୫ ଜୁଲାଇରେ ଉନ୍ମୋଚନ ହେବ ସୁରେନ୍ଦ୍ର ନାଥ ନାୟକଙ୍କ ପ୍ରତିମୂର୍ତ୍ତି
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ନିର୍ବାଚନ ମଣ୍ଡଳୀର ପିତାମହ ଭାବେ ପରିଚିତ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ସୁରେନ୍ଦ୍ର ନାଥ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆସନ୍ତା ୫ ଜୁଲାଇ ରେ ସେବାରେ ସାରା ଦିନ ପାଳନ କରାଯିବ। ଏହି ଅବସରରେ କାକଟପୁରଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ ବୋଲି ପଦ୍ମ ଚରଣ ସାମନ୍ତସିଂହାର ଟ୍ରଷ୍ଟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୁରେନ୍ଦ୍ର ନାଥ ମେମୋରିଆଲ ଟ୍ରଷ୍ଟ ସଭାପତି ତଥା କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ଵାଧୀନ କୁମାର ନାୟକ( ବାବୁ )ଏହି ଆୟୋଜନର ତଦାରଖ କରୁଛନ୍ତି। ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟ୍ୟମରେ ଯୋଗଦେଇ ସ୍ବର୍ଗତଃ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
କାକଟପୁର, ଅସ୍ତରଙ୍ଗ, କୋଣାର୍କ ଅଂଚଳର ପିତାମହ ସୁରେନ୍ଦ୍ର ନାଥ ନାୟକ ନିଜ ଜୀବନକୁ ଗରିବ ଓ ବଞ୍ଚିତ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ। ତାଙ୍କର ସରଳତା, ନିଷ୍ଠା ଓ ଲୋକସଂପର୍କ ଯୋଗୁଁ ସେ ଆଜି ବି କାକଟପୁର, ଅସ୍ତରଙ୍ଗ ବାସୀଙ୍କ ହୃଦୟରେ ବଞ୍ଚି ରହିଛନ୍ତି। ତାଙ୍କ ଦେହାନ୍ତ ପରେ ବି ତାଙ୍କ ଆଦର୍ଶ ଯୁବ ପିଢି ପାଇଁ ପାଥେୟ ପାଲଟିଛି।
ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଦ୍ମ ଚରଣ ସାମନ୍ତସିଂହାର ଟ୍ରଷ୍ଟ ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ୫ ଜୁଲାଇ ଦିନ ସେବାରେ ସାରା ଦିନ ପାଳନ ସହ ଗରିବ ଓ ଆବଶ୍ୟକ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ। ସ୍ବର୍ଗତଃ ସୁରେନ୍ଦ୍ର ନାଥ ନାୟକଙ୍କ ଜନସେବା ଓ ଆଦର୍ଶ ପ୍ରତି ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। କାକଟପୁର ବିଧାୟକ ଇଂ.ତୁଷାରକାନ୍ତି ବେହେରା କହିଛନ୍ତି, “ସୁରେନ୍ଦ୍ରନାଥ ନାୟକ ଯେଉଁ ଆଦର୍ଶ ଛାଡି ଯାଇଛନ୍ତି ତାକୁ ଆଗକୁ ନେଇଯିବା ହିଁ ଆମର ସବୁଠୁ ବଡ ଶ୍ରଦ୍ଧାଞ୍ଜଳି। ତାଙ୍କ ନାଁରେ ହେବାକୁ ଥିବା ପ୍ରତିମୂର୍ତ୍ତି କାକଟପୁର ପାଇଁ ଗୌରବର ବିଷୟ”। ୫ଜୁଲାଇରେ ହେବାକୁ ଥିବା ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ହଜାର ହଜାର ସମର୍ଥକ ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସ୍ବର୍ଗତଃ ନାୟକଙ୍କ ପ୍ରତି ଶ୍ରଦ୍ଧା ଜଣାଇବେ ବୋଲି ଆଶା କରାଯାଉଛି। ପଦ୍ମ ଚରଣ ସାମନ୍ତସିଂହାର ଟ୍ରଷ୍ଟ ପରିଷଦ ପକ୍ଷରୁ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।


