ସ୍ବୟଂସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇ ଚୁପ ବସିଗଲା ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍‌ର ୩୧ଟି ଯାକ ପଞ୍ଚାୟତରେ ପ୍ରଥମରୁ ପଞ୍ଚମ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୬୦ଟି ବିଦ୍ୟାଳୟ ସହ ୪୭ଟି ଉଚ୍ଚବିଦ୍ୟାଳୟ ଓ ୨ଟି ସଂସ୍କୃତ ବିଦ୍ୟାଳୟ ରହିଛି । ବିଦ୍ୟାଳୟଗୁଡିକର ୧୮୬୫୫ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବା ପାଇଁ ଚଳିତ ବର୍ଷ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ଵ ଦିଆଯାଇଛି। ବିଡିଓଙ୍କ ଅଧ୍ୟକ୍ଷତାରେ ବିପିସି, ବ୍ଲକ୍ ମହାସଂଘ, ସିଡିପିଓ ଓ ବ୍ଳକ୍ ଶିକ୍ଷାଧିକାରୀ ପ୍ରମୁଖ ବୈଠକ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନେଇଥିଲେ। ସେହି ଅନୁସାରେ ଆବେଦନ କରିଥିବା ୬ଟି ସ୍ବୟଂସହାୟକ ଗୋଷ୍ଠୀକୁ ଚୟନ କରାଯାଇଥିଲା । ସେମାନଙ୍କୁ ୮/୧୦/୨୦୨୪ ସୁଧା ପୋଷାକ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଯାହା ଜଣାପଡ଼ିଛି ହାଟଡିହି ବ୍ଲକ୍‌ରେ ଅଧିକାଂଶ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜେ ଡ୍ରେସ୍ ପ୍ରସ୍ତୁତ ନକରି ଦୋକାନରୁ କିଣି ଆଣି ବିଦ୍ୟାଳୟଗୁଡିକୁ ଯୋଗାଇ ଦେଇଛନ୍ତି । କେତେକ ସ୍ଥାନରେ ଏହା ଅତି ନିମ୍ନମାନର ହେଉଥିବାରୁ କିଛି ବିଦ୍ୟାଳୟ ଏହିିପୋଷାକ ଗ୍ରହଣ କରୁନାହାନ୍ତି । ଯାହାକୁ ନେଇ ଅନେକ ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆବଶ୍ୟକ ଭିତ୍ତି ଭୂମି ନ ଥିବା ଗୋଷ୍ଠୀଗୁଡିକୁ ଡ୍ରେସ୍ ପ୍ରସ୍ତୁତ ଦାୟିତ୍ଵ ଦିଆଯାଇଥିବା ଯୋଗୁ ଏପରି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ଉଲ୍ଲେଖ ଥାଉକି ଗତ ଅକ୍ଟୋବର ୮ ତାରିଖ ସୁଧା ସମସ୍ତ ବିଦ୍ୟାଳୟକୁ ପୋଷାକ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୫ମାସ ସମୟ ଅତିକ୍ରାନ୍ତ ପରେ ବି ଏଯାଏ ବ୍ଲକ୍‌ରେ ଅନେକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଯୋଗାଯାଇ ପାରିନି। ଆଜି ଏକ ଏସ.ଏସ.ଜି. ଗୁପ ସରଳା ପ୍ରାଥମିକ ବିଦ୍ୟାଳୟକୁ କିଛି ପୋଷାକ ନେଇ ବାଣ୍ଟିବାକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ସ୍କୁଲ କମିଟି ସଦସ୍ୟ ମାନେ ନିମ୍ନ ମାନର ପୋଷାକ ହୋଇଥିବାରୁ ତାହାକୁ ଫେରାଇ ଦେଇଥିବା ଜଣାଯାଇଛି। ତାଙ୍କ କହିବା କଥା ଏହି ସ୍କୁଲରେ ୯୩ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି। ୫ମାସ ବିତିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଷାକ ମିଳିଲାନି। ନିୟମାନୁଯାଇ ସଂପୃକ୍ତ ଏସ.ଏସ.ଜି. ଗ୍ରୁପ ପୂର୍ବରୁ ଆଣି ସାମ୍ପୁଲ ଦେଖାଇବା କଥା। ଆମେ ତାହା ଉପଯୁକ୍ତ ବୋଲି ପସନ୍ଦ କରିବା ପରେ ସେ ଯୋଗାଇବା କଥା। କିନ୍ତୁ ସେପରି ନକରି ନିମ୍ନ ମାନର ପୋଷାକ ଆଣିଲେ ଆମେ କିପରି ରଖିବୁ ବୋଲି ପରିଚାଳନା କମିଟର ସଦସ୍ୟ ମାନେ କହିଛନ୍ତି। ଖାଲି ଏହି ସ୍କୁଲ ନୁହେଁ ଶାଳଣିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ଏଠାରେ ୨୪୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ପଢୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଷାକ ବଣ୍ଟନ କରାଯାଉ ନାହିଁ। ନିମ୍ନମାନର ପୋଷାକ ଆଣୁଥିବାରୁ କମିଟି କର୍ତ୍ତୁପକ୍ଷ ଫେରାଇ ଦେଇଥିବା ଜଣାଯାଇଛି। କେବଳ ୟୁନିଫର୍ମ ଯୋଗାଣ ପାଇଁ ନିର୍ଦ୍ଦେଶ ଥିବାବେଳେ ହାଉସ ଡ୍ରେସ ନେବା ପାଇଁ ବାଧ୍ୟ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଦଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୫୦ରୁ ଉର୍ଦ୍ଧ୍ଵ ଛାତ୍ର ପଢୁଥିବା ବେଳେ ଆଉ ଦିନ କେଇଟା ପରେ ବାର୍ଷିକ ପରୀକ୍ଷା ହେବାକୁ ଥିବାବେଳେ ପୋଷାକ ଯୋଗାଇବାକୁ ଦାୟିତ୍ୱ ନେଇଥିବାସଂସ୍ଥା ଆଜି ପର୍ଯ୍ୟନ୍ତ ଏ ସ୍କୁଲକୁ ଯାଇନି। ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ସ୍କୁଲର ପିଲାମାନେ ଏବେ ଚିରାଫଟା ପୋଷାକ ପିନ୍ଧି ଆସୁଥିବାରୁ ବ୍ଲକ କର୍ତ୍ତୁପକ୍ଷ ଓ ବ୍ଲକ ଶିକ୍ଷା ଅଧିକାରୀଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ଏନେଇ ହାଟଡିହି ବ୍ଲକ ସହ ଶିକ୍ଷାଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ନିର୍ଦ୍ଧାରିତ ସମୟରେ ଡ୍ରେସ୍ ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକୁ ଚିଠି କରାଯାଇଥିଲା। କିନ୍ତୁ ୧୮୬୫୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏବେ ସୁଧା ୯୦ ଭାଗ ଛାତ୍ରଛାତ୍ରୀଙ୍କୁ ପୋଷାକ ଦିଆଯାଇଛି। କେତୋଟି ସ୍କୁଲ ପାଇ ନଥିବା ନଜରକୁ ଆସିଛି। ଅତିଶିଘ୍ର ୟୁନିଫର୍ମ ବଣ୍ଟନ କରାଯିବାର ବ୍ୟବସ୍ଥା କରାଇବୁ ବୋଲି କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ