ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ଥାନା ଅଧିନ ଗଂଗଦାହାଟରେ ଟ୍ରାକ୍ଟର ଡ୍ରାଇଭରଙ୍କ ବେପରୁଆ ମାଲ ପରିବହନ ଯୋଗୁଁ ଶନିବାର ଅଳ୍ପକେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବର୍ତି ଯାଇଛନ୍ତି । ସୂଚନା ଅନୁସାରେ ନାଉଗାଁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମର ମଲ୍ଲିକ କୋରୁଅ ପଂଚାୟତର ଆବାସ ଯୋଜନାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱରେ ରହିଛନ୍ତି । ସେ କୋରୁଅ ପଂଚାୟତକୁ ଆଜି ସକାଳେ ବାଇକି ଯୋଗେ ଆସୁଥିଲେ । ଏହି ସମୟରେ ଗଂଗଦାହାଟ ପୋଲ ଆଡୁ ଏକ ଲୁହାରଡ ବୋଝେଇ ଟ୍ରାକ୍ଟର କୋରୁଅ ଅଭିମୁଖେ ଯାଉଥିଲା । ପୋଲ ନିକଟରେ ବୁଲାଣି ରହିଥିବାରୁ ଉକ୍ତ ଟ୍ରାକ୍ଟର ବୁଲୁଥିବା ସମୟରେ ଡାଲାରେ ଥିବା ଲୁହାରଡ ଝିଟିକ୍ ଯାଇଥିଲା । ଯାହାଫଳରେ ବାଇକ ଆରୋହୀ ଶ୍ରୀ ମଲ୍ଲିକଙ୍କ ମୁଣ୍ଡରେ ଥିବା ହେଲମେଟରେ ମାଡ ହୋଇଥିଲା । ଫଳରେ ବାଇକି ଆରୋହୀ ଶ୍ରୀ ମଲ୍ଲିକ ତଳେ ପଡି ଯିବାରୁ ଗୁରୁତର ଆହତ ପଡିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଶ୍ରୀ ମଲ୍ଲିକକୁ ଉଦ୍ଧାରକରୀ ଚିକିତ୍ସା ଲାଗି ନିକଟସ୍ଥ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ଯାଇଥିବା ଜଣାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବହନ ନିୟମକୁ ଉଲ୍ଲଘନ କରି ଦୈନିକ ଶହ ଶହ ଟ୍ରାକ୍ଟର ବେଆଇନ ଭାବେ ବାଲି ଠାରୁ ଆରମ୍ଭ କରି ବାଉଶଁ ଓ କାଠଗର ଆଦି ବିପଦପୂର୍ଣ୍ଣ ଭାବେ ପରିବହନ କରୁଛନ୍ତି । ଏହାଉପରେ ପୋଲିସ ଅଧିକାରୀ ଓ ପରିବହନ ଅଧିକାରୀଙ୍କ ଦୃଷ୍ଟି ପଡିବା ପାଇଁ ସାଧାରଣରେ ଦାବି ହେଉଛି ।


