ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ଅଭିଯୋଗ…..
ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ବିଗାଡି ଦେବ ସାଧାରଣବର୍ଗ ଆଶାୟୀଙ୍କ ଭବିଷ୍ୟତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ସେପ୍ଟେମ୍ବର ୧୧ ରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଚିଠି (ନଂ ୧୯୦୩୨) ଅନୁସାରେ ଖାଲି ପଡ଼ିଥିବା ଅଣ ସଂରକ୍ଷିତଙ୍କ ଲାଗି ଉଦ୍ଧିଷ୍ଟ ପଦକୁ ସଂରକ୍ଷିତ ବର୍ଗକୁ ପଦୋନ୍ନତି ମିଳିପାରିବ ବୋଲି ଉଲ୍ଲେଖ ହୋଇଛି। ଏଭଳି ଚିଠି ପ୍ରକାଶିତ ହେଲା ପରେ ସରକାରଙ୍କ ବିଭିନ୍ନ କ୍ୟାଡ଼ରରେ କାର୍ଯ୍ୟରତ ସାଧାରଣବର୍ଗ କର୍ମଚାରୀଙ୍କ ପଦୋନ୍ନତିରେ ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ସରକାରଙ୍କ ଏହି ଚିଠି ସେମାନଙ୍କ ମଧ୍ୟରେ ଚିନ୍ତା ଓ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଏହି ବ୍ୟବସ୍ଥା ଲାଗୁ ହେଲେ ସାଧାରଣବର୍ଗର କର୍ମଚାରୀ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ଜୀବନରେଖାର ଗତିପଥ ବିଗାଡି ଦେଇପାରେ ବୋଲି ଉଦବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସାଧାରଣବର୍ଗର କର୍ମଚାରୀ ଓ ଅଧିକାରୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇ ନିରୁତ୍ସାହିତ କରିଛି । ଏଥି ପୁର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଇଥିବା ରାୟର ଏହା ସିଧା ଉଲ୍ଲଂଘନ ବୋଲି ସେମାନେ କହିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ବିଭାଗର କର୍ମଚାରୀ ମାନେ ମୁଖ୍ୟଶାସନ ସଚିବଙ୍କୁ ଅଭିଯୋଗ ପତ୍ର ପ୍ରେରଣ କରି ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଲାଗି ଦାବି କରିଛନ୍ତି। ଏହି କ୍ରମରେ ଡିପ୍ଲୋମା ଇଞ୍ଜିନିୟର କ୍ୟାଡ଼ରରେ ମଧ୍ୟ ସାଧାରଣବର୍ଗଙ୍କ ପଦୋନ୍ନତି ଲାଗି ଉଦ୍ଧିଷ୍ଟ ପଦରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବାକୁ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଳାର ଡିପ୍ଲୋମା ଇଞ୍ଜିନିୟର କ୍ୟାଡ଼ରରେ ନିଯୁକ୍ତ ଇଞ୍ଜିନିୟରମାନେ ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିବା ଜଣାଇଛନ୍ତି। ସରକାରଙ୍କ ଏହି ଚିଠି ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଉଲ୍ଲଙ୍ଘନ କରୁଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଏଥିସହ ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି କ୍ଷେତ୍ରରେ ସାଧାରଣ ବର୍ଗର ଆଶାୟୀଙ୍କ ମୌଳିକ ସ୍ୱାର୍ଥକୁ ହାନି କରିବ ବୋଲି ଦର୍ଶାଇଛନ୍ତି। ଡିପ୍ଲୋମା ଇଞ୍ଜିନିୟରଙ୍କୁ କ୍ୟାଡ଼ର ଭିତ୍ତିକ ନିଯୁକ୍ତି ବେଳେ ‘ଓଆରଭି’ ନିୟମର ଅନୁପାଳନ କରାଯାଇଥିଲା। ଏହି କାରଣରୁ ସଂରକ୍ଷଣ ଆଧାରରେ କ୍ରମାନ୍ୱୟରେ ମିଳୁଥିବା ନିଯୁକ୍ତିରେ ସାଧାରଣବର୍ଗର ପ୍ରାର୍ଥୀମାନେ ବିଳମ୍ବରେ ଚାକିରି ପାଇଥିଲେ। ଏବେ ଯଦି ପୁଣି ଅଣସଂରକ୍ଷିତ ପଦକୁ ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୁଏ ତେବେ କ୍ୟାଡ଼ର ଭିତ୍ତିରେ ନିଯୁକ୍ତି ପାଇଥିବା ବହୁ ଯନ୍ତ୍ରୀ ତାଙ୍କ ଚାକିରି କାଳରେ ପଦୋନ୍ନତି ପାଇବା କଷ୍ଟସାଧ୍ୟ ହୋଇଯିବ ବୋଲି କୁହାଯାଇଛି। ଏଣୁ ଗଞ୍ଜାମ ଜିଲ୍ଲାର ସାଧାରଣବର୍ଗ ଆଶାୟୀଙ୍କ ଭବିଷ୍ୟତ ଏକ ଅନିଶ୍ଚିତତା ଦିଗରେ ଗତି କରିବା ପୂର୍ବରୁ ସରକାର ଏହାର ପୁନର୍ବିଚାର କରିବାକୁ ସେମାନେ ନିବେଦନ କରିଛନ୍ତି।