ହାର୍ଦ୍ଦିକ୍ଙ୍କ ତ୍ୱରିତ ଶୁଣାଣି ଆବେଦନ ଅଗ୍ରାହ୍ୟ
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଯୁବ ପଟିଦାର ନେତା ହାର୍ଦ୍ଦିକ୍ ପଟେଲ୍ଙ୍କ ସବୁ ଆଶା ଧୂଳିସାତ୍ ହେବା ଆଶଙ୍କା ସୃଷ୍ଟି ହୋଇଛି । ୨ଠ୧୫ରେ ଗୁଜରାଟରେ ଆୟୋଜିତ ଏକ ରାଲି ଅବସରରେ ସଂଘଠିତ ଏକ ଦଙ୍ଗା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ହାର୍ଦ୍ଦିକଙ୍କ ଚଳିତ ନିର୍ବାଚନରେ ଅଂଶଗ୍ରହଣ କରିବା ଉପରେ ରୋକ୍ ଲାଗିଯାଇଥିଲା । ତେବେ ଏହି ମାମଲାରେ ତ୍ୱରିତ ଶୁଣାଣୀ ପାଇଁ ହାର୍ଦ୍ଦିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତ୍ୱରିତ ଶୁଣାଣି କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରି ଦେଇଛନ୍ତି । ହାର୍ଦ୍ଦିକଙ୍କ ଆବେଦନ ଉପରେ ଶୁଣାଣୀ ଆସନ୍ତା ୪ ତାରିଖରେ ହିଁ ହେବ ବୋଲି ସୁପ୍ରିମକୋର୍ଟ ଦିନ ଓ ତାରିଖ ଧାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଗୁଜରାଟରେ ନାମାଙ୍କନ ଦାଖଲ କରିବାର ଶେଷତାରିଖ ୪ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ହାର୍ଦ୍ଦିକଙ୍କ ପ୍ରାର୍ଥୀ ହେବାର ଆଉ କୌଣସି ସମ୍ଭାବନା ନଥିବା କୁହାଯାଉଛି । ଉଲ୍ଲେଖ ଯୋଗ୍ୟ, ୨ଠ୧୫ରେ ହୋଇଥିବା ମେହସାଣା ଦଙ୍ଗା ମାମାଲରେ ହାର୍ଦ୍ଦିକଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିରେ ତାଙ୍କୁ ୨ବର୍ଷର ଜେଲ ଦଣ୍ଡ ମିଳିଥିଲା । ତେବେ ଗୁଜରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ୨ବର୍ଷର ଜେଲ୍ଦଣ୍ଡକୁ ହଟାଇଦେଇଥିବା ସତ୍ତେ୍ୱ ତାଙ୍କୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ନିଷ୍ପତ୍ତିକୁ କାଏମ୍ ରଖିଥିଲେ । ଯେଉଁଥିପାଇଁ ସେ ଚଳିତ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ମାତ୍ର ହାର୍ଦ୍ଦିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନାମାଙ୍କନ ଦାଖଲ ତାରିଖ ଶେଷ ହେବା ପୂର୍ବରୁ ଶୁଣାଣି କରିବାକୁ ସେ ଯାଚିକାରେ ନିବେଦନ କରିଥିଲେ । କିନ୍ତୁ ଏଠି ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି ।


