ଆସିକା ଅଞ୍ଚଳର ଜଗନ୍ନାଥ ମନ୍ଦିରରେ ଅଁଳା ନବମୀ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ରବିବାର ଅଁଳା ନବମୀ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଚିନିଶିଳ୍ପ ନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିର, ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର, ବଜାର ସାହି ଜଗନ୍ନାଥ ମନ୍ଦିର, କାଳଷଣ୍ଢପୁର ଜଗନ୍ନାଥ ମନ୍ଦିର ସମେତ ଆଖାପାଖ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସମେତ ମନ୍ଦିର ବେଢାରେ ପୂଜା ପାଉଥିବା ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କୁ ଅଁଳା କୋଳିରେ ସଜ୍ଜିତ କରାଯାଇଥିଲା । ସେହିଭଳି ଆସିକା ଏନ୍‌ଏସି ଅଧିନସ୍ଥ ବାଣୀବିହାରସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ମଧ୍ୟ ଅଁଳା ନବମୀ ତିଥିକୁ ବିଧିବିଧାନ ଅନୁଯାୟୀ ପାଳନ କରିବା ଲାଗି ଆଧ୍ୟାତ୍ମିକ ପ୍ରେମୀ ଶ୍ରଦ୍ଧାଳୁ ମହିଳାଙ୍କ ଭିଡ ଜମିଥିଲା । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ରୂପେ ପାଳନ କରାଯାଇଥାଏ । ଏହି ତିଥିରେ ଅଁଳା ବୃକ୍ଷକୁ ପୂଜା କଲେ ସମସ୍ତ ପାପ ବିମୋଚନ ହେବା ସହ କୋଟିଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅଁଳା ନବମୀକୁ ନେଇ ପ୍ରଚଳିତ ଥିବା ପୌରାଣିକ କଥାବସ୍ତୁ ଆଧାରରେ କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥିରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ଅବସ୍ଥାନ କରିଥାନ୍ତି । ଅଁଳା ନବମୀ ତିଥିରେ ଅଁଳାଗଛକୁ ପୂଜାର୍ଚ୍ଚନା କରି ୧୦୮ ଥର ଅଁଳାଗଛର ଚର୍ତୁପାଶ୍ୱର୍ରେ ପରିକ୍ରମା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକପ୍ରଥା ପ୍ରଚଳିତ ରହିଛି । ତେଣୁ ଅଁଳା ନବମୀ ତିଥିରେ ମନ୍ଦିର ଗୁଡିକରେ ଥିବା ଅଁଳାବୃକ୍ଷ ନିକଟରେ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ମହିଳାଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଁଳା ନବମୀ ତିଥିରେ ଶ୍ରୀ ରାଧାଙ୍କ ପାଦଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଛି । ଶ୍ରଦ୍ଧାଳୁ ମହିଳା ମାନେ ଏହି ତିଥିରେ ଶ୍ରୀକୃଷ୍ଣଙ୍କୁ ନଟବର ଓ ରାଧାରଣୀଙ୍କୁ ଓଡିଆଣୀ ବେଶରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକରେ ଅଁଁଳା ନବମୀ ଉତ୍ସବ ପାଳନ କରିବା ଲାଗି ଶ୍ରଦ୍ଧାଳୁ ମହିଳାଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଂଚାୟତର ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ଚିତ୍ତଚିନ୍ମୟ ରଂଜନ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ଦିଲୀପ କୁମାର ସ୍ୱାଇଁ, ସହସଂପାଦକ ଅରୁଣ କୁମାର ପାତ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସ୍ୱାଇଁ, ସଦସ୍ୟ ପ୍ରଶାନ୍ତ କୁମାର ପାଢୀ, ଶ୍ରୀନିବାସ ମହାପାତ୍ର, ସିମାଂଚଳ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାୟକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍‍ କୁମାର ଦାଶ, କୃଷ୍ଣ ଚନ୍ଦ୍ର ଲେଙ୍କାଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ