ଏନଏଚ-୫୩ରେ ରାସ୍ତା ଭୁଷୁଡିବା ଘଟଣା: ରାଜପଥ ଆଞ୍ଚଳିକ ଅଧିକାରୀଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଏନଏଚ-୫୩ ଜାତୀୟ ରାଜପଥ ରାସ୍ତା ଭୁଷୁଡିବା ଘଟଣା ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ରାଜପଥ କର୍ତ୍ତୃପକ୍ଷଙ୍କୁ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏନଏଚ-୫୩ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ନିମ୍ନମାନର ଓ ତ୍ରୁଟିପୂର୍ଣ୍ଣ ରାସ୍ତା କାର୍ଯ୍ୟ ନେଇ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଏନଏଚଏଆଇ ଆଞ୍ଚଳିକ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗରେ ଏନଏଚ-୫୩ ର ତତ୍କାଳ ବୈଷୟିକ ଯାଞ୍ଚ, ସ୍ୱାଧୀନ ଗୁଣବତ୍ତାର ଯାଞ୍ଚ କରାଯିବା ସହିତ ସମଗ୍ର ଘଟଣାର ତଦନ୍ତ କରାଯାଇ ଏଥିନିମନ୍ତେ ଦାୟୀ ଠିକାଦାର, ଯନ୍ତ୍ରୀ, ପରାମର୍ଶଦାତା ଓ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ପୂର୍ବକ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି। ବିଶେଷକରି ୧୬ ଅଗଷ୍ଟ ୨୦୨୬ରେ ମହାକାଳପଡ଼ା ନୀଳାଚଳ ବଜାର ଛକ ନିକଟରେ ବର୍ଷା ପରେ ଏନଏଚ-୫୩ ର କେତେକ ଅଂଶ ଧସିଯାଇ ତିନୋଟି ଟ୍ରକ୍ ରାସ୍ତା ତଳକୁ ଖସିପଡ଼ିବା ଘଟଣାର ତତ୍କାଳ ବୈଷୟିକ ତଦନ୍ତ ପାଇଁ ଦାବି କରାଯାଇଛି। ରାସ୍ତାର ଗୁଣବତ୍ତା, ଏମ୍ବାକମେଣ୍ଟ, ଡ୍ରେନେଜ୍, ପେଭମେଣ୍ଟର ମୋଟେଇ, ନିର୍ମାଣ ସାମଗ୍ରୀ, ସଂକୋଚନ, କ୍ୱାଲିଟି କଂଟୋଲ ପରୀକ୍ଷା ରିପୋର୍ଟ, ମାପବହି ଓ ଦେୟ ସମ୍ପର୍କିତ ରେକର୍ଡ ଯାଞ୍ଚ କରିବା ସହିତ ତ୍ରୁଟିପୂର୍ଣ୍ଣ ଅଂଶକୁ ତତ୍କାଳ ମରାମତି/ପୁନଃନିର୍ମାଣ କରିବା ସହ ତଦନ୍ତର ଆକ୍ସନ ଟେକନ ରିପୋର୍ଟ (ଏଟିଆର) ପ୍ରଦାନ କରିବାକୁ ଦାବି କରାଯାଇଛି।ଏହି ଅଭିଯୋଗ ପ୍ରଦାନ ସମୟରେ ଯୁବ ସ୍ୱାଭିମାନ ମଞ୍ଚର ସଭାପତି ଇଂ ସ୍ମୃତି ରଞ୍ଜନ ଜେନାଙ୍କ ନେତୃତ୍ୱରେ ଧରିତ୍ରୀ ଜେନା, ଦେବଦତ୍ତ ରାଉତ, ଦୀପ୍ତି ରଞ୍ଜନ ଦାସ, ଅବିନାଶ ସ୍ୱାଇଁ, ବିଶ୍ୱ ରଞ୍ଜନ ପଣ୍ଡା, ଜାଲେନ୍ଦ୍ର ପାତ୍ର, ମିଟୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଜନସୁରକ୍ଷା ଓ ସରକାରୀ ଅର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଏନଏଚ-୫୩ ସମ୍ପର୍କରେ ତତ୍କାଳ, ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଯୁବ ସ୍ୱାଭିମାନ ମଞ୍ଚ ଦାବିକରିଛି।


