ଟାଟା ଷ୍ଟିଲ ଯୋଡା ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଯୋଡା, (ସମୀର କୁମାର ଦାସ):ଟାଟା ଷ୍ଟିଲ ଯୋଡା ପକ୍ଷରୁ ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି I ଯୋଡା ୱେଷ୍ଟ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ ରେ କାର୍ଯ୍ୟରତ ମହିଳା ଅଫିସର ଏବଂ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ I ଏହି ଉତ୍ସବରେ ଟାଟା ମୁଖ୍ୟ ଡାକ୍ତରଖାନା, ଯୋଡା ର ଚିଫ ମେଡିକାଲ ଅଫିସର ଡା: ସୁଚିସ୍ମିତା ଦାସ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ I ଆଜିର ସମୟରେ ଗ୍ରାମୀଣ ମହିଳା ପାରମ୍ପରିକ ଚିନ୍ତାଧାରା କୁ ଭାଙ୍ଗି କିଭଳି ସଫଳତା ସାଉଁଟୁଛନ୍ତି, ସେ ଉପରେ ସେ ଆଲୋକପାତ କରିଥିଲେ I ଏତଦବ୍ୟତୀତ, ଗୃହ କାର୍ଯ୍ୟ ଓ ପାଠ ପଢା ସହ ବିଭିନ୍ନ ଖେଳ ତଥା ଭାରୀ ଯାନ ଚାଳନା ରେ କିପରି ସ୍ଥାନୀୟ ମହିଳା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି, ସେ ବିଷୟରେ ସେ ଉଲ୍ଲେଖ କରିଥିଲେ I ରୋଇଡା ପଞ୍ଚାୟତ ଅନ୍ତର୍ଗତ କ୍ୟାମ୍ପ ହାଟିଂ ର ଉଦୀୟମାନ ଫୁଟବଲ ଖେଳାଳି ରୂପଶ୍ରୀ ମୁଣ୍ଡା, ଅମ୍ଳିନ ପୂର୍ତି ଏବଂ ସରକାରୀ ଯୋଜନାରେ ଚାକିରି କରି କେନ୍ଦୁଝର ରୁ ଯୋଡା ପୌରପାଳିକା କୁ ବସ ଚଳାଉ ଥିବା ନିର୍ମଳା ଲାଗୁରୀ ଙ୍କ ଉଦାହରଣ ଦେଇ ସେମାନେ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ ବୋଲି ଉଲ୍ଲେଖ କରିଥିଲେ Iକାର୍ଯ୍ୟକ୍ରମ ଶେଷରେ ମହିଳା କର୍ମଚାରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I


