ମାଙ୍କଢ଼ିଆ ଜନଜାତିଙ୍କୁ ଉନ୍ନତମାନର ଜୀବନଶୈଳୀ ପାଇଁ ଜିଲ୍ଲାପାଳଙ୍କ ପଦକ୍ଷେପ
ଯାଜପୁର: ଓଡି଼ଶାରେ ୧୩ଟି ବିଶେଷ ସ୍ପର୍ଶକାତର ଅନୁସୂଚୀତ ଜନଜାତି ଗୃପର ଅଧିବାସୀ ବାସ କରନ୍ତି । ମାଙ୍କଢ଼ିଆ ଜନଜାତି ସେମାନଙ୍କ ମଧ୍ୟରୁ ଅନ୍ୟତମ । ସୁକିନ୍ଦା ବ୍ଲକ କାଳିଆପାଣି ଖଣି ନିକଟସ୍ଥ ମଲ୍ଲାର ସାହିରେ ଏହି ମାଙ୍କଢ଼ିଆ ଜନଜାତିର ୮୭ଗୋଟି ପରିବାର ବାସ କରନ୍ତି । ସେମାନେ ଭୂମିହୀନ ମାଟିକାନ୍ଥ, ଚାଳଛପର ଘରେ କଟେ ସେମାନଙ୍କ ଜୀବନ । ଘର ଗୁଡି଼କରେ ବିଦ୍ୟୁତ ସରବରାହ ମଧ୍ୟ ନଥିଲା । ତେବେ ଏହି ଘଟଣା ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ରଂଜନ କୁମାର ଦାସଙ୍କ ଦୃଷ୍ଟିକୁ ଆସିବା ପରେ ଏହା ଉପରେ ଏକ ଶକ୍ତ ଓ ଉଲ୍ଲେଖଯୋଗ୍ୟ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ । ସେହି ମାଙ୍କଢ଼ିଆ ଜନଜାତି ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଓ ସମ୍ମାନଜନକ ଜୀବନ ଜୀଇଁବେ ସେଥିପାଇଁ ଉଦ୍ୟମ କରିଛନ୍ତି ଜିଲ୍ଲାପାଳ । ସର୍ବପ୍ରଥମେ ଜିଲ୍ଲାପାଳ ସେହି ପରିବାରମାନଙ୍କୁ ୧୭୪୨ବର୍ଗଫୁଟର ଜମି ଜଙ୍ଗଲଜମି ଅଧିକାର ଆଇନ ମାଧ୍ୟମରେ ରାଁସୋଳ ପଂଚାୟତର କୁସୁମଢିହା ଠାରେ ପ୍ରଦାନ କରିଥିଲେ । ପରେ ଡି.ଏମ୍.ଏଫ୍. ବା ଜିଲ୍ଲାଖଣିଜ ପାଣ୍ଠି ପ୍ରତିଷ୍ଠାନରୁ ୩କୋଟି ୯୯ ଲକ୍ଷଟଙ୍କା ମଞ୍ଜୁର କରାଯାଇଥିଲା । ସେମାନଙ୍କ ଘର ନିର୍ମାଣ ପାଇଁ ଯାହା ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁନେଇ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସେହିପରି ସମସ୍ତ ୮୭ଗୋଟି ପରିବାର ପାଇଁ ୩୫୮ବର୍ଗଫୁଟ ଲେଖାଏଁ ଜାଗାରେ ସ୍ୱତନ୍ତ୍ର ଅଲଗା ସ୍ନାନାଗାର ଓ ପାଇଖାନାର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ସମସ୍ତ ଗୃହକୁ ବିଦ୍ୟୁତ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହେଉଛି । ଏକ ବହୁମୁଖୀ କମ୍ୟୁନିଟି ସେଣ୍ଟର ୧୭୪୦ ବର୍ଗଫୁଟ ପରିମିତି ଅଂଚଳରେ ମଧ୍ୟ ବ୍ୟବସ୍ଥା ହୋଇଛି । ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ସୁକିନ୍ଦା ବିଡିଓ ବିଶ୍ୱଜିତ୍ ଦାସ, ଡି.ଏମ୍.ଏଫ୍ର ସଂଯୋଜକ ସୁବାଶିଷ କୁମାର ପ୍ରମୁଖ ମଲ୍ଲାରସାହି ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ । ଅପ୍ରେଲ ୨୦୨୦ସୁଦ୍ଧା ଘର ଓ ସମସ୍ତ ଆନୁସାଙ୍ଗିକ କାର୍ଯ୍ୟ ସମାପ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସେମାନେ ଯେପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦୈନ୍ୟନ୍ଦିନ ଜୀବନ ନିର୍ବାହ ପାଇଁ ସକ୍ଷମ ହେବେ ସେଥିପାଇଁ ଜୀବିକା ମିଶନର ମ୍ୟାପ ପ୍ରସ୍ତୁତ୍ କରି ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଗ୍ରାମ ଓ ଜନଜାତିର ଲୋକମାନଙ୍କୁ ଯେପରି ଏକ ଆଦର୍ଶ ଗ୍ରାମ ଓ ଉନ୍ନତ ପରିବେଶ ସଂପନ୍ନ ଗ୍ରାମରେ ରଖାଯାଇପାରିବ ସେଥିପ୍ରତି ସମସ୍ତେ ଉଦ୍ୟମ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।


