ଡାକ୍ତରଖାନା ନିର୍ମାଣ ସ୍ଥାନ ପରିବର୍ତ୍ତନ ନେଇ ଅସନ୍ତୋଷ

ବେତନଟୀ,( ଉଦିତ କୁମାର ପରିଡା):ବେତନଟୀସ୍ଥିତ ତୁଳସୀଚଉରାରେ ନିର୍ମାଣ ହେବାକୁ ଥିବା ଉପଖଣ୍ଡସ୍ତରୀୟ ୩୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ନହଣ୍ଡାଶୋଳକୁ ସ୍ଥାନାନ୍ତର ହେବା ଖବର ଆସିବା ପରେ ବେତନଟୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ବେତନଟୀ ଅଞ୍ଚଳର ଯୁବ ସଂଗଠକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନ ଯେପରି ମାରୱାଡି ଯୁବ ମଞ୍ଚ, ସୈନିକ କ୍ଲବ, ଅନେକ ମହିଳା ସଂଗଠନ ପକ୍ଷରୁ ଆଜି ବେତନଟୀ ତହସିଲଦାରଙ୍କ ଡାକ୍ତରଖାନାର ନିର୍ମାଣ ସ୍ଥାନ ସ୍ଥାନାନ୍ତର ବିରୋଧରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ସେହିପରି ବେତନଟୀର ଆମେ ୮୩ ସଂଗଠନ , ରୋଟାରୀ କ୍ଲବ, ବେତନଟୀ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଡାକ୍ତରଖାନା ନିର୍ମାଣ ସ୍ଥାନ ସ୍ଥାନାନ୍ତରକୁ ରୋକିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଅନେକ ଦିନରୁ ବେତନଟୀରେ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ଆବଶ୍ୟକତା ରହିଥିବା ବେଳେ ତାହାକୁ ରାଜ୍ୟ ସରକାର ଦୃଷ୍ଟିରେ ରଖି ୩୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏଥି ନିମନ୍ତେ ଗତ ଦୁଇ ମାସ ତଳେ ବଡ଼ସାହି ବିଧାୟକ , ଡାକ୍ତରୀ ଟେକ୍ନିକାଲ ଟିମ, ବିଡ଼ିଓ, ତହସିଲଦାର, ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ ତୁଳସୀଚଉରା ଷ୍ଟାଡିୟମ ନିକଟସ୍ଥ ଖାତା ନମ୍ବର ୪୫୪ ଓ ପ୍ଲଟ ନମ୍ବର ୭ ରେ ରହିଥିବା ସରକାରୀ ଜମିକୁ ଡାକ୍ତରଖାନା ନିର୍ମାଣ ନିମନ୍ତେ ଚି଼ହ୍ନଟ କରାଯାଇଥିଲା। ହେଲେ କିଛି ଦିନ ତଳେ ତୁଳସୀଚଉରାରେ ନିର୍ମାଣ ପାଇଁ ହେବାକୁ ଥିବା ଡାକ୍ତରଖାନା ସେଠାରେ ୭କିଲୋମିଟର ଦୂର ନହଣ୍ଡାଶୋଳ ଗ୍ରାମର ଖାତା ନମ୍ବର ୧୬୨ ପ୍ଲଟ ନମ୍ବର ୨୯/୧ ରେ ନିର୍ମାଣ ହେବା ନେଇ ଅର୍ଡର ଆସିଥିବା ନୋଟିସ ୩୨୮ ତା ୨୧. ୧. ୨୦୨୫ ରେ ନଜର ଆସିଥିଲା। ଏହି ଖବର ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବେତନଟୀ ଆଗାମୀ ଦିନରେ ଏନ ଏ ସି ହେବାକୁ ଥିବା ବେଳେ ବେତନଟୀରେ ସମସ୍ତ ପ୍ରକାର ଗମନା ଗମନର ସୁବିଧା ରହିଛି, ଏଣୁ ତୁଳସୀଚଉରାରେ ନୂତନ ଡାକ୍ତରଖାନା ହେଲେ ଲୋକ ସ୍ୱଳ୍ପ ଦୂରରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ପାଇପାରିବେ, ହେଲେ ଏହା ଯଦି ୭କିଲୋମିଟର ଦୂର ନାହୋଣ୍ଡାଶୋଳ ଗ୍ରାମରେ ହୁଏ ତାହେଲେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେବେ। ସେଠାକୁ କୌଣସି ଗମନାଗମନ ପାଇଁ ଭଲ ରାସ୍ତା ନାହିଁ ଜନବହୁଳ ବେତନଟୀରୁ ସେହି ଡାକ୍ତରଖାନାକୁ ରୋଗୀମାନେ ଯିବା ସମ୍ଭବ ହେବନାହିଁ, ଏଣୁ ବେତନଟୀ ତୁଳସୀଚଉରା ସ୍ଥାନଟି ହିଁ ଉପଯୁକ୍ତ ସ୍ଥାନ ବୋଲି ସମସ୍ତ ସଂଗଠନମାନେ ମତବ୍ୟକ୍ତ କରିଥିଲେ । ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଡାକ୍ତରଖାନା ସ୍ଥାନ ପରିବର୍ତ୍ତନ କରି ନହଣ୍ଡାଶୋଳରୁ ତୁଳସୀଚଉରା ନକରାଯାଏ ତାହେଲେ ସଂଗଠନଗୁଡିକ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ନେଇ ଯୁବ ନେତା ସିଦ୍ଧାର୍ଥ ଅଗ୍ରୱାଲ ଚେତାବନୀ ଦେଇଛନ୍ତି । ବେତନଟୀ ତହସିଲଦାର ଶରତ ଚନ୍ଦ୍ର ରାଉତଙ୍କ କହିବା ଅନୁସାରେ ମୁଁ ଏହି ତହସିଲକୁ ଆସିବା ପୂର୍ବରୁ ପୂର୍ବ ତହସିଲଦାର ଓ ମେଡିକାଲ ଟେକ୍ନିକାଲ ଟିମ ପୂର୍ବରୁ ନହଣ୍ଡାଶୋଳ ସ୍ଥାନକୁ ଚି଼ହ୍ନଟ କରି ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଯାଇଥିଲେ। ମୁଁ ଆସିବା ପରେ ତୁଳସୀଚଉରାରେ ଥିବା ସ୍ଥାନକୁ ଡାକ୍ତରୀ ଟିମ ଉପସ୍ଥିତିରେ ଚି଼ହ୍ନଟ କରିଥିଲୁ, ସଂଗଠନମାନଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ପତ୍ର ଗୁଡିକୁ ବିଚାରକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିବା ସହ ଏବିଷୟରେ ଆଲୋଚନା କରିବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ