ରେଙ୍ଗାଲବେଡା ବିଦ୍ୟାଳୟ ପ୍ରାଙ୍ଗଣରେ ଆମ ସଂସ୍କୃତି ଆମ ଖେଳଣା ବାର୍ଷିକ ଉତ୍ସବ
ଜମନକିରା, (ଲିପନ ନାଏକ):ରେଙ୍ଗାଳବେଡା ବିଦ୍ୟାଳୟ ପ୍ରାଙ୍ଗଣରେ ଆମ ସଂସ୍କୃତି ଆମ ଖେଳଣା ଆନୁକୂଲ୍ୟରେ ବାର୍ଷିକ ଉତ୍ସବ “ଆରୋହଣ” ଖୁବ୍ ଧୁମଧାମରେରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ପ୍ରଥମ ଅଧିବେଶନରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାର ସଭାପତି ଭାବରେ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ମୂଖ୍ୟ ଅତିଥି ଭାବରେ ଅଞ୍ଚଳର ସ୍ୱନାମଧନ୍ୟ ଡାକ୍ତର , ଅବୈତନିକ ବନ ସଂରକ୍ଷକ ତଥା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ ର ସଭାପତି ଡାକ୍ତର ଡଃ ହୃଦାନନ୍ଦ ନାୟକ , ମୂଖ୍ୟ ବକ୍ତା ଭାବରେ ଜମନକିରା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତି ଅରୁଣା ମିଶ୍ର ମହୋଦୟା ଏବଂ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରେବତୀ ମୋହନ ବାରିକ୍ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରାଚୀରପତ୍ର ‘ଆରୋହଣ’ କୁ ପ୍ରମୁଖ ଅତିଥି ପାଠକୀୟ ଆଦୃତି ନିମନ୍ତେ ଲୋକାର୍ପିତ କରିଥିଲେ । ଏଥି ସହିତ ଓଡିଆ ଘର ଚଳଣିକୁ ନେଇ ଆମ ଖେଳନା ପ୍ରଦର୍ଶନ କରାଯାଇଥିଲା । ଆୟୋଜିତ ସାଧାରଣ ସଭାକୁ କଳା ଶିକ୍ଷକ ଶ୍ରୀଯୁକ୍ତ ଚତୁର୍ଭୁଜ ସାହୁ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ମହାନ୍ତି ବୀବରଣୀ ପଠନ କରିଥିଲେ । ଉପାସନା ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପୂର୍ବଶିରୀକୁ ପ୍ରମୂଖ ଅତିଥି ଶ୍ରୀଯୁକ୍ତ ମହାନ୍ତି ସ୍ମୃତି ଚାରଣ କରିଥିବାବେଳେ ମୂଖ୍ୟ ଅତିଥି ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଏବଂ ସାମ୍ପ୍ରତିକ ପରିବେଶ ଓ ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ । ମୂଖ୍ୟ ବକ୍ତା ଶ୍ରୀମତି ପଣ୍ଡା ତାଙ୍କର ଔଜସ୍ବିନୀ ବକ୍ତବ୍ୟ ମାଧ୍ୟମରେ ସଫଳତାର ମନ୍ତ୍ର ବାଣ୍ଟିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବାରିକ୍ ଶୃଙ୍ଖଳା ସତ୍ୟନିଷ୍ଠ ଏବଂ ମଣିଷ ପଣିଆର ବାର୍ତ୍ତା ଦେଇ ସାମାଜିକ ଦାୟିତ୍ୱବୋଧ ନିମନ୍ତେ ଆଗାମୀ ପୀଢିଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସୁଗ୍ରୀବ ମାଝୀ, ପ୍ରତିଷ୍ଠାତା ସଭ୍ୟ ନୃପଲାଲ୍ ପଲାଇ, ଚିତ୍ତରଞ୍ଜନ ଶର୍ମା ପ୍ରଭୃତି ମଞ୍ଚାସୀନ ହୋଇଥିଲେ । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।