ଜିଲ୍ଲାସ୍ତରୀୟ ଶହୀଦ ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) :ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସର ସ୍ମୃତି ତଥା ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ଜୀବନ ଉତ୍ସର୍ଗୀକୃତ କରିଥିବା ଅମର ଆତ୍ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଏହି ନୀରବ ପ୍ରାର୍ଥନାରେ ଯୋଗ ଦେଇଥିଲେ I ପ୍ରକାଶ ଥାଉ କି, ସମଗ୍ର ଦେଶରେ ଏକ ସମୟରେ ପାଳିତ ହେଉଥିବା ଏହି ନୀରବ ପ୍ରାର୍ଥନାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦିଆଯିବା ପରେ ଘ.୧୦.୫୯ ମି ରୁ ୧୧ ଘଟିକା ପର୍ଯ୍ୟନ୍ତ ସାଇରନ ବଜା ଯାଇଥିଲା ଓ ତତ୍ପରେ ଘ. ୧୧.୦୦ ମି ରୁ ଘ.୧୧.୦୨ ମି ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରାଯାଇ ଘ.୧୧.୦୨ ମି ରୁ ଘ. ୧୧.୦୩ ମି ପର୍ଯ୍ୟନ୍ତ ସାଇରନ ବଜାଯାଇ ଏହି କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା


