ଚିଠି

ମୁନା ବୋଲି ଛୋଟ ପିଲାଟିଏ.ସବୁଦିନ ଅପେକ୍ଷା କରି ଠିଆ ହୋଇଥାଏ ଡାକଵାଲା ବା ଡାକିଆ ମଉସାଙ୍କୁ. ହାତରେ ଗୋଟିଏ ମାଟିଆ ଖୋଳର ଲଫାପା. ଡାକିଆ ମଉସା ଏଇ କେତେଦିନ ହେବ ଜାଣିସାରିଥିଲେ ପିଲାଟି ଯଦିଓ ତା ଫଉଜି ବାପାଙ୍କ ପାଇଁ କିଛି ସନ୍ଦେଶ ଦେବାକୁ ଚାହେଁ କିନ୍ତୁ ଜାଣିନଥାଏ ପୋଷ୍ଟ ଅଫିସ କୋଉଠି ବା କୋଉ ବକ୍ସରେ କେମିତି ଚିଠି ପକାଅଇବାକୁ ହୁଏ ତ ଭାବେ ଡାକ ବା ରେଷ୍ଟ୍ରି ଚିଠି ସବୁ ଦେଇଯାଉଥିବା ଡାକିଆ ମଉସା ନିଶ୍ଚୟ ଚିଠି ନେଇଯାଉଥିବେ ସମସ୍ତଙ୍କ ଘର ଘର ବୁଲି. ଆଜିକାଲି ସେ ଯୁଗ ନାହିଁ.ଆଜି ଜନ୍ମ ହେଲା ପିଲା କାଲି ମୋବାଇଲ ନଦେଖିଲେ ଖାଏନି କି ମୋବାଇଲ ଦେଖି ପାପା ପାପା କହି କଥା ହୁଏ ଦୂର ବିଦେଶରେ ଥିବା ପାପା ବା ବାପା ସଙ୍ଗେ ନୁହେଁ ବରଂ ଡ୍ରଇଁ ରୁମ କି ଗାଧୁଆ ଘରେ ଥିବା ବାପାଙ୍କ ସହିତ . ଏ ପିଲାଟିକୁ ନିଶ୍ଚୟ ମୋବାଇଲ ଠାରୁ ଦୂରରେ ରଖାଯାଇଛି. ଭଲ ସଂସ୍କୃତି ଶିକ୍ଷା ଦିଆଯାଇଛି ଭାବି ଡାକିଆ ମଉସା ଘଡିଏ ହେଉ ବା ଦଣ୍ଡେ ସାଇକେଲ ଠିଆ କରି ପଚାରନ୍ତି ତୋ ନାମ କଣ ପୁଅ? ଏହି ଲଫାପାରେ କଣ ଅଛି? ମୁନା କେବେ କହେ ମୋ ଫଉଜି ପାପା ପାଇଁ ଚିଠି ତ କେବେ କହେ ପିଜୁଳି ପୁଣି କେବେ ଆମ୍ବ ତ କେବେ କହେ ଚକୁଳି. ପାପା ଖାଇବା ସଙ୍ଗେ ସଙ୍ଗେ ମୋ ଦେଶ ଭାରତ ବର୍ଷକୁ ରକ୍ଷା କରୁଥିବା ତାଙ୍କ ସାଙ୍ଗ ସୈନିକ ବି ଖାଇବେ. ଡାକିଆ ଭାଇ ହୃଦୟ ଭିତରୁ ଦୀର୍ଘନିଶ୍ୱାସଟିଏ ବାହାରି ଆସେ. ପିଲାଟିକୁ ଦେଖି ମାୟା ଜାଗେ. ଅନ୍ତର ଭିତରେ ମୋହ ଜାଗେ ତ ସେ ଦେଇଥିବା ଲଫାପାଟିକୁ ନେଇ ଚାଲିଯାଏ ଡାକିଆ ଭାଇ. ଖାଦ୍ୟ ଜିନିଷ ସିନା ଫୋପାଡ଼ି ଦିଅନ୍ତି ଡାକିଆ ମଉସା କିନ୍ତୁ ପିଲାଟି ଲେଖିଥିବା ନିଜ ହସ୍ତାକ୍ଷର ଚିଠି ଗୁଡିକୁ ସାଇତି ଦେଇଥାନ୍ତି.ତାଙ୍କ ନିଜ ପୁଅକୁ ପାଠ ପଢ଼େଇ ସେ ନିଜ ଗାଁ ସ୍କୁଲରେ ଗୁରୁଜୀ ହେବାକୁ ଭାବିବା ବେଳକୁ ପୁଅର ଏକା ଜିଦ ସେ ଦେଶ ରକ୍ଷକ ହେବ କହି ଫୌଜିରେ ଭର୍ତ୍ତି ହେଲା. ଗଲା ଯେ ଗଲା ଆଉ ଫେରିଲାନି. ଆଉ ଗୋଟିଏ ଟିକି ପୁଅ ମୁନା ତା ବାପା ଓ ବାପାର ସାଙ୍ଗ ଫଉଜି ବା ସୈନିକ ମାନଙ୍କ ପାଇଁ ପଠାଉଥିବା ଲଫାପାସବୁକୁ ନେବାକୁ ସେ କେମିତି ମନା କରନ୍ତେ ? ଦିନେ ପଚାରିଦେଇଥିଲେ ମୁନା ବାବୁ ତୁମେ ଚିଠିରେ କଣ ଲେଖିଛ ବାପାଙ୍କୁ?ଏଥର ମୋ ପାଇଁ ନାଲି ରଙ୍ଗର ସୋଏଟର ଆଣିବାକୁ ଲେଖିଛି. ସେଦିନ ଡାକିଆ ଭାଇଙ୍କ ସାଇକେଲ ଘଣ୍ଟି ଟିନଟିନ ବାଜୁଥିଲା ତ ମୁନା ଦୌଡ଼ି ଆସିଲା. ଡାକିଆ ବାବୁ କହିଲେ ଏଇ ନିଅ ମୁନା ବାବୁ ତୁମ ପାପା ତୁମ ପାଇଁ ନାଲି ରଙ୍ଗର ସୋଏଟର ପାର୍ସଲ କରି ମୋ ହାତରେ ପଠାଇଛନ୍ତି. ପିଲାଟି ଡାକ ପକାଇଲା ବୋଉ ଏ ବୋଉ ଦେଖିବୁ ଆ ମୋ ପାଇଁ ପାପା ସୋଏଟର ପଠାଇଛନ୍ତି ଦେଖ. ତତେ କେତେ ଥର କହିଲିଣି ମୁନା ଯେ ବାପା ଆମ ଦେଶ ରକ୍ଷା କରିବାକୁ ବହୁ ଦୂର ବିଦେଶ ଯାଇଛନ୍ତି. ସେଠୁ ସେ ଫେରିବା ବେଳକୁ ତୁ ବଡ଼ ହୋଇଯାଇଥିବୁ. ଏତେ ଦୂରରୁ ତୋ ପାଇଁ ନାଲି ରଙ୍ଗର ସୋଏଟର ପଠାଇବା ସମ୍ଭବ ନୁହେଁ. ଏଇ ଦେଖୁନୁ ପାର୍ସଲ, ପାପା ପଠେଇଛନ୍ତି. ମୁନାର ବୋଉକୁ ଦେଖି ଚମକି ପଡିଲେ ଡାକିଆ ବାବୁ.ତା ବୋଉ ହାତରେ ଶଙ୍ଖା କି ଚୁଡ଼ି ନଥିଲା, ମଥାରେ ସିନ୍ଦୁର ବି ନଥିଲା. ପିନ୍ଧିଥିଲା ଧଳା ଶାଢ଼ୀ. କାନ୍ଦି ପକେଇଲେ ଡାକିଆ ବାବୁ.ସେ ଭାବିଥିଲେ ଛୋଟ ପୁଅ ମୁନାକୁ ସୋଏଟର ଦେଇ ସେ ଚମକେଇ ଦେବେ କିନ୍ତୁ ସେ ନିଜେ ବାଘ ଦେଖିଲା ଭଳି ଚମକି ପଡ଼ିଥିଲେ ଓ କହିଲେ ମୋ ପୁଅ ମଧ୍ୟ ଗଲା ଯେ ଆଉ ବାହୁଡ଼ିଲା ନାହିଁ. ତା ମାଆକୁ ଏଯାଏଁ ମୁଁ ବୁଝେଇ ପାରିନି.ତୁମେ ମୁନାକୁ କେମିତି ବୁଝେଇଛ ଭଉଣୀ?ମୁନା କହୁଥିଲା ତୁ କାନ୍ଦନା ବୋଉ ଡାକିଆ ମଉସା ମୋ ପାପାଙ୍କୁ କହେଦେବେ ଯେ ସେ ଶୀଘ୍ର ଫେରିଆସିବେ ଦୂର ବିଦେଶରୁ. ଡାକିଆ ଆଖିରେ ଆଖିଏ ଲୁହ ନେଇ ଫେରି ପଡ଼ୁ ପଡ଼ୁ କହୁଥିଲେ କାଲି ପାପାଙ୍କ ପାଖକୁ କଣ ଦେଵ ରଖିଥିବ ମୁନାବାବୁ ମୁଁ ଆସି ନେଇଯିବି. ଡାକିଆବାବୁ କିନ୍ତୁ ତା ପରଠୁ ଆଉ ସେ ଗଳିରେ କେବେ ଆସିବାର କେହି ଦେଖିନାହାଁନ୍ତି. ମୁନା ଏ ଭିତରେ ବଡ଼ ହୋଇ ବୁଝିଯାଇଥିଲା ତା ପାପା ଶହୀଦ ହୋଇଯାଇଛନ୍ତି. ମୁନା ବୋଉ କାହାର ସାଇକେଲ ଘଣ୍ଟି ବାଜିବା ଶୁଣିଲେ ଦଉଡି ଆସନ୍ତି କାଳେ ଡାକିଆ ଆସିଥିବେ କିନ୍ତୁ ଡାକିଆ ମଉସା କାହିଁ ଆସୁନାହାଁନ୍ତି ବୋଲି ମୁନାର ପ୍ରଶ୍ନରେ ମୁନା ବୋଉଙ୍କ ଆଖିରୁ ଝରିପଡ଼େ ଦୁଇ ଟୋପା ଅଶ୍ରୁ ସେଦିନ ଫୌଜି ମୁନା କଫି ପିଉଥାଏ କାଫେରେ. ସୈନିକ ଜୀଵନରେ ଟିକେ ଫୁରୁସତ ନଥିଲେ ମଧ୍ୟ ସମୟ କାଢି ବୋଉ ପାଖକୁ ନିଶ୍ଚୟ କଥା ହୁଏ ଦିନକୁ ଥରେ. ମାଆ ମନ କିନ୍ତୁ ବୁଝେନା ବୋଉର.ସେ ଫୋନ କରୁଥାଏ ବେଳ ଅବେଳରେ. ସେଥିପାଇଁ ମୁନା ଯଦିଓ ଉପରକୁ ବିରକ୍ତ ହୁଏନାହିଁ,ଭିତରେ କିନ୍ତୁ ଖୁବ ରାଗିଯାଏ. ପୁଣି ନିଜେ ନିଜେ ନିଜ ମନକୁ ବୁଝାଏ ମାଆ ମନ.କଥାରେ ଅଛି ଯାହା ପୁଅକୁ ସାପ କାମୁଡି ଥାଏ, ତା ମାଆ ପାଳ ଦଉଡି ଦେଖିଲେ ଡରେ. ଅର୍ଥାତ ଦଉଡି ମଧ୍ୟ ସେହି ମାଆଟିକୁ ସାପ ପରି ପ୍ରତୀୟମାନ ହୁଏ.ମୁନା ମଧ୍ୟ ତା ବୋଉକୁ ଅନେକ ଥର କହିଲାଣି ତୁ ମୋ ପାଖକୁ ଯେମିତି ଚିଠି ଲେଖୁ ସେମିତି ଚିଠି ଲେଖେ ବୋଉ . ଫୋନ କଲେ ସବୁସମୟରେ ଫୋନ ଧରି ହେଉନି ବରଂ ଚିଠି ପଢିବା ସହ ସେଇ ଚିଠି ସ୍ପର୍ଶରେ ତୋ କୋଳରେ ଶୋଇଥିବାର ଅନୁଭବ ହେବ ମତେ. ପ୍ରେରଣା ମଧ୍ୟ ମିଳିଯିବ. ବୋଉ କିନ୍ତୁ ଏବେ ଲେଖିପାରୁନି. ତା ଦେହ ମଧ୍ୟ ଭଲ ରହୁନି ତେଣୁ ଫୋନ କରୁଛି.ଏମିତି ସବୁ ଭାବିଲା ବେଳେ ବୋଉର ଫୋନ ଆସିଲା ତ କାଫେ ଭିତରୁ ବାହାରି ଟିକେ ନିରୋଳା ଜାଗାକୁ ଯାଇ ମୁନା ମାଆ ସଙ୍ଗେ କଥାବାର୍ତ୍ତା କରୁ କରୁ କାଫେ ଭିତରୁ ଢ଼ୋ କରି ଏକ ପ୍ରଚଣ୍ଡ ଶବ୍ଦ ସହ କାଫେ ଜଳୁଥିଲା. ତାରି ପରି ଅନେକ ସୈନିକ କଫି ପିଉ ପିଉ ଶତ୍ରୁପକ୍ଷଙ୍କ ଅତର୍କିତ ଆକ୍ରମଣରେ ଶହୀଦ ହୋଇଗଲେ ହେଲେ ବୋଉର ଫୋନ ଯୋଗୁଁ ସେ ବଞ୍ଚିଯାଇଥିଲା ସିନା ସେହି ଶବ୍ଦର ଆତଙ୍କରେ ମାଆ ଦୁନିଆଁ ଛାଡିଦେଇଥିଲା. ମୁନାକୁ ଛୁଟି ମିଳିନଥିଲା. ଦେଶ ମାଆ ତଥା ମାଟିମାଆ ପାଇଁ ପ୍ରାଣବଳୀ ଦେବାକୁ ଶପଥ କରିଥିବା ମୁନା କିନ୍ତୁ ନିଜ ମାଆ ବୋଉ ପାଇଁ ଚାକିରୀରୁ ଇସ୍ତଫା ନେଇ ଗାଁ ମାଟିକୁ ଫେରୁଥିଲା.
ବୋଉକୁ ମଶାଣୀରେ ଦାହ କରି କାନ୍ଦୁ କାନ୍ଦୁ ମୁନା ଦେଖିଲା ଟିକେ ଦୂରରେ ବୁଢାଲୋକ ଜଣେ ତଳକୁ ମୁଣ୍ଡ ପୋତି କାନ୍ଦୁଛନ୍ତି. ମୁନା ପାଖକୁ ଯାଇ ଦେଖିଲା ଓ ଚିହ୍ନିଲା.ଏ ବ୍ୟକ୍ତି ସେଇ ଡାକିଆ ମଉସା ଯିଏ ତା ଲେଖା ଚିଠି ସବୁକୁ ନେଇଯାଉଥିଲେ ତା ଶହୀଦ ହୋଇଯାଇଥିବା ବାପାଙ୍କୁ ଦେବାକୁ. ପିଲାଦିନେ ସେ ବୁଝିନଥିଲା ଶହୀଦଙ୍କ ଅର୍ଥ. ମାଆ କହୁଥିଲେ ବାପା ତୋର ଦେଶର ସେବା କରିବାକୁ ବହୁ ଦୂର ଚାଲିଯାଇଛନ୍ତି. ତୁ ମନ ଦେଇ ପାଠ ପଢିଲେ ସେ ଫେରିଆସିବେ. ସେ ପାଠ ପଢିଲା ସତ ବାପା କିନ୍ତୁ ଆଉ ଫେରିନଥିଲେ. ବାପାଙ୍କ ପାଖକୁ ସବୁଦିନ ଲେଖୁଥିବା ଚିଠି ସବୁକୁ ଡାକିଆ ମଉସା ନେଇ ତାକୁ ଭରସା ଦେଉଥିଲେ. ବିଶ୍ୱାସରେ ଶତ କଦମ୍ବ ଫୁଟାଉଥିଲେ. କିନ୍ତୁ ଯୋଉଦିନ ଜାଣିଲେ ତା ବାପା ଠିକ ତାଙ୍କ ପୁଅ ପରି ଦେଶ ରକ୍ଷା କରିବାକୁ ଯାଇ ଶହୀଦ ହୋଇଯାଇଛନ୍ତି, ଭାଙ୍ଗିପଡ଼ିଥିଲେ ସେ. ତଳୁ ଉଠେଇଲା ମୁନା ତାଙ୍କୁ. ଏଣିକି ଡାକିଆ ମଉସାଙ୍କର ସବୁକିଛି ମୁନା. ମୁନା ଯେବେ ଦୁଃଖ କରୁଥିଲା ଦେଶ ସେବାରୁ ବଞ୍ଚିତ ହୋଇଛି ବୋଲି ଡାକିଆ ମଉସା କହନ୍ତି ଜନ୍ମଭୂମି ତଥା ଜନ୍ମମାଟିରେ ପିତା ମାତାଙ୍କ ସ୍ମୃତିରେ ଗାଁରେ ରହି ପିତା ମାତାଙ୍କ ସ୍ବପ୍ନ ପୁରଣ କରିବା ମଧ୍ୟ ଦେଶ ସେବା. ମୁନା ବୁଝିଯାଏ ଯେ ତା ପିଲାଦିନର ଡାକିଆ ମଉସାଙ୍କୁ ସାହାରା ଦେଇ ସେ ଠିକ କରିଛି. ପୁତ୍ର ଶୋକ ତଥା ପୁତ୍ର ବିୟୋଗ ପରେ ପତ୍ନୀ ଶୋକରେ ମ୍ରିୟମାଣ ଡାକିଆ ମଉସା ଆଜି ମୁନାର ଡାକିଆ ଅଜା ପାଲଟି ଯାଇଛନ୍ତି. ପ୍ରାରବ୍ଧ କର୍ମଫଳ ଭୋଗୁଛି କହି ଦୁଃଖରେ ଭାଙ୍ଗି ପଡୁଥିବା ଡାକିଆ ଅଜା ଆଜି ମୁନା ପାଇଁ ପୁଣି ବଞ୍ଚିବାର ଇଛାଶକ୍ତି ଫେରିପାଇଛନ୍ତି.
ଡାକିଆ ଅଜା କହୁଥିଲେ ଏ ଜନ୍ମର କର୍ମ ଫଳ ଏଇ ଜନ୍ମରେ ହିଁ ଭୋଗ ହୁଏ ମୁନା. ମୋ ବାପା ତାଙ୍କ ସମସ୍ତ ପେନସନ ଟଙ୍କା ମୃତ ସାନଭାଇ ସ୍ତ୍ରୀ ଓ ପିଲାଙ୍କ ପାଇଁ ଖର୍ଚ୍ଚ କରିଦେଉଥିବାରୁ ମୁଁ ତାଙ୍କ ଶବ ସଂସ୍କାର ବେଳେ ଉପସ୍ଥିତ ହେବାକୁ କୁଣ୍ଠାବୋଧ କରିଥିଲି. ତେଣୁ ଏ ଜନ୍ମରେ ମତେ ପୁତ୍ର କଷ୍ଟ ଭୋଗିବାର ଥିଲା.ପଛରେ ଅନୁତାପ କରି ମାଆକୁ ପାଖରେ ରଖି ତାର ଯାବତୀୟ ମନୋସ୍କାମନା ପୁରଣ କରିଥିଲି ବୋଲି ତୋ ପରି ପୁଅ ତଥା ନାତି ପାଇଛି. ମୁନା କହୁଥିଲା ତେବେ ମୋର କୋଉ ପାପ କର୍ମ ପାଇଁ ମୁଁ ମୋ ପିତା ମାତାଙ୍କୁ ହରେଇଲି ଅଜା?ଅଜା କହିଲେ ସେଇଟା ତୋର ପାପ ନୁହେଁ. ପୁତ୍ରକୁ ବସେଇ ପିତା ମାତା ଆଗ ଚାଲିଯିବା ଏକ ସୁକୃତ ସ୍ୱରୂପ ଫଳ. ଏହା କହି ନିଜ ମାଆଙ୍କର ଶେଷ ଚିଠି କାଢି ଡାକିଆ ଅଜା ମୁନା ହାତକୁ ବଢ଼େଇ ଥିଲେ ଯୋଉ ଚିଠିରେ ଲେଖାଥିଲା ପିତା ମାତାଙ୍କ ସୁକୃତରୁ ପୁତ୍ର ହୁଏ ସୁଖୀ.. ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି. ସେ ଚିଠି ସହିତ ମୁନା ପିଲାଦିନେ ତା ଶହୀଦ ବାପାଙ୍କ ପାଖକୁ ଲେଖିଥିବା ସମସ୍ତ ଚିଠି ମଧ୍ୟ ଥିଲା ଏବଂ ତା ସହିତ ଡାକିଆ ଅଜାଙ୍କ ଫୌଜି ପୁଅର ଶେଷ ଚିଠି ମଧ୍ୟ ଥିଲା.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ