ମେୟର ସୁବାସ ସିଂହ ଏବଂ କମିଶନର ସୁଶ୍ରୀ କିରଣଦୀପ କୌର ସହୋତାଙ୍କ ସମ୍ବର୍ଦ୍ଧନା

କଟକ (ଓ୍ବାଇଏନଏସ): ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ଓ ଓଡ଼ିଆ ଜାତିର ଗୌରବମୟ ଇତିହାସକୁ ସୁରକ୍ଷିତ ଓ ସ୍ମରଣୀୟ କରି ରଖିବା ଦିଗରେ କଟକ ପୌରନିଗମ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକର ଦରଘାବଜାରସ୍ଥିତ ଯେଉଁ ସ୍ଥାନରୁ ଓଡ଼ିଆ ତଥା ଓଡ଼ିଶା ର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା, ସେହି ଐତିହାସିକ ପ୍ରକାଶନ ସ୍ଥାନକୁ କଟକ ମହାନଗର ନିଗମ ସ୍ମାରକୀପୀଠ ଭାବେ ଘୋଷଣା କରିଛି । କଟକ ମହାନଗର ନିଗମ ର ୪୧ତମ ସାଧାରଣ ଅଧିବେଶନରେ ଏ ସମ୍ପର୍କିତ ପ୍ରସ୍ତାବ କଟକର ମେୟର ଶ୍ରୀ ସୁବାସ ସିଂହ ଆଗତ କରିଥିଲେ। ବିଜୁ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାଉନସିଲ ବୈଠକରେ ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହେବା ଏହି ଐତିହାସିକ ସ୍ଥାନର ଗୁରୁତ୍ୱକୁ ଆହୁରି ପ୍ରତିପାଦିତ କରିଛି। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ କଟକର ଦରଘାବଜାରରୁ “ଉତ୍କଳ ଦୀପିକା” ର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଉଦ୍ୟମରେ ଦରଘାବଜାରରେ କଟକ ପ୍ରିଣ୍ଟିଂ କମ୍ପାନୀ ଲିମିଟେଡ୍ ଗଠନ ହୋଇଥିଲା ଏବଂ ସେଠାରୁ ଏହି ଐତିହାସିକ ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ‘ଉତ୍କଳ ଦୀପିକା’ କେବଳ ଏକ ସମ୍ବାଦପତ୍ର ନଥିଲା; ଏହା ଥିଲା ଓଡ଼ିଆ ଜାତିର ଚେତନା, ଅଧିକାର ଓ ଆତ୍ମସମ୍ମାନର ଏକ ଶକ୍ତିଶାଳୀ ସ୍ୱର। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କ ଦୁଃଖଦୁର୍ଦ୍ଦଶାକୁ ସରକାରଙ୍କ ନଜରକୁ ଆଣିବା ସହିତ ଓଡ଼ିଆ ଭାଷାର ସୁରକ୍ଷା ଓ ଅସ୍ତିତ୍ୱ ପାଇଁ ଚାଲିଥିବା ସଂଗ୍ରାମରେ ଏହି ସମ୍ବାଦପତ୍ରର ଭୂମିକା ଅତୁଳନୀୟ ଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସାମାଜିକ ଆନ୍ଦୋଳନର ଏକ ପ୍ରମୁଖ ମୁଖପତ୍ର ଭାବେ ଏହା କାର୍ଯ୍ୟ କରିଥିଲା। ଏହି ଐତିହାସିକ ସ୍ଥାନର ଗୁରୁତ୍ୱ କେବଳ ‘ଉତ୍କଳ ଦୀପିକା’ର ପ୍ରକାଶନ ମଧ୍ୟରେ ସୀମିତ ନୁହେଁ। ସେହି କୋଠାର ଦ୍ୱିତୀୟ ମହଲାରେ ଉତ୍କଳ ସଭାର ବୈଠକ ଅନୁଷ୍ଠିତ ହେଉଥିଲା। ୧୮୮୨ ମସିହାରେ ସେଠାରେ ଲର୍ଡ ରିପନଙ୍କ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ପ୍ରଥମ ଆଲୋଚନା ହୋଇଥିବାରୁ ଏହି ସ୍ଥାନଟି କଟକ ତଥା ଓଡ଼ିଶାର ରାଜନୈତିକ ଓ ସାମାଜିକ ଇତିହାସର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଭାବେ ପରିଗଣିତ ହୁଏ। ଏହି ଐତିହାସିକ ନିଷ୍ପତ୍ତିକୁ ନେଇ ଆଜି ଡା. ବିଜୟାନନ୍ଦ ସିଂହଙ୍କ ନେତୃତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଟକ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ସାମାଜିକ କର୍ମୀ ଓ ସାଧାରଣ ଜନତା ଯୋଗଦେଇ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଇନ୍ଦ୍ରଜିତ ଘୋଷ, ପ୍ରଗତିବାଦୀ କଟକ ଜିଲ୍ଲା ରିପୋର୍ଟର ଶ୍ରୀ ପ୍ରଦୀପ ସାହୁ, ଏ. ମହାପାତ୍ର, ଶିବାଶିଷ କର, ମନୋରଞ୍ଜନ ମହାପାତ୍ର, ଚଣ୍ଡୀ ପ୍ରସାଦ ଭଦ୍ର, ସ୍ୱୟମ୍ଭୁ ମହାପାତ୍ର, ଅକ୍ଷୟ କୁମାର ଭଦ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଜନସାଧାରଣ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ‘ଉତ୍କଳ ଦୀପିକା’ର ପ୍ରକାଶନ ସ୍ଥାନର ସ୍ମାରକୀକରଣ କେବଳ ଏକ ପୁରୁଣା କୋଠାର ସୁରକ୍ଷା ନୁହେଁ; ଏହା ଓଡ଼ିଆ ଜାତିର ଭାଷା, ସାହିତ୍ୟ, ସାମ୍ବାଦିକତା ଓ ଆତ୍ମପରିଚୟର ଏକ ଅମୂଲ୍ୟ ଐତିହ୍ୟକୁ ସୁରକ୍ଷିତ କରିବାର ପ୍ରୟାସ। ବିଶେଷକରି ଯୁବପିଢ଼ି ଯେପରି ଓଡ଼ିଆ ସାମ୍ବାଦିକତାର ଜନ୍ମ ଓ ଓଡ଼ିଆ ଭାଷା ଆନ୍ଦୋଳନର ଇତିହାସ ସମ୍ପର୍କରେ ଜାଣିପାରିବେ, ସେଥିପାଇଁ ଏହି ସ୍ଥାନକୁ ଏକ ସୁନ୍ଦର ଐତିହାସିକ ପର୍ଯ୍ୟଟନ ଓ ଜ୍ଞାନକେନ୍ଦ୍ର ଭାବେ ବିକଶିତ କରିବାର ଆବଶ୍ୟକତା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ସରକାରୀ ବିଭାଗକୁ ଅବଗତ କରାଯିବ। କାଉନସିଲରେ ଗୃହୀତ ପ୍ରସ୍ତାବ ଅନୁଯାୟୀ, ଏ ସମ୍ପର୍କରେ ରାଜ୍ୟର ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅବଗତ କରାଯିବ। ସ୍ମାରକୀପୀଠର ସଂରକ୍ଷଣ, ବିକାଶ ଓ ଐତିହାସିକ ମର୍ଯ୍ୟାଦାକୁ ଉପଯୁକ୍ତ ଭାବେ ରକ୍ଷା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ। ମେୟର ଶ୍ରୀ ସୁବାସ ସିଂହ କହିଛନ୍ତି ଯେ, କଟକ ପୌର ପରିଷଦର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସହରର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ‘ଉତ୍କଳ ଦୀପିକା’ର ଐତିହାସିକ ପ୍ରକାଶନ ସ୍ଥାନକୁ ସଂରକ୍ଷଣ କରି ଏହାକୁ ଆଗାମୀ ପିଢ଼ି ପାଇଁ ଏକ ଜୀବନ୍ତ ଇତିହାସର ସାକ୍ଷୀ ଭାବେ ବିକଶିତ କରାଯିବ। ଐତିହ୍ୟ ସୁରକ୍ଷା ପାଇଁ ଏକ ନୂଆ ଅଧ୍ୟାୟ କଟକ ହେଉଛି ଓଡ଼ିଶାର ଐତିହାସିକ, ସାହିତ୍ୟିକ ଓ ସାଂସ୍କୃତିକ ଚେତନାର ଏକ ପ୍ରମୁଖ କେନ୍ଦ୍ର। ‘ଉତ୍କଳ ଦୀପିକା’ର ପ୍ରକାଶନ ସ୍ଥାନକୁ ସ୍ମାରକୀପୀଠ ଘୋଷଣା କରାଯିବା ଏହି ଗୌରବମୟ ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ିବାରେ ଏକ ମାଇଲଖୁଣ୍ଟ ହୋଇପାରିବ। ଓଡ଼ିଆ ସାମ୍ବାଦିକତାର ଜନ୍ମସ୍ଥଳୀ, ଭାଷା ଆନ୍ଦୋଳନର ଏକ ପ୍ରମୁଖ ସ୍ମୃତିସ୍ଥଳ ଏବଂ ଓଡ଼ିଆ ଜାତୀୟ ଚେତନାର ଏକ ଐତିହାସିକ ପୀଠ ଭାବେ ଏହି ସ୍ଥାନ ଭବିଷ୍ୟତରେ କଟକର ଏକ ପ୍ରମୁଖ ଐତିହ୍ୟସ୍ଥଳୀର ମର୍ଯ୍ୟାଦା ଲାଭ କରିବ ବୋଲି ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଆଶା ପ୍ରକାଶ କରିଛନ୍ତି। ‘ଉତ୍କଳ ଦୀପିକା’ର ଗୌରବକୁ ସମ୍ମାନ ଏବଂ ଏହାର ଐତିହ୍ୟର ସଂରକ୍ଷଣ—ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ଗୌରବମୟ ଅତୀତକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ଦୃଢ଼ ପଦକ୍ଷେପ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ