ତାରା ତାରିଣୀ ମନ୍ଦିରରୁ ଚୋରି ମାମଲାର ଷ୍ଟାଟସ୍ ରିପୋର୍ଟ ମାଗିଲେ ଦକ୍ଷିଣାଂଚଳ ରାଜସ୍ବ କମିଶନର
ବ୍ରହ୍ମପୁର,(ଅନିଲ କୁମାର):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମା’ ତାରା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲା ପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ମା’ ତାରା ତାରିଣୀ ମନ୍ଦିର ଦକ୍ଷିଣ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପୀଠ ଏବଂ ପଡ଼ୋଶୀ ଅଞ୍ଚଳ, ଓଡ଼ିଶା ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏଥିପାଇଁ ସମ୍ପୃକ୍ତ ଚୋରି ସମ୍ପର୍କରେ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଦକ୍ଷିଣାଂଚଳ ଆରଡିସି ଶ୍ରୀମତି ରୂପା ରୋଶନ ସାହୁ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁଚନାଯୋଗ୍ୟ, ଆରଡିସି ଦକ୍ଷିଣ ଡିଭିଜନ ହେଉଛନ୍ତି ମା’ ତାରା ତାରିଣୀ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ । ମଙ୍ଗଳବାର ବିଳମ୍ବିତ ରାତିରେ ମା’ ତାରା ତାରିଣୀ ମନ୍ଦିର ପରିସରରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହେଇଥିଲା ।ଚୋରି ହୋଇଥିବା ଜିନିଷ ମଧ୍ୟରେ ମା’ଙ୍କ ରୂପା ମୁକୁଟ ଏବଂ ଏକ ଆନୁଷ୍ଠାନିକ ଛତ୍ରୀ ରହିଛି। ଅସାମାଜିକମାନେ ଦାନ ବାକ୍ସର ତାଲା ଭାଙ୍ଗିବା ସହ ଭିତରେ ରଖାଯାଇଥିବା ଟଙ୍କା ଲୁଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସକାଳେ ସେବାୟତମାନେ ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ଫାଟକର ତାଲା ଓ ଲୁହା ଗ୍ରିଲ୍ ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ। ମଙ୍ଗଳବାର ରାତି ୧୦ଟାରେ ଶ୍ରୀମନ୍ଦିର ବନ୍ଦ ରହିଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଚୋରମାନଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି, ଅନ୍ୟପକ୍ଷରେ ବାରମ୍ବାର ଏହି ଅଞ୍ଚଳରେ ଘଟୁଥିବା ଲୁଟ୍ ଘଟଣାକୁ ନେଇ ଚିନ୍ତିତ ସ୍ଥାନୀୟ ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।