ନାଉଗାଁ ବ୍ଳକ କାର୍ଯ୍ୟାଳୟରେ ଜଣଙ୍କ ନାମରେ କାର୍ଯ୍ୟାଦେଶ, ଚେକ ଅନ୍ୟକୁ ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତ ଜଳସରପଡା ଗ୍ରାମରେ ୨୦୨୩ -୨୪ ଆର୍ଥିକ ବର୍ଷରେ ଏକ ଶ୍ମଶାନ ଗୃହ ନିର୍ମାଣ କରାଯାଇଥିଲା । ଏହି ଶ୍ମଶାନ ଗୃହର କାର୍ଯ୍ୟାଦେଶ ଜଣଙ୍କ ନାମରେ ରହିଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ କାର୍ଯ୍ୟର ଚେକ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ନେଇ ବ୍ଳକ ପ୍ରଶାସନର କାର୍ଯ୍ୟ ଦକ୍ଷତା ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଂକ୍ରାନ୍ତରେ ଜୈନିକ ସୂଚନା ଅଧିକାର କର୍ମର୍ର୍ୀ ସୂଚନା ଅଧିକାର ଆଇନ ବଳରେ ଶ୍ମଶାନ ଗୃହର ତଥ୍ୟ ମାଗିଥିଲେ । ବ୍ଳକ କାର୍ଯ୍ୟାଳୟ ଚିଠି ନଂ ୩୮୫୪/୧୮ ଡିସେମ୍ବର ୨୦୨୪ ମିଳିଥିବା ତଥ୍ୟ ଅନୁସାରେ ଆମ ଓଡିଶା ନବିନ ଓଡିଶା ଯୋଜନାରେ ୨୦୨୩-୨୪ ଆର୍ଥୀକ ବର୍ଷରେ ଜଳସରପଡା ଦଳିତ ଶ୍ମଶାନ ଗୃହ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁଙ୍କ ନାମରେ ପ୍ରଦାନ କରାଯାଇଥିଲା । କିନ୍ତୁ ୧୩ ଜୁଲାଇ ୨୦୨୪ ରେ ଉକ୍ତ କାର୍ଯ୍ୟ ବାବଦକୁ ୩ ଲକ୍ଷ ୬୮ ହଜାର ୭୨୦ ଟଙ୍କାର ଚେକକୁ ଟ୍ରେଜେରୀ ମାଧ୍ୟମରେ କନିଷ୍ଠ ଯନ୍ତ୍ରୀ ମନସ୍ମିତା ମିଶ୍ରକୁ ପ୍ରଦାନ କରାଯାଇଛି । ଜଣଙ୍କ ନାମରେ କାର୍ଯ୍ୟ ଥାଇ ଅନ୍ୟ ଜଣଙ୍କୁ କିପରି ଚେକ୍ ପ୍ରଦାନ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଉନ୍ନୟନମୂଳକ କାର୍ଯ୍ୟର ଚେକ ପ୍ରଦାନ ପୂର୍ବରୁ ଚେକରେ ବିଡିଓ ଓ ବ୍ଳକ ଅଧ୍ୟକ୍ଷଙ୍କର ଦସ୍ତଖତ ରହିବ । ଏପରିକି ଚେକକୁ କ୍ୟାସିୟର ତନଖି କରିବେ । ପରେ ଚେକକୁ ଟ୍ରେଜେରକୁ ପ୍ରଦାନ କରାଯିବ । ତେଣୁ ଉକ୍ତ ପ୍ରକଳ୍ପ କ୍ଷେତ୍ରରେ ତାହା କରାଯାଇଛି କି ନାହିଁ ସଠିକ ଜଣାପଡୁନାହିଁ । ପ୍ରକାଶଯୋଗ୍ୟ ଯେ ବ୍ଳକରେ ବିଭିନ୍ନ ପଂଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବିଭଗୀୟ ଯନ୍ତ୍ରୀ ଙ୍କ ନାମରେ ରହୁଥିବା ବେଳେ ଅଧିକାଂଶ କାର୍ଯ୍ୟ ସ୍ଥାନୀୟ ଜନସାଧାରଣ କରୁଛନ୍ତି । ଯାହାଫଳରେ ବିଲ ପ୍ରଦାନରେ ବିଳମ୍ବ ହେଉଛି । ଉକ୍ତ କାର୍ଯ୍ୟର ବିଲ ପ୍ରଦାନକୁ ନେଇ ଭିଜିଲାନସରେ ଅଭିଯୋଗ କରାଯାଇଥିଲା । ଗତ ଅଗଷ୍ଟ ୯ରେ ଭିଜିଲାନସ ଦ୍ୱାରା ବ୍ଳକ କାର୍ଯ୍ୟାଳୟରେ ରେଡ କରାଯାଇ ଜୈନିକ ଯନ୍ତ୍ରୀଙ୍କୁ ଗିରଫ ମଧ୍ୟ କରିଥିଲେ । କାର୍ଯ୍ୟାଦେଶ ଓ ଚେକ ପ୍ରଦାନ ସଂପର୍କରେ ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରେ କ’ଣ ହୋଇଛସ ବୁଝିଲା ପରେ କହିବି ବୋଲି କହିଥିଲେ ।