ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ୨ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ବୁଡ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପବିତ୍ର ମାଘସପ୍ତମୀ ଅବସରରେ ୨ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ, ସାଧୁସନ୍ଥ, ଭକ୍ତ ସମାଜ ଓ ଜନସାଧାରଣ ବୁଡ ପକାଇ ଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଠାରୁ ୩୦ ମିନିଟ ବିଳମ୍ବରେ ତ୍ରିଶମ୍ଭୁଙ୍କ ମହାସ୍ନାନ ବିଧି ସମ୍ପନ୍ନ ନେଇ ଶ୍ରଦ୍ଧାଳୁ ଭକ୍ତ ଓ ସାଧୁସନ୍ଥ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହା ବହୁଦିନର ପ୍ରାଚୀନ ପରମ୍ପରା ଭଲ ଭଙ୍ଗ କରିବା ସହିତ ଧାର୍ମିକ ରୀତିନୀତି ବିରୋଧୀ ବୋଲି ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବରରୁ ପ୍ରକାଶ ଯେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଧାରିତ ନୀତି ନୀର୍ଘଣ୍ଟ ମୁତାବକ ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ବାବା ଐଶାନେଶ୍ଵର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବ ପବିତ୍ର ମାଘସପ୍ତମୀ ଅବସରରେ ଷଷ୍ଠୀ ରାତିରେ ବର୍ଣ୍ଣାଢ୍ୟ ଆଲୋକ ବ୍ୟବସ୍ଥା ଓ ସାଜସଜ୍ଜା ମଧ୍ୟରେ ନିଜ ନିଜର ପୀଠରୁ ରାତ୍ର ୧୦ଘ ୪୫ ମିନିଟ ସମୟରେ ବିମାନ ବିଜେ କରି ଶୋଭାଯାତ୍ରାରେ ବାହାରି କୋଣାର୍କ ଏନଏସି ଭୋଗ ମଣ୍ଡପ ଠାରେ ରାତ୍ର ୧୨ଘ ସମୟରେ ପହଞ୍ଚି ଥିଲେ। ସେଠାରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସହ ଭୋଗ ଲାଗି କରାଯାଇଥିଲା। ପରେ ପରେ ତ୍ରିଶମ୍ଭୁଙ୍କୁ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ କୋଣାର୍କ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ ପୂଜାର୍ଚ୍ଚନା ଓ ଭୋଗ ଲାଗି କରାଯାଇଥିଲା। ବେହେରା ସେବାୟତ, ତ୍ରିଶମ୍ଭୁଙ୍କ ସେବକ ଓ ସାଧୁସନ୍ଥ ମାନଙ୍କ ଗହଣରେ ତ୍ରିଶମ୍ଭୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ଅନୁସାରେ ନ ପହଞ୍ଚି ପ୍ରାୟ ୩୦ ମିନିଟ ବିଳମ୍ବରେ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ପହଞ୍ଚି ଥିଲେ। ତ୍ରିଶମ୍ଭୁଙ୍କ ଶୋଭାଯାତ୍ରାରେ ପ୍ରତି ବର୍ଷ ଜିଲ୍ଲା ସ୍ତରୀୟ ଅଧିକାରୀ ସାମିଲ ହେଉଥିବା ବେଳେ ଚଳିତ ବର୍ଷ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ମଧ୍ୟରୁ କୌଣସି ଜିଲ୍ଲା ସ୍ତରୀୟ ଅଧିକାରୀ ଶୋଭାଯାତ୍ରାରେ ସାମିଲ ନ ହେବା ବୁଦ୍ଧିଜୀବୀ ଓ ଭକ୍ତ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ନିର୍ଦ୍ଧାରିତ ସମୟ ୪ଟା ୩୭ ମିନିଟ ବଦଳରେ ୪ଟା ୫୦ ମିନିଟ ସମୟରେ ତ୍ରିଶମ୍ଭୁଙ୍କ ସ୍ନାନ କାର୍ଯ୍ୟ ସଂପାଦନ ନେଇ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଳମ୍ବରେ ଶ୍ରଦ୍ଧାଳୁ ଓ ତ୍ରିଶମ୍ଭୁଙ୍କ ମହାସ୍ନାନ କେଉଁ ପରିସ୍ଥିତି ପାଇଁ ଘଟିଲା ଓ ଏଥିପାଇଁ ପାଇଁ କିଏ ଦାୟୀ ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଶ୍ରଦ୍ଧାଳୁ, ସଂସ୍କୃତି ବିଶାରଦ ଓ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି। ଭୋର ୫ଟା ୩ ମିନିଟ ସମୟରେ ୨ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପବିତ୍ର ମାଘସପ୍ତମୀ ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ। ଘନ କୁହୁଡି ଯୋଗୁଁ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ଦର୍ଶନ କରି ପାରି ନ ଥିଲେ। ପୁରୀ ଏସପି ବିନୀତ ଅଗ୍ରଓ୍ବାଲ ଙ୍କ ନେତୃତ୍ଵରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ, ମେଳା ପଡ଼ିଆ ଓ କୋଣାର୍କ ମୁଖ୍ୟ ବଜାର ସମେତ ବିଭିନ୍ନ ସ୍ଥାନରେ ୩୩ ପ୍ଲାର୍ଟୁନ ଫୋର୍ସ, ଲାଇଫ ଗାର୍ଡ, ଆଗ୍ନିକ, ବୋମା ନିଷ୍କ୍ରିୟ କାରୀ ଟିମ ଓ ପୋଲିସ ଅଧିକାରୀ ମାନଙ୍କୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁରକ୍ଷା ଓ ସୁରକ୍ଷିତ ସ୍ନାନ ନିମନ୍ତେ ମୁତୟନ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ମେଳା ପଡ଼ିଆରେ ଓ୍ବାଟକୋ ପକ୍ଷରୁ ୬୦ ଗୋଟି ଅସ୍ଥାୟୀ ନଳକୂପ ଓ ୪ଗୋଟି ଟ୍ଯାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଇଥିଲା। ସେହିପରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ଲାଇଟ ହାଉସ ସମ୍ମୁଖରେ ୧୦୦ରୁ ଊର୍ଦ୍ଧ୍ବ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାମଚଣ୍ଡୀ ପୀଠ, କୋଣାର୍କ ହେଲିପ୍ଯାଡ, ମେଳା ପଡ଼ିଆ ଓ କୋଣାର୍କ ବସଷ୍ଟାଣ୍ଡ ଠାରେ ୪ ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ ସେବା ଶିବିର ଖୋଲା ଯାଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା। ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଅବସରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ବରେ ୩୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ମୁତୟନ କରାଯାଇଥିଲା। ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଷ୍ଟଲ ମାନ କରାଯାଇ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା କାର୍ଯ୍ୟ ସଂପାଦନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଙ୍କ ନେତୃତ୍ଵରେ ମାଘସପ୍ତମୀ ବୁଡ ଅବସରରେ ହଜିଲା ଖୋଜିଲା ମଞ୍ଚ କରାଯାଇଥିଲା। ମାଘସପ୍ତମୀ ଅବସରରେ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ନିମନ୍ତେ ପ୍ରବେଶ ଶ୍ଲୁକ ଛାଡ ଥିବାରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇ ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିର ପରିଦର୍ଶନ କରିବା ପରେ ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ। ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ମେଳା ପଡ଼ିଆରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ