ନ୍ୟାୟ ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ରାଷ୍ଟ୍ରପତିଙ୍କୁ ଦେଶବ୍ୟାପୀ ସ୍ମାରକପତ୍ର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର(:ମୂଳନିବାସୀ ବହୁଜନ ନାୟକ ୱାମନ ମେଶ୍ରାମ ସାହେବଙ୍କ ଆହ୍ବାନ କ୍ରମେ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚାର ତତ୍ତ୍ବାବଧାନରେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଭାରତୀୟ ବିଦ୍ୟାର୍ଥୀ ଯୁବ ବେରୋଜଗାର ମୋର୍ଚ୍ଚା ତଥା ସମସ୍ତ ସହଯୋଗୀ ସଂଗଠନର ସମର୍ଥନରେ ଆଜି ଦେଶର ୩୦ ଗୋଟି ରାଜ୍ୟର ୫୬୭ ଜିଲ୍ଲାରେ ମୂଳନିବାସୀ ଖ୍ରୀଷ୍ଟିୟାନଙ୍କ ପ୍ରତି ହେଉଥିବା ଅମାନବିକ ବ୍ୟବହାର ତଥା ଅନ୍ୟାୟ-ଅତ୍ୟାଚାର ବିରୁଦ୍ଧରେ ଏକକାଳୀନ ଦେଶବ୍ୟାପୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦାନ କରାଯାଇ ଅଛି । ଏହି ପରିପ୍ରେକ୍ଷିରେ ମୟୁରଭଞ୍ଜ ଜିଲ୍ଲାର ସଂଯୋଜକ ମୋହନ ବାସ୍କେଙ୍କ ନେତୃତ୍ବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସୋଏଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଜିଲ୍ଲାର ଗୋପବନ୍ଧୁନଗର, ଖୁଣ୍ଟା, ତିରିଙ୍ଗ, ବେତନଟୀ ଆଦି ତହସିଲଦାରଙ୍କୁ ମଧ୍ଯ ସ୍ମାରକପତ୍ର ପ୍ରଦାନ କରାଯାଇ ଅଛି । ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ମୂଳନିବାସୀ ଖ୍ରୀଷ୍ଟିୟାନଙ୍କ ଉପରେ ଶାସନ ସତ୍ତାରେ ବସିଥିବା ବିକୃତ ମାନସିକତା ବିଶିଷ୍ଟ ଅଧିକାରୀଙ୍କ ସହାୟତାରେ ଆରଏସଏସ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଆନୁଷଙ୍ଗିକ ସଂଗଠନର କର୍ମକର୍ତ୍ତାଙ୍କ ଦ୍ବାରା ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନଙ୍କୁ ଧର୍ମାନ୍ତରଣ କରାଇବା ଏବଂ ଅନ୍ଯାନ୍ଯ ମିଥ୍ୟା ଆରୋପ ଲଗାଯାଇ ସେମାନଙ୍କର ଧାର୍ମିକ ସ୍ଥଳ ଗୁଡ଼ିକ ଭଙ୍ଗାରୁଜା କରିବା ସହିତ ଅମାନବିକ ବ୍ୟବହାର ଏବଂ ମାରପିଟ କରି ଧନଜୀବନ ଏବଂ ବ୍ୟକ୍ତିଗତ ସମ୍ପତି ଗୁଡ଼ିକର କ୍ଷତି କରାଯିବା ଭଳିଆ ଗୁରୁତର ଅନ୍ୟାୟ-ଅତ୍ୟାଚାର କରାଯାଉ ଅଛି ଯାହାର ସଜ୍ଞାନ ପୋଲିସ ପ୍ରଶାସନ ନେଉନାହିଁ କି ଦେଶର କୌଣସି ଅଦାଲତର ନ୍ୟାୟାଳୟରେ ମଧ୍ଯ ଶୁଣାଣି କରାଯାଉ ନାହିଁ।ଏଣୁ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଉ ଅଛି କି ଉପରୋକ୍ତ ଗୁରୁତର ଅଭିଯୋଗ ଗୁଡ଼ିକର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଆରଏସଏସ ତଥା ଆନୁଷଙ୍ଗିକ ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ସମ୍ପୃକ୍ତ ଅପରାଧୀ କର୍ମକର୍ତ୍ତାଙ୍କ ଉପରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଅନ୍ୟଥା ଆଗାମୀ ଦିନରେ ରାଷ୍ଟ୍ରବ୍ୟାପୀ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ଯ ହେବୁ ।
ଏହି ଆନ୍ଦୋଳନରେ ସାମିଲ ଥିବା ଅନ୍ୟ ମାନଙ୍କ ମଧ୍ଯରେ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଆଇନଜୀବି ଭାଦୁରାମ ସୋରେନ, ବହୁଜନ ମୁକ୍ତି ପାର୍ଟିର ରାଜ୍ଯ ଉପସଭାପତି ବୈଦ୍ୟନାଥ ସିଂ, ଭାରତୀୟ ବେରୋଜଗାର ମୋର୍ଚ୍ଚାର ଜିଲ୍ଲା ସେକ୍ରେଟାରୀ ଜଗନ୍ନାଥ ସିଂହ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ଉପସଭାପତି କରନାଥ ହେମ୍ବ୍ରମ, ବହୁଜନ ମୁକ୍ତି ପାର୍ଟିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗାଚରଣ ସିଂହ, କନ୍ଦା ବାସ୍କେ, ଶଙ୍କର ସିଂହ ଆଦି ଉପସ୍ଥିତ ଥିଲେ ।