ତହସିଲରୁ ପଲଥିନ ଚୋରି ଘଟଣା : ବାହାରିପାରୁନି ସତ, ତଦନ୍ତ ପ୍ରକ୍ରିୟା ଢିଲା
ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ କାର୍ଯ୍ୟାଳୟର ଷ୍ଟୋର ରୁମ୍ରୁ ୧୫୫ ବଣ୍ଡଲ ପଲିଥିନ ଚୋରି ହେବା ଘଟଣାକୁ ୧୭ ଦିନ ପୁରି ସାରିଛି l କିନ୍ତୁ ଅଦ୍ୟାବଧି ସତ ବାହାରି ପାରୁନି l ତଦନ୍ତ ଏବେ ମାନ୍ଦେଇ ଯାଇଛି l କିପରି, କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ଏବଂ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବାବଦରେ ଅଦ୍ୟାବଧି ରହସ୍ୟ ଉଠି ପାରିନି l କୌଣସି ସ୍ୱାର୍ଥ ଏବଂ ଅଦୃଶ୍ୟ ଚାପରେ ଘଟଣା ଦିନକୁ ଦିନ ଚେପା ହେଉଥିବା କୁହାଯାଉଛି l ଅପର ପକ୍ଷେ ତହସିଲଦାରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ୪ ଜଣିଆ ତଦନ୍ତକାରୀ ଟିମ ରିପୋର୍ଟ ପ୍ରଦାନ କରିଥିବା ତହସିଲଦାର ସଞ୍ଜୟ ସାମନ୍ତରାୟ ପ୍ରକାଶ କରିଛନ୍ତି l ସେ କହିଛନ୍ତି ଯେ ରିପୋର୍ଟ ଅନୁସାରେ ଷ୍ଟୋର ରୁମର ତାଲା ଭାଙ୍ଗିନଥିବା ବେଳେ ତାଲାରେ ଲାଗିଥିବା ଚେନ ର ଏକ କଡ଼ି କଟିଛି l ଷ୍ଟୋର ରୁମ ଚାବି କାଠି ନାଜିର ରାଜୀବ ଲୋଚନ ସାହୁଙ୍କ ପାଖରେ ରହୁଛି l ଚୋରି ପଲଥିନର ମୂଲ୍ୟ ଦର୍ଶାଯାଇନି l ଏପରିକି ତହସିଲ ଗେଟ ତାଲା ସୁରକ୍ଷିତ ଥିବା ବେଳେ ଘଟଣା ବାବଦରେ ବିଳମ୍ବରେ ଅଧିକାରୀଙ୍କୁ ଜଣାଇବାର କାରଣ ରିପୋର୍ଟରେ ଉଲ୍ଲେଖ ହୋଇନି କି ୱାଚ ମ୍ୟାନ ଭୂମିକା ସ୍ପଷ୍ଟ ହୋଇନି। ମୋଟ ୧୬୬ ବଣ୍ଡଲ ପଲିଥିନି ଥିବାବେଳେ ମାତ୍ର ୧୧ ବଣ୍ଡଲ ପଲିଥିନି ରହିଥିବା ଦର୍ଶା ଯାଇଛି। ବିନା ଗାଡ଼ିରେ କୌଣସି ଚୋର ଏତେ ପରିମାଣର ପଲଥିନ ବୋହିକି ନେବା ଅସମ୍ଭବ l ପ୍ରକୃତ ସତ ଉନ୍ମୋଚନ ପାଇଁ ପୁଲିସକୁ ଜଣାଇଛି l ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ ତହସିଲର ୱାଚ ମ୍ୟାନ ଏବଂ ନାଜିର ରାଜୀବ ଲୋଚନ ସାହୁଙ୍କୁ ପ୍ରାଥମିକ ଭାବେ ପଚରାଉଚରା ସରିଛି l ପରବର୍ତ୍ତୀ ତଦନ୍ତ ବାକି ଅଛି l ଯଥା ଶୀଘ୍ର ସମ୍ଭବ ଘଟଣା ଦିଗରେ ପଦକ୍ଷେପ ନିଆଯିବ l ସୂଚନା ଯୋଗ୍ୟ,ଗତ ଅକ୍ଟୋବର ମାସ ୨୬ ତାରିଖ ସୋମବାର ୧୫୫ଟି ବଡ଼ ବଡ଼ ପଲଥିନ ବଣ୍ଡଲ ଚୋରି ହୋଇଥିଲା l ଘଟଣାର ଦୁଇ ଦିନ ପରେ ୨୮ ତାରିଖ ବୁଧବାର ରାତି ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ମାମଲା ନଂ ୩୯୨/୨୦୨୬ ପଞ୍ଜିକରଣ କରିଥିଲା l ଘଟଣାର ଦୁଇ ଦିନ ପରେ ଥାନାରେ ଲିଖିତ ଅଭିଯୋଗ ହେବା ଏବଂ ତହସିଲଦାରଙ୍କୁ ଜଣାଇବା ସନ୍ଦେହ ସୃଷ୍ଟି କରିଥିଲା l


