ବୋଟ ଏବଂ ବାଇକରେ ବନ୍ୟାଞ୍ଚଳରେ ବୁଲିଲେ ଓ ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଧାମନଗର (ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବନ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଗ୍ରସ୍ତ ବେଳେ ବୋଟରେ ଯାଇ ବନ୍ୟା ଘେରରେ ଥିବା ଦୁର୍ଗତଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ।ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଆସି ଅପରାହ୍ନରେ ଭଦ୍ରକସ୍ଥିତ ନୂଆ ସର୍କିଟ ହାଉସରେ ପହଞ୍ଚିଥିଲେ।ଏଠାରୁ ସଡକ ପଥରେ ଆସି ତିହିଡି ବ୍ଲକସ୍ଥିତ ବୋଡ଼କ ପଞ୍ଚାୟତର ଓରାଳି ଠାରେ ପହଞ୍ଚିଥିଲେ।ସେଠାରୁ ସରକାରୀ  ବୋଟ ଯୋଗେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଈଶ୍ଵରପୁର ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ଧରି ବୈତରଣୀ ଏବଂ ସାଳନ୍ଦୀ ନଦୀର ବନ୍ୟା ଯୋଗୁଁ କଲବଲ ହୋଇ ଯନ୍ତ୍ରଣାରେ ସଢୁ ଥିବା ବିପନ୍ନମାନଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର କଥା ଶୁଣିଥିଲେ ଏବଂ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ସହାୟତା ଆଦି ବିଷୟ ପଚାରି ବୁଝିଥିଲେ।ବନ୍ୟା ବିପର୍ଯ୍ୟସ୍ତ ସମୟରେ ଲୋକଙ୍କ ନିକଟରେ ଶୁଖିଲା ଓ ରନ୍ଧାଖାଦ୍ୟ ଉପଲବ୍ଧ କରାଇବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହିତ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆସିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ୟାଞ୍ଚଳରେ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ କଥା ଶୁଣିଥିଲେ।ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସେ ବୋଡକ ଅଞ୍ଚଳରେ ରହିଥିବା ଦେଖା ଯାଇଥିଲା।ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ,ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ବିଜେପି ସଭାପତି ରାଜ୍ୟସଭା ସାଂସଦ ମନମୋହନ ସାମଲ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ,ଧର୍ମଶାଳା ବିଧାୟକ ଲିକୁ ସାହୁ ପ୍ରମୁଖ ବନ୍ୟା ପରିଦର୍ଶନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର,ଭଦ୍ରକ ଏସପି ମନୋଜ ରାଉତ,ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ