ଫାର୍ମାସିଷ୍ଟଙ୍କ ଇଞ୍ଜେକ୍ସନରେ ୬ ବର୍ଷର ରଶ୍ମିତାଙ୍କ ମୃତ୍ୟୁ ଘଟଣା : ତିନି ବର୍ଷ ହେଲା ନ୍ୟାୟ ପାଇଁ ବାପାର ସଙ୍ଘର୍ଷ ଜାରୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଥାନା ଆଳସାହି ପଞ୍ଚାୟତ ପାଟସୁନ୍ଦରପୁର ଗ୍ରାମରେ ଗତ ୧୬ ଅକ୍ଟୋବର ୨୦୨୨ ତାରିଖରେ ସନ୍ଧ୍ୟାରେ ଘଟିଥିବା ଏକ ଅଘଟଣ ଆଜି ବି ପରିବାରକୁ କନ୍ଦାଉଛି। ରାଜମିସ୍ତ୍ରୀ ସୁକାନ୍ତ ସେନାପତିଙ୍କ ୬ ବର୍ଷର ଏକମାତ୍ର ଝିଅ ରଶ୍ମିତା ସେନାପତିର ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇଥିଲା। ତିନି ବର୍ଷ ବିତିଲାଣି, କିନ୍ତୁ ମୃତକ ପରିବାରକୁ ଆଜି ଯାଏଁ ନ୍ୟାୟ ମିଳିନାହିଁ। ଏବେ ପୁଣି ଚର୍ଚାକୁ ଆସିଛି ପ୍ରଶାସନିକ ଅବହେଳା। ୧୬ ଅକ୍ଟୋବର ୨୦୨୨ ସନ୍ଧ୍ୟା ସମୟରେ ରଶ୍ମିତାକୁ ଜ୍ୱର ହୋଇଥିଲା। ବାପା ସୁକାନ୍ତ କାମକୁ ଯାଇଥିବାରୁ ଜେଜେମା ନାତୁଣୀକୁ ନେଇ ଗ୍ରାମରେ ଥିବା ଜଣେ ସରକାରୀ ଫାର୍ମାସିଷ୍ଟ ଙ୍କ ପାଖକୁ ଯାଇଥିଲେ। ଅଭିଯୋଗ ଅନୁସାରେ, ବାଙ୍ଗୁରିଗାଁ ମେଡ଼ିକାଲରେ ସରକାରୀ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ଗାଁ ରେ ଫାର୍ମାସିଷ୍ଟ ଜଣକ ବିନା ଟେଷ୍ଟ ଡୋଜରେ କଡା ଇଞ୍ଜେକ୍ସନ ଦେଇଥିଲେ।ଇଞ୍ଜେକ୍ସନ ଦେବାର ୪ ମିନିଟ ପରେ ଝିଅର ଅବସ୍ଥା ସଙ୍କଟାପନ୍ନ ହେଲା। ତୁରନ୍ତ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସେଠାରୁ ଚାରିଛକ ନିଆଗଲା। କିନ୍ତୁ ଡାକ୍ତର ଝିଅକୁ ମୃତ ଘୋଷଣା କଲେ। ଏକମାତ୍ର ଝିଅର ମୃତ୍ୟୁ ଖବର ଶୁଣି ମା’ କିଛି ମାତ୍ରାରେ ମାନସିକ ଭାରସାମ୍ୟ ରେ ଭାଙ୍ଗି ପଡିଲେ।କିନ୍ତୁ ଅସ୍ତରଙ୍ଗ ମେଡିକାଲରେ କାର୍ଯ୍ୟରତ ତତ୍କାଳୀନ ଡକ୍ଟର ସହିତ ଇଞ୍ଜେକ୍ସନ ଦେଇଥିବା ସରକାରୀ ଫାର୍ମାସିଷ୍ଟ ମଧ୍ୟରେ ମେଡିକାଲ ବାର୍ତ୍ତା ଆଳାପ ହୋଇଥିଲା। ଏହା ହିଁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଥିଲା। ବିନା ଡାକ୍ତରୀ ପରାମର୍ଶରେ ଜଣେ ଫାର୍ମାସିଷ୍ଟ କେମିତି କଡା ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ଦେଲେ ସ୍ୱାସ୍ଥ୍ୟ ବିଭାଗର ନିୟମ କଣ କେବଳ କାଗଜରେ କି ଝିଅ ମୃତ୍ୟୁର ନ୍ୟାୟ ପାଇଁ ବାପା ସୁକାନ୍ତ ସେନାପତି ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି। ସେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ୦୪.୧୦.୨୦୨୩ରେ ସୁକାନ୍ତ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କଲେ। ଅଭିଯୋଗରେ ଦର୍ଶାଇଥିଲେ – “ମୋ ଝିଅକୁ ଭୁଲ୍ ଇଞ୍ଜେକ୍ସନ ଦେଇ ମାରିଦିଆଗଲା। ମୁଁ ନ୍ୟାୟ ଚାହେଁ।” ଏହାପରେ ୦୭.୧୦.୨୦୨୩ ରାତି ୯.୪୦ରେ ଅସ୍ତରଙ୍ଗ ଥାନାରେ ୧୮୧/୨୩ ନମ୍ବରରେ ମାମଲା ରୁଜୁ ହେଲା।ଅସ୍ତରଙ୍ଗ ଥାନାର ଥାନାଅଧିକାରୀ ନିଜେ ତଦନ୍ତ ଭାର ନେଇଥିଲେ। ସାମାଜିକ କର୍ମୀ ସୁବ୍ରତ କୁମାର ଦାଶ ଜାତୀୟ ମାନବାଧିକାର ଆୟୋଗର ଦୃଷ୍ଟି ଆକର୍ଷଣ କରି ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଘଟଣାକୁ ୩ ବର୍ଷ ପୂରିବାକୁ ବସିଲାଣି। ମାମଲା ରୁଜୁକୁ ବି ୨ ବର୍ଷ ହେଲାଣି। କିନ୍ତୁ ଆଜି ଯାଏଁ ନ୍ୟାୟ ମିଳୁନାହିଁ।ଦୋଷୀ ସରକାରୀ ଫାର୍ମାସିଷ୍ଟଙ୍କ ବିରୋଧରେ କଡା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନି। ସରକାର କ୍ଷତିପୂରଣ ଦେଇନାହାନ୍ତି । ଏହା ସ୍ପଷ୍ଟ ପ୍ରଶାସନିକ ଅବହେଳା। ବିଶେଷ ସୂତ୍ରରୁ ସୂଚନା ମିଳୁଛି ଯେ, ଝିଅ ନ୍ୟାୟ ପାଇଁ ଲଢୁଥିବା ସ୍ନେହର ବାପା ସୁକାନ୍ତଙ୍କୁ ବିଭିନ୍ନ ସମୟରେ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦିଆଯାଉଛି ବୋଲି ଆଲୋଚନା ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗ୍ରାମାଞ୍ଚଳରେ ସରକାରୀ ଫାର୍ମାସିଷ୍ଟ ବିନା ଡାକ୍ତରଙ୍କ ପରାମର୍ଶରେ କଡା ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ କେମିତି ଦେଲେ? ଗରିବ ବୋଲି କଣ ନ୍ୟାୟ ମିଳିବନି? ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ପୁଲିସ ଡିଜି ଏହି ଘଟଣାରେ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ। ୧୫ ଦିନ ଭିତରେ ଉଚିତ ନ୍ୟାୟ ପାଇଁ ପଦକ୍ଷେପ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ଓ ମା’ଙ୍କ ଚିକିତ୍ସା ଖର୍ଚ ସରକାର ବହନ କରନ୍ତୁ। ପୁରୀ ଜିଲ୍ଲାର ସମସ୍ତ କ୍ୱାକ୍ ଓ ବେଆଇନ ଚିକିତ୍ସକଙ୍କ ବିରୋଧରେ ଅଭିଯାନ ଚଳାଯାଉ। ଏବେ ଗୋଟିଏ ପ୍ରଶ୍ନ – ୬ ବର୍ଷର ରଶ୍ମିତାର ଆତ୍ମାକୁ କେବେ ମିଳିବ ଶାନ୍ତି? ମୃତ ଝିଅର ବାପା-ମାଙ୍କୁ କେବେ ମିଳିବ ନ୍ୟାୟ? ଅସ୍ତରଙ୍ଗବାସୀ ତାହା ହିଁ ଅପେକ୍ଷା କରିଛନ୍ତି। ନ୍ୟାୟରେ ବିଳମ୍ବ ଅର୍ଥ ନ୍ୟାୟକୁ ଅସ୍ୱୀକାର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ