ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁ
ଦଶରଥ ହେମ୍ବ୍ରମ୍
ଭାରତରେ ସାନ୍ତାଳୀ ଭାଷା ଏବଂ ସାନ୍ତାଳ ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଅନେକ ସମୟ ଧରି ବିଭିନ୍ନ ସ୍ଥାନରେ ଦେଶ ସ୍ୱାଧୀନତା ପୂର୍ବରୁ କିମ୍ବା ପରେ ସାନ୍ତାଳ ଆନ୍ଦୋଳନର ଦୃଶ୍ୟ ଇତିହାସ ସାକ୍ଷୀ ରହିଛି । ଜନ୍ମ ମାଟିରେ ବିଦେଶୀ ଶାସନ ହଟେଇ ସ୍ୱ-ଶାସନ ଆଣିବା ପାଇଁ ଅନେକ ସାନ୍ତାଳ ସଂଗ୍ରାମୀ ଇଂରେଜ ବିରୋଧରେ ଲଢେଇ କରି ସେମାନେ ସହିଦ ହୋଇଛନ୍ତି କିନ୍ତୁ କେତେ ଲୋକଙ୍କ ଜୀବନ ଯେ ଚାଲି ଯାଇଛି ତାହା ହିସାବ-କିତାବ ନାହିଁ । ସାନ୍ତାଳୀ ଭାଷାକୁ ସୁରକ୍ଷା ଦେବା ପାଇଁ ଅନେକ ଗୁରୁ ଏବଂ ଭାଷାପ୍ରେମୀ ସାନ୍ତାଳ ଜାତିରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସାନ୍ତାଳୀ ଲିପି ନଥିବାରୁ ସେମାନେ କୌଣସି ପୁସ୍ତକ ଲେଖିବାର ସୁଯୋଗ ହାତଛଡ଼ା କରିଦେଇଥିଲେ । ଇଂରେଜ ଶାସନ ଭାରତରେ ଚାଲିଥିବା ବେଳେ ବିଦେଶୀ ଭାଷାବିତ୍ମାନେ ଭାରତକୁ ଆସି ସାନ୍ତାଳୀ ଭାଷା ଶିଖି ଅନେକ ଗବେଷଣାତ୍ମକ ସାନ୍ତାଳୀ ପୁସ୍ତକ ରୋମାନ ଏବଂ ବଙ୍ଗାଳୀ ଭାଷାରେ ଲେଖି ଯାଇଛନ୍ତି କିନ୍ତୁ ଦେଶରେ ତାହା ଆଦର କଣ ପାଇଁ ପାଇ ପାରି ନଥିଲା, ତାହା ଲୋକମାନେ ହିଁ ସ୍ପଷ୍ଟ କରିପାରିବେ । ସେହି ସମୟରେ ସାନ୍ତାଳୀ ଭାଷାକୁ ରାଷ୍ଟ୍ର ଭାଷାରେ ମାନ୍ୟତା ଦେବାପାଇଁ ବିଧିବଦ୍ଧ ଯୋଜନା ଚାଲିଥଲା କିନ୍ତୁ ଶେଷ ପର୍ଯ୍ୟାୟରେ ତାହା କାହିଁକି ନାକଚ କରାଗଲା, ତାହା କେବଳ ବ୍ରିଟିଶମାନେ ହିଁ ଜାଣିଥିଲେ । ହୁଏତ, ସେହି ସମୟରେ ନେତୃତ୍ୱ ନେଉଥିବା ସାନ୍ତାଳୀ ବୁଦ୍ଧିଜୀବୀମାନେ ଶିକ୍ଷା କ୍ଷେତ୍ରରେ ଏତେ ପରିମାଣରେ ସଚେତନ ନୁହନ୍ତି ବୋଲି ସାନ୍ତାଳୀ ଭାଷା ମାନ୍ୟତା ପାଇବାରୁ ବଞ୍ôଚତ ହେଲା, ଏଥିରେ କୌଣସି ସନ୍ଦେହ ନାହିଁ । ୧୯୪୭ରେ ଦେଶ ସ୍ୱାଧୀନତା ପାଇଲା ପରେ ଭାଷାଭିତ୍ତିରେ ରାଜ୍ୟଗୁଡିକ ସ୍ଥାପିତ ହେବାକୁ ଲାଗିଲା କିନ୍ତୁ ସାନ୍ତାଳମାନଙ୍କୁ ଏଥିରୁ ଉପେକ୍ଷା କରାଗଲା ଏହା ମଧ୍ୟ ସେହି ସମୟରେ ଥିବା ଜ୍ଞାନୀଗୁଣିମାନେ ହିଁ ପ୍ରମାଣ ଦେଇପାରିଥାନ୍ତେ । କିନ୍ତୁ ଏନେଇ ସାନ୍ତାଳ ଲୋକମାନେ ଜାନୁଆରୀ ୧, ୧୯୪୮ ଏବଂ ଫେବୃଆରୀ ୬, ୧୯୪୯ରେ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାରେ ପଛାଇ ନଥିଲେ, ତେବେ ଅନେକ ସାନ୍ତାଳ ସଂଗ୍ରାମୀ ସହିଦ ହେଇଥିବାବେଳେ କିଛି ସଂଗ୍ରାମୀମାନଙ୍କ ବିରୋଧରେ ମିଛ ମୋକଦ୍ଦମା ରୁଜୁ କରି ଆନ୍ଦୋଳନକୁ ସମାପ୍ତ କରି ଦିଆଯିବାର ବହୁତ ବଡ଼ ଷଡ଼ଯନ୍ତ୍ର ରଚି ଦିଆଯାଇଥିଲା । ସାନ୍ତାଳ ଲୋକମାନେ ହାର ନମାନି ସାନ୍ତାଳ ରାଜ୍ୟ ଏବଂ ଭାଷା ପାଇଁ ଆନ୍ଦୋଳନ ଜାରି ରଖିଥିଲେ । ନଭେମ୍ବର ୧୫, ୨୦୦୦ରେ ଝାଡ଼ଖଣ୍ଡ ରାଜ୍ୟ ଗଠିତ ହେଲାପରେ ପରେ ଡିସେମ୍ବର ୨୨, ୨୦୦୩ରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରି ଆନ୍ଦୋଳନର ଅନ୍ତ ଘଟିଥିଲା ସତ, କିନ୍ତୁ ଝାଡ଼ଖଣ୍ଡ ରାଜ୍ୟରେ ସାନ୍ତାଳୀ ଭାଷା ପ୍ରଥମ ରାଜ୍ୟଭାଷା ଭାବେ ଆଜି ପର୍ଯ୍ୟନ୍ତ ସ୍ୱୀକୃତି ପାଇପାରିଲା ନାହିଁ ।ସାନ୍ତାଳୀ ଭାଷାକୁ ଉନ୍ନତ ଏବଂ ସୁରକ୍ଷିତ ରଖିବା ପାଇଁ ୧୯୨୫ରେ ପଣ୍ଡିତ ରଘୁନାଥ ମୁର୍ମୁ ‘ଅଲଚିକି’ ଲିପି ଆବିଷ୍କାର କରି ଅଲଚିକି ଲିପିରେ ବହି ଛାପିବାକୁ ଆରମ୍ଭ କରିଥିଲେ । ଏନେଇ ଜନଜାଗରଣ କରିବା ପାଇଁ ଅନେକ ସଂଗଠନ ସହିତ ଜଡ଼ିତ ହେଲେ ଏବଂ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇଥିଲେ । ତେଣୁ ତାଙ୍କୁ କୁହାଯାଏ, ଏକାଧାରରେ ଦେଶସେବକ, ଜନନାୟକ, କବି, ଲେଖକ, ନାଟ୍ୟକାର, ବୈଜ୍ଞାନିକ, ଦାର୍ଶନିକ ଏବଂ ଆଦର୍ଶ ଶିକ୍ଷକ । ସାନ୍ତାଳୀ ଭାଷା ଓ ଲିପିର ପ୍ରଚାର ଓ ପ୍ରସାର କିପରି ହେଇପାରିବ ସେନେଇ ସେ ଚିନ୍ତାବ୍ୟକ୍ତ କରୁଥିବା ବେଳେ ତତ୍ପରତା ଦେଖା ଦେଇଥିଲା । ତେଣୁ ପ୍ରତ୍ୟେକ ସାନ୍ତାଳ ଗାଁକୁ ଗାଁ ଯାଇ ଲୋକମାନଙ୍କୁ ଏ ବାବଦରେ ସଚେତନ କରାଇବା ସହିତ ଲୋକମାନଙ୍କୁ ଅଲଚିକି ଲିପି ଶିଖାଇ ଦେଉଥିଲେ । କେବଳ ସେତିକିରେ ସୀମିତ ନୁହଁ, ସେମାନଙ୍କ ପାଖରେ କିପରି ଖଣ୍ଡେ ଖଣ୍ଡେ ପୁସ୍ତକ ପହଞ୍ଚାଇ ହେବ ସେନେଇ ଚିନ୍ତା ମଧ୍ୟ କରିଲେ । ତେଣୁ କିଛି ବର୍ଷ ମଧ୍ୟରେ ଅଲଚିକି ଲିପିର ଛାପାକଳ ପ୍ରତିଷ୍ଠା କରିବାରେ ସେ ଥିଲେ ସଫଳ ସ୍ରଷ୍ଟା । ଏହି ପରିପ୍ରେକ୍ଷୀରେ ଆର୍ôଥକ ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ଏକ \”ତନ୍ତ କଳ’ ମଧ୍ୟ ତିଆରି କରି ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିବାରେ ସେ ଥିଲେ ପ୍ରଥମ ବ୍ୟକ୍ତି । ଏଣୁ ତାଙ୍କର ତ୍ୟାଗ ଏବଂ ନିଷ୍ଠା ବଳରେ ଜାତୀୟ ସ୍ତରରେ ଅନ୍ୟ ମହାପୁରୁଷଙ୍କ ସହିତ ସମକକ୍ଷ ହୋଇପାରିଛନ୍ତି ।
ମେ ୫, ୧୯୦୫ ମସିହା ବୈଶାଖ ପୂର୍ଣ୍ଣିମା ଦିନରେ ପଣ୍ଡିତ ରଘୁନାଥ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ଦାଣ୍ଡବୋଷ, ଡାହାରଡ଼ିହି ଗ୍ରାମରେ ପିତା ନନ୍ଦଲାଲ ଏବଂ ମାତା ସଲମାଙ୍କ ଔରସରୁ ଜନ୍ମ ହେଇଥିଲେ । ପରମ୍ପରା ଅନୁସାରେ ନବଜାତ ଶିଶୁର ନାମ ତାଙ୍କ ଜେଜେଙ୍କ ନାମରେ ନାମିତ ହୁଏ, ତେଣୁ ଜେଜେଙ୍କ ନାମ ଅନୁସାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ \”ଚୁନୁ’ ନାମରେ ଗାଁ ଲୋକେ ଡାକିବା ଆରମ୍ଭ କରିଥିଲେ । କିନ୍ତୁ ଚୁନୁ ନାମ ତାଙ୍କ ପାଇଁ ଶୁଭଙ୍କର ନୁହଁ ବୋଲି ସାନ୍ତାଳ ଓଝା/ଗୁରୁ ଖଡ଼ିପାଞ୍ଜୀରୁ ପାଇବା ପରେ ନାମ ପରିବର୍ତ୍ତନ ପାଇଁ ତାଙ୍କ ମାତାପିତାଙ୍କୁ କୁହାଗଲା । ଓଝା/ଗୁରୁଙ୍କ ଆଦେଶକୁ ପାଳନ କରିବାକୁ ଯାଇ ‘ରାଘୁନାଥ’ ନାମରେ ନାମିତ କରିଦିଆଗଲା । ତେବେ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ତାଙ୍କୁ ରାଘରୁ “ରଘୁନାଥ” ନାମରେ ସମ୍ବୋଧିତ କରାଗଲା ।ଜନ୍ମ ମାଟିରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଗମ୍ଭାରୀଆ ପ୍ରାଥମିକ ବିଦ୍ୟାଳୟରେ ୧୯୧୩ରେ ନାମ ଲେଖାଇ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ । କିନ୍ତୁ ପଢୁଥିବା ସମୟରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପାଠ ପଢ଼ା ହେଉଥିଲା, ଯାହା ଫଳରେ ତାଙ୍କୁ ବୁଝିବାକୁ ବହୁତ କଷ୍ଟ ଲାଗୁଥିଲା । ଏନେଇ ତାଙ୍କ ପିତାଶ୍ରୀ ଏବଂ ମାତାଙ୍କ ପାଖରେ ଅଭିଯୋଗ ଆଣିଲେ, ବିଦ୍ୟାଳୟରେ ଓଡିଆ ଓ ଇଂରାଜୀରେ ପାଠପଢ଼ା ହୁଏ କିନ୍ତୁ ଆମ ସାନ୍ତାଳୀ ଭାଷାରେ ପଢ଼ା ହୁଏନି । ତେଣୁ ବିଦ୍ୟାଳୟକୁ ଯିବା ପାଇଁ ସେ ରୋକଠୋକ ମନା କରିଦେଲେ । ତାଙ୍କ ପିତାମାତା ଏନେଇ ବୁଝାଇ କହିଲେ କି, “ସବୁ ଦିନ ବିଦ୍ୟାଳୟକୁ ଯିବୁ, ମନ ଦେଇ ପାଠ ପଢ଼ିବୁ, ଗୁରୁଙ୍କ କଥା ସଦା ମାନିବୁ, ଦେଖିବୁ ଗୁରୁଙ୍କ ଆଶୀର୍ବାଦ ତୋ ଉପରେ ରହିଲେ ଦିନେନା ଦିନେ ନିଶ୍ଚୟ ତୋ ସ୍ୱପ୍ନ ସଫଳ ହେବ ଏବଂ ଦେଶରେ ତୋ ନାମ ରହି ଲୋକେ ତୋତେ ପୂଜା କରିବେ ଆଉ ଆମ ଆଶୀର୍ବାଦ ନିତି ତୋ ଉପରେ ରହିବ ।” ପଣ୍ଡିତ ରଘୁନାଥ ପିତାମାତାଙ୍କ କଥା ମାନି ସବୁଦିନ ବିଦ୍ୟାଳୟକୁ ଗଲେ । ସବୁ ପିଲାଙ୍କ ମଧ୍ୟରୁ ଭଲ ପାଠ ପଢ଼ିଲେ । ସେହି ସମୟରେ ସେ ଜଣେ ମେଧାବୀ ଛାତ୍ର ଭାବେ ଗଣ୍ୟ ହେଉଥିଲେ । ୧୯୧୫ରେ ବହଳଦା ୟୁପି.ଏମ.ଇ ସ୍କୁଲରେ ନାମ ଲେଖାଇ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିଲେ । ତା’ପରେ ବାରିପଦା ଏମ.ପି.ସି ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇ ୧୯୨୮ରେ ଦଶମ ଉତ୍ତୀର୍ଣ୍ଣ ହେଲେ କିନ୍ତୁ ଲିପିକୁ କେମିତି ଆବିଷ୍କାର କରିବେ ସେନେଇ ତାଙ୍କ ମନରେ ସବୁବେଳେ ଚିନ୍ତା ରହିଥିଲା । ପିତାମାତା ଏବଂ ଗୁରୁଙ୍କ ଆଶୀର୍ବାଦରୁ ସାନ୍ତାଳୀ ଭାଷାକୁ ଲେଖିବା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଲିପି ଆବିଷ୍କାର କରିବାରେ ସଫଳତା ଅର୍ଜନ କରିପାରିଥିଲେ ।ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ପ୍ରସାରକୁ ଅଧିକ ସମୟ ଦେବା ନିମନ୍ତେ ସେ ଓଡିଶା, ପଶ୍ଚିମ ବଙ୍ଗ, ବିହାର ଏବଂ ଆସାମରେ ଥିବା ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳକୁ ଗସ୍ତ କରି ପ୍ରତି ସାନ୍ତାଳଙ୍କୁ ବୁଝାଇଲେ । କିନ୍ତୁ ବିନା ସଙ୍ଗଠନରେ ଏହା ସମ୍ଭବ ନୁହଁ ବୋଲି ହୃଦଙ୍ଗମ କଲେ । ତେଣୁ ତାଙ୍କ ନେତୃତ୍ୱରେ ୧୯୪୬ରେ ‘ଖେରୱାଲ ଜାର୍ପା ସମିତି’ ସଂଗଠନ ପ୍ରତିଷ୍ଠା କରାଗଲା । ୧୯୫୨ରେ ‘ଅଲ ସମିତି’ ସଂଗଠନ ତିଆରି କରିବାର ବାର ବର୍ଷପରେ ତାହା ପରିବର୍ତ୍ତନ କରି ‘ଆଦିବାସୀ ସାମାଜିକ, ଶିକ୍ଷା, ସଂସ୍କୃତି ପରିଷଦ’ ୧୯୬୪ରେ ପ୍ରତିଷ୍ଠା କରାଯାଇଥିଲା । ଏହା ଭିତରେ ସେ ଅନେକ ପୁସ୍ତକ ରଚନା କରିବାରେ ସଫଳ ହେଲେ । ଅଲଚିକି ଲିପିରେ ଛାପିବା ପାଇଁ ଅଲଚିକି ଅକ୍ଷର ଆବଶ୍ୟକତା ଥିବାରୁ କଲିକତାରୁ ଛାପାକଳ ଆଣି ଜାମସେଦପୁର କରଣ୍ଡିଠାରେ \”ବିଦୁ ଚାନ୍ଦାନ’ ପ୍ରେସ ସ୍ଥାପନ କରିଲେ । ସାନ୍ତାଳୀ ସହଜ ଶିକ୍ଷା \”ଅଲ ଚେମେଦ ସହିତ ପାର୍ଶୀ ପହା, ପାର୍ଶୀ ଆପାଦ’ ଆଦି ରଚନା କରି ସାନ୍ତାଳ ସମ୍ପ୍ରଦାୟର ଥିବା ଲୋକମାନଙ୍କୁ ଶିକ୍ଷା ପ୍ରଦାନ କରିବା ଆରମ୍ଭ କଲେ । ତା’ପରେ ଏଲଖା(ଗଣିତ), ରନଳ(ବ୍ୟାକରଣ) ଆଦି ପୁସ୍ତକ ସମେତ ବିଭିନ୍ନ କବିତା, ନାଟକ, ଗଳ୍ପ ପୁସ୍ତକ ରଚନା କରି ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପୁସ୍ତକ ହେବ ସାନ୍ତାଳୀ ଅଲଚିକି ଲିପିରେ ଛାପିଥିଲେ । ସାନ୍ତାଳ ସମାଜ ପ୍ରତି ଆପ୍ରାଣ ଉଦ୍ୟମ ଏବଂ କଠିନ ପରିଶ୍ରମକୁ ଉପଲବ୍ଧି କରି ୧୯୫୬ରେ ସର୍ବ ଭାରତୀୟ ସାରନା ମହାସଭା, ଜାମସେଦପୁର କରଣ୍ଡିଠାରେ ଜୟପାଲ ସିଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ \”ଗୁରୁ ଗୋମକେ’ ଉପାଧି ପ୍ରଦାନ କରିଥିଲେ । ସେମିତି ପଶ୍ଚିମବଙ୍ଗ ସରକାର ତାମ୍ରଫଳକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ରାଞ୍ôଚ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧିରେ ସମ୍ମାନୀତ ହୋଇଥିବାବେଳେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ମାର୍ଟିନ ଓରାମ ତାଙ୍କୁ \”ଧରମ ଗୁରୁ’ ନାମରେ ସମ୍ବୋଧନ କରିଲେ । ସେହିପରି ମହାନ ଜନନାୟକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ବାରିପଦାସ୍ଥିତ ଭେଷଜ ମହାବିଦ୍ୟାଳୟ ନାମକରଣ ହୋଇଥିବାବେଳେ ପଶ୍ଚିମବଙ୍ଗର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଏବଂ ମୂର୍ସିବାଦଠାରେ କଲ୍ୟାଣ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ସାନ୍ତାଳ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିବା ମହାତ୍ମା, ଧରମ ଗୁରୁ, ଗୁରୁ ଗୋମକେ, ପାର୍ସି ସିଂଜ ଚାନ୍ଦ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୯୮୨ ଫେବୃଆରୀ ୧ ତାରିଖରେ ପରଲୋକ ହୋଇଥିଲା । ଏହି ମହାନ ବ୍ୟକ୍ତି ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଜ୍ଞାନପୀଠ ଏବଂ ଭାରତରତ୍ନ ଭଳି ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇବା ପାଇଁ ଯୋଗ୍ୟବିବେଚିତ ନହେବା ସାନ୍ତାଳମାନଙ୍କ ପାଇଁ ସୁନିଶ୍ଚିତ ଅଶୁଭ ପରି ମନେ ହୁଏ ।


