ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଙ୍ଘର ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ମହାସଙ୍ଘର ୫ମ ପ୍ରତିଷ୍ଠା ଉତ୍ସବ ଭୂବନେଶ୍ୱରସ୍ଥିତ ଜୟଦେବ ଭବନରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାସଙ୍ଘର ସଭାପତି ସରୋଜ ରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଓଡିଶା ବିଧାନସଭାର ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟାକୁ ଗୁରୁତ୍ତର ସହ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସାମ୍ବାଦିକ କିଶୋର ଦ୍ୱିବେଦୀ, ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ପ୍ରଭାସ ଆଚାର୍ଯ୍ୟ, ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଥିଲେ । ସାମ୍ବାଦିକଙ୍କୁ ଅଣଦେଖା କଲେ ସାମାଜିକ ବ୍ୟବସ୍ଥା ଭୁଷୁଡି ପଡିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମହାସଙ୍ଘର ସାଧାରଣ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ, ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମୁଖ୍ୟ ଅତିଥି ବାଚଷ୍ପତି ଶ୍ରୀ ପାତ୍ର କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁର୍ଗତ ଜାନକୀବଲ୍ଲଭ ସ୍ମୃତି ସାମ୍ବାଦିକ ସମ୍ମାନରେ ସମ୍ମାନୀତ କରିଥିଲେ । ମହାସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖାର ସଭାପତି ଭାବରେ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଉପସଭାପତି ଭାବେ ସାବୀର ଖାନ, ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ତ୍ରିପାଠୀ, ସହ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ଦାସ, ଉପଦେଷ୍ଟା ଭାବରେ ମହେନ୍ଦ୍ର ମିଶ୍ର ଓ ସନ୍ତୋଷ କୁମାର କରଙ୍କୁ କର୍ମକର୍ତ୍ତା ଭାବେ ଚୟନ କରାଯାଇଛି ।


