ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ବ୍ୟାଙ୍କର୍ସ ମାନଙ୍କ ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଉନ୍ନତ ମାନର ଚିନି ଓ ବୋତଲ ମଦ ଉତ୍ପାଦନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ବ୍ୟାଙ୍କର୍ସମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିନିକଳର କୃଷକ ଭବନ ପରିସରରେ ଅନୁଷ୍ଠିତ ହୋଇଥିବା ବ୍ୟାଙ୍କର୍ସ ମାନଙ୍କ ଏହି ବୈଠକରେ ସମବାୟ ଚିନିଶିଳ୍ପର ଆଖୁପରିଚାଳକ ୁପ୍ରଶାନ୍ତ କୁମାର ପାଢୀ, ସହ ଆଖୁପରିଚାଳକ ସିମାଂଚଳ ସାହୁ, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଧ୍ରୁବ ଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, ସୁକାନ୍ତ କୁମାର ପଣ୍ଡା, ଚିନିଶିଳ୍ପ ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ, ଶ୍ରୀମତୀ ଗୀତା ପାତ୍ର, ଶ୍ରୀ ଧର୍ମୁ ପ୍ରଧାନଙ୍କ ସମେତ ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ଆସିକା ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଓ ଶାଖା ପ୍ରବନ୍ଧକ, ଆସିକା ଓ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ପଦାଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ଯୋଗଦେଇ ବିସ୍ତୃତ ଭାବେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଖୁଚାଷ ପାଇଁ ନିୟମିତ ଫସଲ ଋଣ ପ୍ରଦାନ, ଆଖୁଫସଲର ବୀମା ବ୍ୟବସ୍ଥା ତଥା ଜଳଉତ୍ସ ସ୍ଥାପନ ନିମନ୍ତେ ଦୀର୍ଘମିଆଦୀ କୃଷିଋଣ ପ୍ରଦାନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ ଋଣର ସୁଧ ଉପରେ ରିହାତିର ସୁଫଳ ସମସ୍ତ ଆଖୁଚାଷୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦତ୍ତ ନିମନ୍ତେ ଆଲୋଚନା ହେବା ସାଙ୍ଗକୁ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ମାନେ ନିଜସ୍ୱ ଉଦ୍ୟମରେ ଆଖୁଚାଷର ସଂପ୍ରସାରଣ କଲେ ସେମାନଙ୍କୁ ଚିନିଶିଳ୍ପ ପକ୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନ୍ତର୍ଗତ ଗଂଜାମ ଜିଲ୍ଲାର ୨୨ଟି ବ୍ଳକକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ସମବାୟ ବିଭାଗକୁ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଗଂଜାମ ଜିଲ୍ଲାରେ ଆଖୁଫସଲକୁ ଉଭୟ ଖରିଫ୍‍ ଓ ରବି ଋତୁରେ ବୀମାଭୁକ୍ତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଆଲୋଚନା ହୋଇଥିଲା । ଆଖୁଚାଷର ବୀମା ସଂପର୍କରେ ଆଖୁଚାଷୀମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସଚେତନ କରିବା ନିମନ୍ତେ ରିଲାଏନ୍ସ ଜେନେରାଲ୍‍ ବୀମା କମ୍ପାନୀକୁ ସୂଚନା ଓ ଶିକ୍ଷା ତଥା ଯୋଗାଯୋଗର କାର୍ଯ୍ୟ ସଂପାଦନ କରିବା ପାଇଁ ବୀମା ସଂସ୍ଥାକୁ ପରାମର୍ଶ ଦିଆଯିବା ପାଇଁ ମତ ପ୍ରକାଶ ପାଇଥିଲା । ଆଖୁଚାଷୀମାନଙ୍କୁ ୍ରଫସଲ ଋଣ ପ୍ରଦାନ ଓ ଆନୁସାଙ୍ଗିକ ବିଷୟ ଉପରେ ବ୍ୟାଙ୍କର୍ସମାନଙ୍କ ସହ ଚିନିଶିଳ୍ପ ପରିସରରେ ପ୍ରତ୍ୟେକ ୩ ମାସରେ ଥରେ ବୈଠକ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ