ମାଲକାନଗିରି ସହରରେ ସମସ୍ତ ଏଟିଏମ ଅଚଳ, ବିଭାଗୀୟ କର୍ତ୍ତୃପକ୍ଷ ନିରବ
ମାଲକାନଗିରି,(ମନୋଜ କୁମାର ସାହା ): ଗ୍ରାହକ ମାନଙ୍କୁ ବ୍ୟାଙ୍କ ଗୁଡିକ ସମସ୍ତପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ମାଲକାନଗିରି ସହରରେ ଥିବା ବିଭିନ୍ନ ବ୍ୟାଙ୍କର ୧୪ଟି ଏଟିଏମରେ ଗତ କିଛିଦିନ ହେଲା ଅର୍ଥ ନଥିବା ସହ ଏସବିଆଇର ୫ଟି ଏଟିଏମ ପ୍ରାୟ ଦୁଇମାସ ହେଲା ଅଚଳ ହୋଇପଡିଥିବାରୁ ସହରବାସୀ ଟଙ୍କା ଉଠାଣରେ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାର ଗଣପର୍ବ ବଡଯାତ୍ରା ଚାଲିଥିବା ବେଳେ ଗତ ଦୁଇଦିନ ହେଲା ସହରରେ ଲକ୍ଷାଧିକ ଭକ୍ତ ଓ ସାଧାରଣ ଲୋକଙ୍କ ସମାଗମ ହୋଇଛି, ଗ୍ରାହକ ମାନଙ୍କ ଏକାଉଣ୍ଟରେ ଟଙ୍କା ଥାଇ ମଧ୍ୟ ସେମାନଙ୍କ କାମରେ ସେ ଟଙ୍କା ଲାଗିପାରୁନାହିଁ। ଅନେକ ସମୟରେ ନେଟୱର୍କ ସମସ୍ୟା ଯୋଗୁଁ ଲୋକେ ଅନଲାଇନ ପେମେଣ୍ଟରେ ଅର୍ଥ ପଇଠ କରିପାରୁନଥିବା ବେଳେ ଏଟିଏମ ଅଚଳ ପାଇଁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଜିଲ୍ଲା ସଦର ମହକୁମାଠାରେ ଥିବା ବିଭିନ୍ନ ବ୍ୟାଙ୍କର ପ୍ରାୟ ଏଟିଏମ ଅଚଳ ହୋଇପଡିଥିବାରୁ ଗ୍ରାହକ ଓ ଜନସାଧରଣ ଟଙ୍କା ପାଇଁ ହଟ ହଟା ହେଉଛନ୍ତି। କେଉଁ ଏଟିଏମ ରେ ଟଙ୍କା ସରି ଯାଇଛି ତ ଆଉ କେଉଁ ଏଟିଏମ ଅଚଳ ହୋଇ ପଡିଛି। ଗତ ଦୁଇଦିନ ତଳେ ଶନିବାର ଓ ରବିବାର ଛୁଟି ଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍ ସଜାଡିବା କି ଟଙ୍କା ଭରିକରିବା ପ୍ରତି ଦୃଷ୍ଟି ଦେଉ ନଥିବାରୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକମାନେ ଏଟିଏମ ନିକଟରେ ଭିଡଜମାଇ ଶେଷରେ ଟଙ୍କା ନପାଇ ନିରାଶରେ ଫେରି ଯାଉଥିବାର ଦେଖିବାକୁ ମିଳୁଛି। ବିଶେଷ କରି ଜିଲ୍ଲାସଦର ମହକୁମା ଡିଏନକେ ଦୁର୍ଗାମଣ୍ଡପ ନିକଟରେ ଥିବା ଏସବିଆଇର ଦୁଇଟି ଏଟିଏମ ମେସିନ ଦୀର୍ଘ ଦୁଇମାସ ହେଲା ଖରାପ ହୋଇପଡ଼ିଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡୁନାହିଁ। ଠିକ ସେହିପରି ଏସପି ଅଫିସ ଓ ଜିଲ୍ଲାପାଳଙ୍କ ଅଫିସ ଓ ଏସବିଆଇ ବ୍ୟାଙ୍କ ନିକଟରେ ଥିବା ଏସବିଆଇର ତିନୋଟି ଯାକ ଏଟିଏମ ଖରାପ ଥିବାରୁ ଲୋକମାନେ ଟଙ୍କା ଉଠାଇ ନପାରି ନାହିଁ ନଥିବା ହଇରାଣ ହୋଇଥିଲେ। ଜିଲ୍ଲାସଦର ମହକୁମାଠାରେ ଏସବିଆଇ, ପଞ୍ଜାବ, ଆଇସିଆଇସି, ଏଚଡିଏପସି, ଏକ୍ସିସ୍, କାନାଡା ସହ ଅନ୍ୟାନ ବ୍ୟଙ୍କରର ୧୪ଟି ଏଟିଏମ୍ ରହିଛି। ହେଲେ କୌଣସି ଏଟିଏମର ଠିକ ଭାବେ ଟଙ୍କାବାହାରୁ ନାହିଁ। ଏହି ଅସୁବିଧା ଘଟଣା କେବଳ ଦିନେ କି ଦୁଇଦିନର ନୁହଁ ପ୍ରାୟ ସମୟରେ ଏହି ପରି ବାରମ୍ବାର ଅବ୍ୟବସ୍ଥା ଲାଗିରହୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ଗୁରତ୍ବ ଦେଉ ନଥିବାରୁ ଜିଲ୍ଲାବାସୀ ଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ଏପରି ଏଟିଏମ ଗୁଡିକ ଅଚଳ ହୋଇପଡ଼ୁଥିବା ବେଳେ ବିଭିନ୍ନ ବ୍ଳକରେ ଥିବା ଏଟିଏମ ଗୁଡିକ କଥା ନ କହିଲେ ଭଲ, କେଉଁଠି ୫ଦିନ ହେଲାତ ଆଉକେଉଁଠି ୮ଦିନହେଲା ଏଟିଏମ ଅଚଳ ଅଛି। ସେହିପରି ଜିଲ୍ଲାର ସାତମହଲା ବିଶିଷ୍ଟ ଚିକିତ୍ସାଳୟ ରହିଥିଲେ ମଧ୍ୟ ସେଠାରେ ଏଟିଏମ କାର୍ଯ୍ୟକ୍ଷମ ନଥିବାରୁ ରୋଗି ଓ ତାଙ୍କର ସମ୍ପର୍କିୟ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଗତ ୮ମାସତଳେ ଏସବିଆଇ ପକ୍ଷରୁ ଏଟିଏମ ମେସନି ଟିଏ ଲଗା ଯାଇଛି ହେଲେ କାର୍ଯ୍ୟ ଅଧା ରହିଥିବାରୁ ଏହା ଅଦ୍ୟାବଧି କାର୍ଯ୍ୟକାରି ହୋଇପାରି ନାହିଁ। ତେଣୁ ଏ ଦିଗରେ ବ୍ୟାଙ୍କ ଗୁଡିକ ଦ୍ରୁଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।