ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବିଲ୍ଡିଂ ନବୀକରଣ
ଭୁବନେଶ୍ୱର/ ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ନରେନ୍ଦ୍ରପୁର ହାଇସ୍କୁଲ ବିଲ୍ଡିଂର ନବୀକରଣ କରାଯାଇଛି । ଗତ ବାତ୍ୟାରେ ବିଦ୍ୟାଳୟର କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ସ୍କୁଲରେ ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୩୦ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ଗୃହରେ ପାଠ ପଢିବେ, ସେ ନେଇ ବିପଦସଙ୍କୁଳ ଗୃହର ପୁନରୁଦ୍ଧାର କରିଛି ଟାଟା ଷ୍ଟିଲ ଫାଉଣ୍ଡେସନ । କ୍ଷତିଗ୍ରସ୍ତ ଶ୍ରେଣୀଗୃହର କବାଟ, ଝରକା ଓ ଚଟାଣର ମରାମତି କରାଯାଇଛି । କୋଠାକୁ ପାଣିପାଗ ପ୍ରତିରୋଧୀ ପେଣ୍ଟରେ ରଙ୍ଗ କରାଯିବା ସହ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହାର ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି କରାଯାଇଛି ।ବିଲ୍ଡିଂ ଉଦଘାଟନୀ ସମାରୋହରେ ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ (ଟିଏସଏସଇଜେଡ)ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ ଓ ଓଡ଼ିଶା ସିଏସଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗଦେଇ ଥିଲେ । ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସଭିଁଙ୍କ ପାଖରେ ସମାନ ଭାବରେ ପହଞ୍ଚାଇବା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପୁନରୁଦ୍ଧାର ଅଭିଯାନ କେବଳ ଭିତିଭୂମିର ଏକ ପୁନର୍ଗଠନ ନୁହେଁ । ଏହା ହେଉଛି ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ଆଶା ଓ ବିଶ୍ୱାସର ପୁନରୁଦ୍ଧାର କରିବା । ଏଭଳି ପଦକ୍ଷେପ ସେମାନଙ୍କ ସମୁଦାୟକୁ ସଶକ୍ତ କରିବା ସହ ଶିକ୍ଷା ଜାରି ରଖିବାକୁ ପ୍ରୋତ୍ସାହିତ କରିବା ବୋଲି ଟିଏସଏସଇଜେଡ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାୟକ କହିଛନ୍ତି ।