ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି
ବୁଗୁଡ଼ା,(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ୧୦/୮/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନା ଙ୍କ ସମେତ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର, ବୁଗୁଡ଼ା ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡ଼ା ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, ଭତ୍ତା, ଜମିଜମା, ଆବାସ ଯୋଜନା ଓ ଅନ୍ୟାନ୍ୟ ଜନସମସ୍ୟା ସମ୍ପର୍କିତ ମୋଟ ୧୧୦ ଟି ଅଭିଯୋଗ ଦାଖଲ କରିଥିଲେ। ମୁଖ୍ୟ ଅଭିଯୋଗ ମଧ୍ୟରେ ଚାଷୀ ମାନଙ୍କୁ ଆବଶ୍ୟକ ପରିମାଣରେ ସାର ପ୍ରଦାନ ଓ ସାରର କଳାବଜାରୀ ବନ୍ଦ, ସରକାର ଆଣିଥିବା ୨୦୨୬/୨୭ ଧାନ ମଣ୍ଡିରେ ପଞ୍ଜିକରଣ ନିୟମକୁ ବାଦ ଦେଇ ପୂର୍ବ ବର୍ଷର ନିୟମ ଲାଗୁ କରିବା, ବୁଗୁଡ଼ା ୫ ଓ୍ବାର୍ଡର ଅଙ୍ଗନବାଡ଼ି ଗୃହ ଦିର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସମ୍ପୂର୍ଣ୍ଣ କରିବା ପାଇଁ କାଉନସିଲରଙ୍କ ଅଭିଯୋଗ ଏବଂ ମୋଟାବାଡି, ପୋଚାଲୁଣ୍ଡି ଓ ତାକରଡା ପଞ୍ଚାୟତରେ ଉଠାଜଳସେଚନ ପ୍ରକଳ୍ପ ଦିର୍ଘ ଦୁଇ ବର୍ଷ ଧରି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀମାନଙ୍କ ଜମିକୁ ପାଣି ଯାଉନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକୋଷ୍ଠରେ ଅଧିକାରୀମାନେ ସମସ୍ତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ରେଡ଼କ୍ରସ ତରଫରୁ ୭ ଜଣଙ୍କୁ ୩୮ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୬ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସିଧାସଳଖ ସମନ୍ୱୟ ସ୍ଥାପନ କରି ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଲକ୍ଷ୍ୟରେ ଏହି ଯୁଗ୍ମ ଜନ ଶୁଣାଣି ଆୟୋଜନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଯୁଗ୍ମ ଅଭିଯୋଗ ଚାଲିଥିବା ବେଳେ ପ୍ରାୟ ଅଧା ଘଣ୍ଟା ସମୟ ପାଇଁ ବିଜୁଳି ନରହିବା ଯୋଗୁଁ ଉପସ୍ଥିତ ଅଧିକାରୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବିଜୁଳି ଶକ୍ତି ବିଭାଗର ଅବହେଳା ପ୍ରମାଣିତ ହୋଇଥିଲା। ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ବ୍ଲକ ଅଫିସର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।


