ଲକ୍ଷାଧିକ ଟଙ୍କା ହେରଫେର ରାୟଗଡା ଡୁଡା ଅଧିକାରୀ ଫେରାର
ଗୁଣପୁର,(ୱାଇଏନଏସ): ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧୀନରେ ଥିବା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା(ଡୁଡା)ରେ ୧୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଛି । ଟଙ୍କା ହେରଫେର ପରେ ଗତ ଶୁକ୍ରବାର ଡୁଡାରେ କାର୍ଯ୍ୟରତ ଜନୈକ ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ବିନୟ ହରିଜନ ଫେରାର ହୋଇଯାଇଛନ୍ତି । ୩ ଦିନ ଧରି ବିନୟଙ୍କ ଫୋନ ସୁଇଚ୍ ଅଫ୍ ଥିବାବେଳେ କାର୍ଯ୍ୟାଳୟ କକ୍ଷରେ ତାଲା ଝୁଲୁଛି। ଫଳରେ ସୋମବାର ସଂସ୍ଥାର ଟିମ୍ ଲିଡର ସନ୍ଦୀପଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବାରଣ୍ଡାରେ ବସି ରହିଥିବା ଦେଖିବାକୁ ମିଳିଥିଲା | ଆର୍ଥିକ ହେରଫେର ନେଇ ଅନ୍ୟ ଅଧିକାରୀ ଓ କର୍ମଚାରୀ କୌଣସି ସୂଚନା ଦେଉନାହାନ୍ତି । ଏହି ସମ୍ପର୍କରେ ପୁଲିସକୁ କୌଣସି ସୂଚନା ଦିଆନଯାଇ ମ୍ୟାନଜ କରାଯାଇଛି। ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରୂପେ ଅତିରିକ୍ତ ଦାୟିତ୍ଵରେ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଅର୍ଥ ହେରଫେରକୁ ସ୍ବୀକାର କରିଛନ୍ତି। ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ ହୋଇଥିବା ଶ୍ରୀ ଖେମୁଣ୍ଡୁ ଗଣ ମାଧ୍ୟମକୁ କହିଛନ୍ତି| ଶନିବାର, ରବିବାର ଦିନ ଛୁଟି ଥିବା ହେତୁ ସୋମବାର କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଅପେକ୍ଷା କରି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ବିଭାଗୀୟ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ଶ୍ରୀ ଖେମୁଣ୍ଡୁ ସୂଚନା ଦେଇଛନ୍ତି। ଖବର ନେବାରେ ଜଣାପଡ଼ିଛିଯେ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧୦ଲକ୍ଷ ଟଙ୍କା ଚଞ୍ଚକତା କରି ନିଜ ଆକାଉଣ୍ଟକୁ ନେଇଯାଇଛନ୍ତି । ଟଙ୍କା ଟ୍ରାନ୍ସଫର ପରେ ଦୀର୍ଘ ୪ ଦିନ ହେବ ବିନୟ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବିନୟ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ । ଯାହାକି କୋଟି କୋଟି ଟଙ୍କାର କାରବାର । ତଦନ୍ତ ସମୟରେ ଦୋଷୀ ସାବ୍ୟସ୍ତ ହେଲେ ବିନୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଡିଓ ଶ୍ରୀ ଖେମୁଣ୍ଡୁ କହିଛନ୍ତି । ସେହିପରି ସରକାରୀ ଗାଡିର ତେଲ, ଦରମା ଓ ଅନ୍ୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଅତ୍ମସାତ୍ ହୋଇଥିବା ଆଶଙ୍କା କରାଯାଉଛି। ଅପର ପକ୍ଷରେ ପୁଲିସ ଥାନାରେ ବର୍ତ୍ତମାନ ସୁଦ୍ଧା ତାଙ୍କ ବିରୋଧରେ ଏତେଲା ନଦେବାରୁ ଅଧିକା ସନ୍ଦେହ ଦୃଢ଼ୀବୁତ ହେଉଛି। ଏମିତି ଅନେକ ଘୋଟଲା ରହିଥିବ,ଏହା ଗୋଟିଏ ଲୋକଲୋଚନକୁ ଆସିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଡୁଡ଼ା ସଂସ୍ଥାରେ ଫେରାର ବ୍ୟକ୍ତି ବିନୟ ହରିଜନଙ୍କ ସମେତ ପ୍ରାୟ ସମସ୍ତେ ଆଉଟସୋରସିଂ ଜରିଆରେ ଗୁରୁତ୍ୱପୂର୍ଣ୍ଣ ପଦଵୀରେ ନିଯୁକ୍ତି ପାଇଛନ୍ତି। ଏହିପରି ପରିସ୍ଥିତିରେ ଯାହା ଫଳାଫଳ ମିଳିବା କଥା। ଉଲେଖଯୋଗ୍ୟଯେ ଡୁଡା ସଂସ୍ଥା ଜିଲ୍ଲାରେ ଥିବା ରାୟଗଡା, ଗୁଣପୁର ମ୍ୟୁନିସିପାଲଟି ଏବଂ ଗୁଡାରି ଏନଏସି ର ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କାର୍ଯ୍ୟ ଏବଂ କୋଟି କୋଟି ଟଙ୍କାର ଅନୁଦାନ ମଂଜୁର ଇତ୍ୟାଦି କାର୍ଯ୍ୟ କରିଥାନ୍ତି। ମ୍ୟୁନିସିପାଲଟି ବିରୋଧରେ ଯେତେବଡ଼ ଅନିୟମିତତା ଓ ଦୁର୍ନୀତି ସମ୍ପର୍କ ଅଭିଯୋଗ ହେଲେ ଚତୁରତାର ସହ ତଦନ୍ତ ଆଳରେ ଚପେଇ ଦିଅନ୍ତି।


