ହାବଳେଶ୍ଵର ମହାଦେବ ମନ୍ଦିର ଅନୁଦାନ ଆତ୍ମସାତ ଘଟଣାର କାର୍ଯ୍ୟାନୁଷ୍ଠାନ ହେଲାନି

ହାଟଡିହି, (ବିକାଶ ବିଶ୍ୱାଳ):ହାବଳେଶ୍ଵର ମହାଦେବ ମନ୍ଦିରର ନବୀକରଣ ଓ ରଙ୍ଗଦେବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇ ଥିବା ସାଢେ ୩ଲକ୍ଷ ଟଙ୍କାର ଅନୁଦାନ ଆତ୍ମସାତ ହୋଇଥିବା ଗ୍ରାମବାସୀମାନେ ଦୀର୍ଘଦିନ ହେଲା ଅଭିଯୋଗ କରି ଆସୁଛନ୍ତି। ଗତ ୨୪/୧୨/୨୦୨୧ରେ ହାବଳେଶ୍ୱର ମହେଶଙ୍କ ମନ୍ଦିର ନବୀକରଣ ନାମରେ ଦେବୋତ୍ତର ବିଭାଗ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଓ ୧୯/୫/ ୨୦୨୨ ରେ ହାବଳେଶ୍ୱର ମହେଶଙ୍କ ମନ୍ଦିର ରଙ୍ଗ ଦେବାପାଇଁ ୧ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ଥିବାବେଳେ ମନ୍ଦିରରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନାହିଁ। ତେଣୁ ସେ ଟଙ୍କା ଗଲା କୁଆଡ଼େ ବୋଲି ଗ୍ରାମବାସୀ ମାନେ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆସୁଥିଲେ। ଏ ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ୩୦ତାରିଖ ଦିନ ଦେବୋତ୍ତର ବିଭାଗ ଅଧିକାରୀ ତପନ କୁମାର ପ୍ରଧାନଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ବୈଠକ କରାଯାଇ ନୂତନ କୋଠ ତହସିଲଦାର ଭାବେ ଲମ୍ବୋଦର ସିଂଙ୍କୁ ନିୟୁକ୍ତି କରାଯାଇଛି। କିନ୍ତୁ ପୂର୍ବତନ କୋଠ ତହସିଲଦାର ସୁଦର୍ଶନ ସାହୁଙ୍କୁ ମନ୍ଦିରର ବ୍ୟାଙ୍କ ପାସବୁକ, କ୍ୟାସ ବହି ଓ ଅନ୍ୟ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ବି ସେ ବୈଠକକୁ ଆସି ନଥିଲେ। ଯାହା ଦ୍ଵାରାକି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଅନୁଦାନ ହଡ଼ପର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଦେବୋତ୍ତର ବିଭାଗ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ତାହାକୁ ନେଇ ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତିି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ