପାରେ ।
ଦେଖାଯାଇଛି ବିଶ୍ୱରେ ନାରୀମାନଙ୍କ ପାଇଁ ଅସୁରକ୍ଷିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ୪ର୍ଥ ସ୍ଥାନରେ ଅଛି ଯଦିଓ ଭାରତ ସରକାର ଯେକୌଣସି ରାଷ୍ଟ୍ରଠାରୁ ମହିଳାମାନଙ୍କ ପାଇଁ ଅଧିକ ସାମାଜିକ ଏବଂ ଅନ୍ୟାନ୍ୟ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ରଖିଛନ୍ତି । ଅବଶ୍ୟ ଏକଥା ମାନୁଛୁ ଯେ ଭାରତର ନାରୀ ମାନେ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅଧିକ ଶିକ୍ଷିତ କିନ୍ତୁ ଚାକିରି କ୍ଷେତ୍ରରେ ସେମାନେ ଢ଼େର ପଛୁଆ । ଏଯାବତ୍ ଆମେ ଆମ ଦେଶରେ ମାତୃ ମୃତ୍ୟୁହାରର ଲକ୍ଷ ହାସଲ କରିପାରୁ ନାହୁଁ । ସେମାନଙ୍କର ପୃଷ୍ଟିହୀନତା, ରକ୍ତହୀନତା ଆଦି ରୋଗ ପୁରୁଷ ମାନଙ୍କ ତୁଳନାରେ ଅଧିକ ପରିଲିକ୍ଷିତ ହୁଏ । ଏହା ସ୍ୱୀକାର୍ଯ୍ୟ ଯେ ଅନ୍ୟ ଯେ କୌଣସି ରାଷ୍ଟ୍ର ତୁଳନାରେ ଭାରତୀୟ ସଭ୍ୟତାରେ ନାରୀଙ୍କ ସ୍ଥାନ ସର୍ବଦା ଉଚ୍ଚରେ । ଭାରତୀୟ ସମ୍ବିଧାନରେ ପୁରୁଷ ମହିଳା ମାନଙ୍କୁ ପ୍ରଥମରୁ ସମାନ ଅଧିକାର ପ୍ରଦାନ କରାଯାଇଛି ଏବଂ ଭାରତରେ ନାରୀ ସୁରକ୍ଷା ଲାଗି ବିଶ୍ୱର ଯେ କୌଣସି ରାଷ୍ଟ୍ରଠାରୁ ଅଧିକ ଆଇନ ବ୍ୟବସ୍ଥା ଅଛି । ତଥାପି ଭାରତୀୟ ମହିଳାଙ୍କର ସାଂପ୍ରତିକ ସ୍ଥିତି ସନ୍ତୋଷ ଜନକ ନୁହେଁ । ଆମେ ସେମାନଙ୍କୁ ଦେଇଥିବା ସମସ୍ତ ସାଂବିଧାନିକ ସୁବିଧା ଏବଂ ସହାୟକ ଆଇନ କାନୁନ୍ ମାନେର କିଛି ନାହିଁ ବୋଲି ଉପଲବ୍ଧି କରୁଅଛୁ କାରଣ ଏବେ ମଧ୍ୟ ଭାରତୀୟ ନାରୀ ଅସୁରକ୍ଷିତ । ବିଶ୍ୱର ୨୦ଟି ରାଷ୍ଟ୍ରରେ ବିସିସି ରୟଟର ଫାଉଣ୍ଡେସନ୍ ତରଫରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ନାରୀମାନେ ଅସୁରକ୍ଷିତ ରହୁଥିବା ରାଷ୍ଟ୍ରମାନଙ୍କ ଭିତରେ ଭାରତର ସ୍ଥାନ ରହିଛି । ଏହା ସୂଚିତ କରାଏ ଯେ ଭାରତୀୟ ନାରୀମାନଙ୍କର ସାମାଜିକ ପ୍ରଗତି ସତ୍ୱେ ସୁରକ୍ଷା ଦିଗରେ ବହୁ ପଛରେ ପଡ଼ିଛି । ଏହା ଆମ ପ୍ରଗତିପଥରେ ନିଶ୍ଚିତ ଭାବେ ଅନ୍ତରାୟ ସୃଷ୍ଟି କରିଛି । ଏହି କାରଣରୁ ଦିଲ୍ଲୀର ଦାମିନି ଗଣବଳାତ୍କାରର ଶୀକାର ହୋଇଛନ୍ତି ଏବଂ ମୃତ୍ୟୁ ବରଣ କରିଛନ୍ତି, ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ପ୍ରତି ଉପରସ୍ତ କର୍ମଚାରୀଙ୍କ କାରଣରୁ ମୃତ୍ୟୁ ତଥା ଆଇନମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷାଙ୍କ ପ୍ରତି ଯୌତୁକ ଜନିତ ଯନ୍ତ୍ରଣାକୁ ବିଚାରକୁ ନେଇ ଆମେ ସେଠି ନିଶ୍ଚିତ ଭାବରେ କହିବୁ ଯେ ଦେଶରେ ସଂବିଧାନ ଏବଂ ଆଇନ ବୋଲି କିଛି ନାହିଁ । କାରଣ ନାରୀମାନଙ୍କ ନିରାପତ୍ତା ନେଇ ଯେତେ ବାଡ ଦେଉଛୁ , ବତା ଟାଣୁଛୁ, ଦେଖୁଛୁ ସେଠି ବାଡ କ୍ଷେତ ଖାଉଛି । ଏକଥା ଭାବିଲା ବେଳେ ଆମର ଏକଦା ଗାନ୍ଧି କହିଥିବା କଥା ମନେ ପଡେ: ଯେତେବେଳେ ସ୍ୱାଧୀନ ଭାରତରେ ମହିଳାମାନେ ରାତିଅଧରେ ନିର୍ଭୟରେ ବିଚରଣ କରିପାରିବେ, ସେତେବେଳେ ରାମରାଜ୍ୟ ଆସିଗଲା ବୋଲିତ ଆମେ ଜାଣିବା । ବୋଧ୍ ହୁଏ ଗାନ୍ଧିଙ୍କର ଏ ରାମ ରାଜ୍ୟର ସ୍ୱପ୍ନ ସେମିତି ଅଧୁରା ରହିଯିବ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


