ଗାଁ ରାସ୍ତା କଡ ରେ ଚୋରା ଦେଶୀ ମଦ ବିକ୍ରି ଯୋଗୁଁ ସୁରକ୍ଷିତ ମଣୁ ନାହାନ୍ତି ମହିଳା ଓ ଛାତ୍ରୀ
ନିମାପଡ଼ା,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ଥାନା ପୋଲିସ ଓ ନିମାପଡ଼ା ଅବକାରୀ ବିଭାଗର ନିଷ୍କ୍ରିୟତା କାରଣରୁ ଗତ କିଛି ଦିନ ହେବ ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳ ରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଏସପି ଓ ଅବକାରୀ ବିଭାଗ ଏସପି ଙ୍କ ନିକଟରେ ତୁଳସୀପୁର ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ଚାରିଛକ – କାକଟପୁର ମୁଖ୍ୟ ରାସ୍ତା ରୁ ତୁଳସୀପୁର ଗ୍ରାମ କୁ ତ୍ରିନାଥ ମନ୍ଦିର ଠାରୁ ଯାଇଥିବା ରାସ୍ତା କଡ଼ରେ ଜୈନିକା ମହିଳା ଖୋଲା ଖୋଲି ଚୋରା ରେ ଦେଶୀ ମଦ କାରବାର କରୁଥିବାରୁ ଏହି ରାସ୍ତା ରେ ମଦ୍ୟପ ମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବା ରେ ଲାଗିଛି। ପ୍ରତ୍ୟେକ ଦିନ ଖରା ବେଳେ ଓ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଏହି ରାସ୍ତା ରେ ମଦ୍ୟପ ମାନେ ଆଡ୍ଡା ଜମାଉଛନ୍ତି। ଫଳରେ ଏହି ରାସ୍ତା ଦେଇ ମହିଳା ଓ ଛାତ୍ରୀ ମାନେ ଯିବା ଆସିବା କରିବାକୁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ବିଭିନ୍ନ ସମୟ ରେ ବହୁ ଅସାମାଜିକ ଯୁବକ ଏହି ରାସ୍ତା ରେ ମେଳି ବାନ୍ଧି ବସି ଅସଭ୍ୟ ଭାଷା ରେ ପାଟି ତୁଣ୍ଡ କରୁଛନ୍ତି। ଚୋରା ଦେଶୀ ମଦ କାରବାର ଯୋଗୁଁ ବିଭିନ୍ନ ପ୍ରକାରର ଛୋଟ ବଡ଼ ଅପରାଧ ମଧ୍ୟ ଘଟୁଛି।ଏ ସମ୍ପର୍କ ରେ ଗ୍ରାମବାସୀ ମାନେ ଚାରିଛକ ଥାନା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଖାଲି ଗୋଟିଏ ମାମଲା ରୁଜୁ କରିଦେଇ ଚୁପ୍ ହୋଇ ବସିଛି। ନିମାପଡ଼ା ସରକାରୀ ଦେଶୀ ମଦ ଦୋକାନ ରୁ ଏଠାକୁ ନିୟମିତ ଦେଶୀ ମଦ ଚୋରା ଚାଲାଣ ହେଉ ଥିବା ଅଭିଯୋଗ ହୋଇଛି।ତୁରନ୍ତ ଏଠାରେ ଚାଲିଥିବା ଚୋରା ଦେଶୀ ମଦ କାରବାର କୁ ବନ୍ଦ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ପୁରୀ ଜିଲ୍ଲା ର ଜିଲ୍ଲାପାଳ,ଏସ ପି ଓ
ଜିଲ୍ଳା ଅବକାରୀ ଏସ ପି ଙ୍କ ନିକଟରେ ଦାବୀ କରିଛନ୍ତି। ଯଦି ଯଥାଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବାଧ୍ୟ ହୋଇ ଗ୍ରାମବାସୀ ମାନେ ନିମାପଡ଼ା – ଅସ୍ତରଙ୍ଗ ମୁଖ୍ୟ ରାସ୍ତା କୁ ଅନିର୍ଦ୍ଦିଷ୍ଟ କାଳ ଅବରୋଧ କରିବେ ଓ ଏଥିପାଇଁ ପୋଲିସ, ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମ କମିଟି ସଭାପତି ବନବିହାରୀ ଦାଶ ଚେତାବନୀ ଦେଇଛନ୍ତି।