ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି
କଟକ, (ଓ୍ବାଇଏନଏସ): କଟକ ମହାନଗର ନିଗମ (କେଏମସି) ପକ୍ଷରୁ ନିର୍ମିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପାଠାଗାର ପାଇଁ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି ରହିଥିବା ବେଳେ ପଞ୍ଜୀକରଣ ପରେ ଆବେଦନ ଗୁଡ଼ିକର ଭେରିଫିକେସନ କରାଯାଉଛି। ଏପର୍ଯ୍ୟନ୍ତ ପ୍ରାୟ ୧୦୬୭ ଜଣ ଲାଇବ୍ରେରୀ ପଞ୍ଜୀକରଣ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଭେରିଫିକେସନ ପ୍ରକ୍ରିୟା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଲିଙ୍କ ମାଧ୍ୟମରେ ଶୁଳ୍କ ପଇଠ କରିବାର ସୁବିଧା ମିଳିବ। ଏଥିପାଇଁ ପେମେଣ୍ଟ ଇଣ୍ଟିଗ୍ରେସନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରାୟ ୩ ଏକର ଜମିରେ ନିର୍ମିତ ଏହି ଅତ୍ୟାଧୁନିକ ପାଠାଗାରରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଓ ପଠନ ପାଇଁ ବିଭିନ୍ନ ସୁବିଧା ରହିଛି। କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ଏହି ପାଠାଗାରକୁ ଏକ ଆଧୁନିକ ଜ୍ଞାନକେନ୍ଦ୍ର ଭାବେ ବିକଶିତ କରାଯାଇଛି। ପାଠାଗାରରେ ଲାଇବ୍ରେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍, ଡିଜିଟାଲ ଲାଇବ୍ରେରୀ, ବୁକ୍ କାଟାଲଗ୍, ପୁସ୍ତକ ଉପଲବ୍ଧତା ଯାଞ୍ଚ, ନୂଆ ପୁସ୍ତକ ପାଇଁ ପ୍ରସ୍ତାବ ଦେବାର ସୁବିଧା, ପ୍ରତିଯୋଗିତାମୂଳକ ପରୀକ୍ଷା ପୁସ୍ତକ, ଦୈନିକ ଖବରକାଗଜ ଓ ପତ୍ରପତ୍ରିକା ଭଳି ଅନେକ ସୁବିଧା ଉପଲବ୍ଧ ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝ ନପଡ଼ିବା ପାଇଁ ପାଠାଗାରର ଶୁଳ୍କ ମଧ୍ୟ ସ୍ୱଳ୍ପ ରଖାଯାଇଛି। ମାସିକ ଶୁଳ୍କ ୨୦୦ ଟଙ୍କା ଏବଂ ୬ ମାସ ପାଇଁ ୧୨୦୦ ଟଙ୍କା ରଖାଯାଇଛି। ଅର୍ଥାତ୍ ଦୈନିକ ହିସାବରେ ଜଣେ ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ପ୍ରାୟ ୬ ଟଙ୍କା ୬୭ ପଇସା ପଡ଼ିବ। ପାଠାଗାରର ପରିଚାଳନା ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରତିବର୍ଷ ୨ କୋଟିରୁ ଅଧିକ ଟଙ୍କା ମାନବ ସମ୍ବଳ, ବିଦ୍ୟୁତ, ଜଳକର, ରକ୍ଷଣାବେକ୍ଷଣ, ପୁସ୍ତକ ଓ ପତ୍ରପତ୍ରିକା ଆଦି ବାବଦରେ ବ୍ୟୟ କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ ଓ ଉପଯୁକ୍ତ ଅଧ୍ୟୟନ ପରିବେଶ ସୃଷ୍ଟି କରିବା କେଏମସିର ପ୍ରମୁଖ ଲକ୍ଷ୍ୟ ବୋଲି କୁହାଯାଇଛି। ଏହା ସହିତ ସିଏନବିଟି ପରିସରରେ ଥିବା ଲାଇବ୍ରେରୀ ପୂର୍ବଭଳି ଚାଲୁ ରହିବ ଏବଂ ସେଠାରେ ଲୋକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ସ୍ପୋର୍ଟ୍ସ ଲାଇବ୍ରେରୀ ମଧ୍ୟ ନିଶୁଳ୍କ ଭାବେ ଚାଲୁଥିବାବେଳେ ଓଏମପି ଛକସ୍ଥିତ ଲାଇଟ୍ ହାଉସ୍ ପରିସରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାର ସୁବିଧା ରହିଛି। ସେହିପରି କୃଷକ ବଜାର, ଜଜପେଠା, ଜଗତପୁର, ତୋରା, ଲକ୍ଷ୍ମୀପୁର ଓ ତେଲେଙ୍ଗାପେଣ୍ଠ ଆଦି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର କାର୍ଯ୍ୟକ୍ଷମ ହେବା ପରେ କଟକ ସହରର ଛାତ୍ରଛାତ୍ରୀଙ୍କୁ ଆଉ ଏକ ବିସ୍ତୃତ, ଆଧୁନିକ ଓ ସୁଲଭ ଅଧ୍ୟୟନ ସୁବିଧା ମିଳିବ।


