ଦୂର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୂର୍ଘଟଣାରେ ବାଇକ୍ ଚାଳକ ତଥା ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଆସିକା ଥାନା ଚନ୍ଦନପେଢି ଗ୍ରାମର ରାମଚନ୍ଦ୍ର ଜେନା (୪୮) ଓ ଆହତ ମାନେ ହେଲେ ମୃତକଙ୍କ ସ୍ତ୍ରୀ ରେବତୀ ଜେନା (୪୦) ଓ ଝିଅ ଗୁଡୁଲି ଜେନା (୧୦) ବୋଲି ଜଣାପଡିଛି।
ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ଆସିକା ଥାନା ଚନ୍ଦନପେଢି ଗ୍ରାମର ରାମଚନ୍ଦ୍ର, ସ୍ତ୍ରୀ ଓ ଝିଅଙ୍କୁ ନେଇ ବାଇକ୍ (ଓଆର୦୭ଏଏ ୭୧୫୬) ଯୋଗେ ବ୍ରହ୍ମପୁର ଠାରୁ କାମ ସାରି ଗାଁ ଅଭିମୁଖେ ଯାଉଥିଲେ। ସେହି ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ (ଓଡି୦୨ବିଏନ ୨୭୫୧) ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ବାଇକ୍ ସହ ମୁହାଁମୁହିଁ ଧକ୍କା ଘଟିଥିଲା। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଏକ ଆମ୍ବୁଲାନ୍ସ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆହତ ମା ଓ ଝିଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି। ଖବର ପାଇ ହିଞ୍ଜିଳି ଓ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ଚାଳକଙ୍କୁ ହିଞ୍ଜିଳି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଆସିକା ପୁଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି। ଶୁକ୍ରବାର ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି। ଗୁରୁତର ଗୁଡୁଲିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ