ପୁଣି ଦମ୍ ଦେଖାଇଲେ ସୁଖୋଇ, ମିରାଜ୍ ପାକିସ୍ତାନର ଚାରି ଏଫ୍-୧୬ ଯୁଦ୍ଧ ବିମାନକୁ ତଡିଲେ
ନୂଆଦିଲ୍ଲୀ(ଏଜେନ୍ସି): ସୋମବାର ପାକିସ୍ତାନ ବାୟୁସେନାର ୪ଟି ଏଫ୍-୧୬ ଯୁଦ୍ଧ ବିମାନ ଭାରତୀୟ ବାୟୁସୀମା ଭିତରକୁ ପଶିଆସିବାକୁ ଚେଷ୍ଟା କରିଥିବା ବେଳେ ଭାରତୀୟ ବାୟୁସେନାର ସୁଖୋଇ ଏବଂ ମିରାଜ ପ୍ରଣାଳୀର ଯୁଦ୍ଧ ବିମାନ ସେମାନଙ୍କୁ ଉଚିତ୍ ଜବାବ ଦେଇଛି । ଭାରତୀୟ ବାୟୁସେନା ପାଇଲଟ୍ ପାକ୍ ଯୁଦ୍ଧ ବିମାନ ଉପରେ ଘନଘନ ଆକ୍ରମଣ କରିବା ଫଳରେ ସେମାନେ ଭୟଭୀତ ହୋଇ ଫେରିଯାଇଥିବା ସୂଚନା ମିଳିଛି ।
ପଞ୍ଜାବର ଖେମକରନ ସୀମାରେ ରାତି ୩ଟା ସମୟରେ ପାକିସ୍ତାନର ଏହି ଯୁଦ୍ଧ ବିମାନଗୁଡିକ ପଶିଆସିଥିଲେ । ରାଡାରରେ ଏସମ୍ପର୍କରେ ସୂଚନା ମିଳିବା ପରେ ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ ବିମାନ ସୀମାରେ ପଇଁତରା ମାରିଥିଲେ ଏବଂ ଫାଙ୍କାରେ ଗୁଳିମାଡ କରିଥିଲେ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ଦେଖିବା ପରେ ସେହି ସ୍ଥାନରୁ ପାକିସ୍ତାନର ବିମାନ ପଳାୟନ କରିଥିଲେ । ପ୍ରକାଶ ଯେ, ଫେବ୍ରୁଆରୀ ୨୭ରେ ମଧ୍ୟ ପାକିିସ୍ତାନର କିଛି ଏଫ୍-୧୬ ଯୁଦ୍ଧ ବିମାନ ଭାରତୀୟ ସୀମା ଅତିକ୍ରିମ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପରି ବୀର ଯବାନ ସେମାନଙ୍କୁ ଟାର୍ଗେଟ୍ କରିଥିଲେ ଏବଂ ଗୋଟିକୁ ମାରି ଖସାଇଦେଇଥିଲେ । ଅନ୍ୟ ପାଇଲଟ୍ଙ୍କ ଆକ୍ରମଣରେ ଭୟଭୀତ ହୋଇ ପାକ୍ ବିମାନ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ ।