ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୧୦୩ଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୦ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୯୩ଟି ରହିଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ସଂପର୍କୀୟ ୯ଟି, ଜମିଜମା ସମସ୍ୟା ସଂପର୍କୀୟ ୧୬ଟି, ପୋଲିସ ସହାୟତା ପାଇଁ ୨ଟି, ରାସନ କାର୍ଡ ସମସ୍ୟା ସଂପର୍କୀୟ ୨ଟି, ଭତା ପାଇବା ପାଇଁ ୭ଟି ଏବଂ ଅନ୍ୟାନ୍ୟ ୧୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିମଧ୍ୟରୁ ୪୧ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ଥିଲା ଚାଷୀମାନଙ୍କ ପକ୍ଷରୁ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ,ଅଲଣା ପୂର୍ବତନ ସରପଂଚ ନବକିଶୋର ମାହନ୍ତି,ସୁରେନ୍ଦ୍ର ସାହୁ,ଅଶ୍ୱନୀ ସାହୁ, ପ୍ରଫୁଲ ସାହୁ,ଅନିଲ ଜେନା,ଅନିଲ କୁମାର ଲେଙ୍କା,ଦିଲିପ ପାଢୀ ଆଦି ଉକ୍ତ ବ୍ଳକରେ ଷଣ୍ଢ ମାନଙ୍କର ଉପଦ୍ରବ ଯୋଗୁ ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ଧାନ ତଳି ସେମାନଙ୍କ ଦାଉରୁ ରକ୍ଷା ହୋଇ ପାରୁ ନାହିଁ। ଷଣ୍ଢ ମାନଙ୍କୁ ଥଇଥାନ କରିବା ପାଇଁ ଦାବି କରାଯାଇଥିଲା। ସେହିପରି ଚାଷୀ କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ସହିତ କଳା ବଜାରରେ ବିକ୍ରି ହେଉଥିବା ସାର କୁ ରୋକିବା, ମଣ୍ଡିରେ ଧାନ ଦେବା ପାଇଁ ପଂଜୀକୃତ ଚାଲୁ ରହିଥିବା ବେଳେ ସରକାର ଙ୍କ ନିୟମ ମୁତାବକ ଚାଷୀ ପଂଜୀକୃତ କରି ପାରେୁ ନାହିଁ । ତେଣୁ ଧାନ ମଣ୍ଡିରେ ଦେବା ପାଇଁ ଚାଷି ପଂଜୀକୃତକୁ କୋହଳ କରିବା ଆଦି ଦାବି ନେଇ ଚାଷୀ ମାନେ ଶିବିର ଆଗରେ ବସି ରହିଥିଲେ। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ପ୍ରଦାନ କରିଥିଲେ। ସେହିପରି ଘୋଡାଂଶ ପଂଚାୟତ ଚମ୍ପେଶ୍ୱର ଗ୍ରାମରେ ଦୀର୍ଘ ଦିନ ହେବ ରାସ୍ତା ନଥିବାରୁ ଗ୍ରାମବାସୀମାନେ ବାହାରକୁ ବାହାରି ପାରୁ ନାହାନ୍ତି। ଏପରିକି ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଦୁଇ ପାଶ୍ୱର୍ରେ ପୋଖରୀ ଥିବାରୁ ପିଲାମାନଙ୍କୁ ବିଦ୍ୟାଳୟକୁ ଯାଇ ପାରୁ ନାହାନ୍ତି। ଏପରିକି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ସ୍ଥାନୀୟ ସରପଂଚକୁ କହିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି। ତେଣୁ ରାସ୍ତା କାର୍ଯ୍ୟ ଯଥାଶୀଘ୍ର ମରାମତି କରିବା ପାଇଁ ଗ୍ରାମର ଉର୍ମିଳା ପଣ୍ଡା, ପ୍ରିୟଦର୍ଶୀନୀ ମହାପାତ୍ରଙ୍କ ସମେତ ଶତାଧିକ ମହିଳା ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯେଗା ପାଇବା ପରେ ଜିଲାପାଳ ବିଡିଓଙ୍କୁ ରାସ୍ତା ବିଷୟରେ ଅବଗତ କରାଇବା ସହିତ ଯଥାଶୀଘ୍ର ରାସ୍ତା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ପାଇଁ ପୋଲିସ ମହାନିର୍ଦ୍ଦଶକଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ଥାନାକୁ ୧୧୨ ଗାଡି ଯୋଗାଇ ଦିଆଯାଇଛି। ସମସ୍ୟାରେ ପଡିଥିବା ଜନସାଧାରଣ ଏହି ନମ୍ବରକୁ କଲ କଲେ ସଙ୍ଗେ ସଙ୍ଗେ ଗାଡି ଆସି ସେମାନଙ୍କ ନିକଟରେ ପହଂଚିବ। କିନ୍ତୁ ବାଲିକୁଦା ଓ ନାଉଗାଁ ଥାନା ପାଇଁ ଗୋଟିଏ ଗାଡି ରହିଥିବା ବେଳେ ଏହା ପ୍ରାୟତଃ ବାଲିକୁଦା ଥାନାରେ ରହୁଥିଲା। କିନ୍ତୁ ଗତ ମେ ୨୦୨୬ ଠାରୁ ଉକ୍ତ ଗାଡି କେବଳ ବାଲିକୁଦା ଥାନା ବ୍ୟତିତ ନାଉଗାଁକୁ ଆସୁ ନାହିଁ। ଯାହାଫଳରେ ଜନସାଧାରଣ ଜରୁରୀକାଳିନ ସେବା ପାଇ ପାରୁ ନାହାନ୍ତି। ତେଣୁ ଉକ୍ତ ଥାନାକୁ ଏକ ୧୧୨ ଗାଡି ଯୋଗାଇ ଦେବା ପାଇଁ ଦେବଜ୍ୟୋତି ମହାନ୍ତି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଜିଲାପାଳ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିଲେ। ପରେ ଏସଡିପିଓଙ୍କୁ କିପରି ଉକ୍ତ ଥାନାକୁ ଗାଡି ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ନରଣପୁର-ଚକୁଳିପଡା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ହେଉଥିବା ବେଳେ ୩ ବର୍ଷ ହେବ ରାସ୍ତା ନିର୍ମାଣ ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇପାରୁନାହିଁ। ଯାହାଫଳରେ ନରଣପୁର ଓ ଇଛାପୁର ଗାଁର ଲୋକମାନେ ବର୍ଷା ହେଲେ ବାହାରକୁ ବାହାରିପାରୁନାହିଁ ବୋଲି ଗ୍ରାମର ଦିପ୍ତରଞ୍ଜନ ତ୍ରିପାଠୀ, ମୁନା ରାୟ ଆଦି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଓଡପଏଙ୍ଗା ଠାରେ ହେବାକୁ ଥିବା ସରକାରୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ମା ତାରେଣୀ ସ୍ୱୟଂ ସହାୟୀକା ଦଳ ଅଭିଯୋଗ କରିଥିଲେ। ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏସଡିପିଓ ଦିବ୍ୟରଞ୍ଜନ ନାଥ, ବିଡିଓ ନିରଞ୍ଜନ ପରିଡା, ତହସିଲଦାର ଅକ୍ଷୟ କୁମାର ବଡୁଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ