ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ପୁରୀ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ମେଳା ଚନ୍ଦ୍ରଭାଗା ପ୍ରସିଦ୍ଧ ମାଘସପ୍ତମୀ ବୁଡ ନିମନ୍ତେ ପ୍ରଥମ ସମନ୍ଵୟ କମିଟି ବୈଠକ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ସ୍ଥିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ଆସନ୍ତା ୧୫ ତାରିଖ ମାଘ ଷଷ୍ଠୀ ଓ ୧୬ତାରିଖ ମାଘସପ୍ତମୀ ବୁଡକୁ ସରସ ସୁନ୍ଦର କରିବା ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁରକ୍ଷା ସୁରକ୍ଷିତ ସ୍ନାନ ଉପରେ ପୁରୀ ଜିଲ୍ଲାର ନୂତନ ଜିଲ୍ଲାପାଳ ବିଜୟ କୁମାର ଦାଶ ଗୁରୁତ୍ବାରୋପ କରିଛନ୍ତି। ଏହି ବୈଠକରେ ମାଧିପୁର ଗ୍ରାମର ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଐଶାଣେଶ୍ଵର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ମହାଦେବଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା, ଅଧିକାରୀ ମାନଙ୍କୁ ଦାୟିତ୍ବ ବଣ୍ଟନ ଠାକୁର ମାନଙ୍କ ଦେବ ନୀତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ଚନ୍ଦ୍ରଭାଗା ମେଳା ପଡିଆ, ରାମଚଣ୍ଡୀ ପୀଠ, କୋଣାର୍କ ବସଷ୍ଟାଣ୍ଡ ଠାରେ ଅସ୍ଥାୟୀ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯିବା ସହ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୨୪ଘଣ୍ଟିଆ ସ୍ବାସ୍ଥ୍ୟ ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ଊପରେ ଆଲୋଚନା କରାଯାଇଥିଲା। ଏହି ପ୍ରସିଦ୍ଧ ମାଘସପ୍ତମୀ ବୁଡ ନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁରକ୍ଷା ଓ ସୁରକ୍ଷିତ ସ୍ନାନ ଦୃଷ୍ଟିରୁ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ମେଳା ପଡିଆ, କୋଣାର୍କ ଏନଏସି ଠାରୁ ଚନ୍ଦ୍ରଭାଗା ରାସ୍ତାର ଉଭୟ ପାର୍ଶ୍ଵ ସଫେଇ ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଜଳ ବିଶୋଧନ, ମେଳା ପଡିଆରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅସ୍ଥାୟୀ ନଳକୂପ ଖନନ, ପାନୀୟ ଜଳଯୋଗାଣ, ଅସ୍ଥାୟୀ ପାଇଖାନା ନିର୍ମାଣ, ମେଳା ପଡିଆ ଓ ସଂଲଗ୍ନ ଅଂଚଳରେ ଆଲୋକୀକରଣ, ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ ଆରମ୍ଭ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଚନ୍ଦ୍ରଭାଗା ମେଳା ପଡିଆ ଓ ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵରେ ପୂର୍ତ୍ତବିଭାଗ ପକ୍ଷରୁ ବ୍ଯାରିକେଡ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ୩ଦିନ ମଧ୍ୟରେ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୀତି ନିର୍ଦ୍ଧାରଣ ସମ୍ପାଦନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ତିନିଠାକୁରଙ୍କ ସ୍ନାନ ଓ ଦେବ ନୀତି ନିର୍ଦ୍ଧାରଣ କରିବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୁମ୍ଭ ମେଳା ପରି ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚାରିପଟେ ଗୈରୀକ ପତାକା ଉଡାଇବା ପାଇଁ ପୁରୀ ଜିଲ୍ଲାପାଳ କୋଣାର୍କ ଏନଏସି କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରଥମ ସମନ୍ଵୟ କମିଟି ବୈଠକରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ( ପ୍ରୋଟୋକଲ) ଶରତ ଚନ୍ଦ୍ର ମହାପାତ୍ର, ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଡ୍ରେନେଜ ବିଭାଗ ଅଧିକ୍ଷକ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଗୋପ ତହସିଲଦାର ରଞ୍ଜନ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ