ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହର ୱାର୍ଡ ନଂ.୨ ସାହାଣୀ ସାହି ର ବୁଲୁ ଦାସ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ଘଟଣାର ଜଣେ ଅଭିଯୁକ୍ତ ସୁଶାନ୍ତ ଦାସ କୁ ପୁଲିସ ଗିରଫ କରି ମଙ୍ଗଳବାର ଅପରାହ୍ନ ରେ କୋର୍ଟ ଚାଲାଣ କରିଛି।ଥାନା ମାମଲା ନଂ.୯୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବଜେଲ କୁ ପଠାଇ ଦିଆଯାଇଛି । ସାହିର ବୁଲୁ ଦାସ ସହ ସୁଶାନ୍ତ ଓ ତାଙ୍କ ପରିବାର ଲୋକଙ୍କ ସହ ଦୀର୍ଘଦିନ ହେଲା ଶତ୍ରୁତା ଲାଗି ରହିଥିଲା। ଗତ ପ୍ରାୟ ୬ ମାସ ପୂର୍ବେ ଆମ୍ବ ବିକ୍ରି କୁ କେନ୍ଦ୍ରକରି ସୁଶାନ୍ତ ଓ ତାଙ୍କ ପରିବାର ଲୋକେ ବୁଲୁ ର ଝିଅ ମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି କରି ଟଣାଓଟରା କରିବା ସହ ଆକ୍ରମଣ କରିଥିଲେ।ଏନେଇ ଏତଲା ହେବା ପରେ ପୁଲିସ ସୁଶାନ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରେ ମକଦ୍ଦମା ରୁଜୁ କରି କୋର୍ଟରେ ଚାର୍ଜସିଟ ପ୍ରଦାନ କରିଥିଲେ।ଗତ ୩ ତାରିଖ ରେ ସାକ୍ଷ୍ୟ ଗ୍ରହଣ ପାଇଁ ବୁଲୁ ର ପରିବାର ଲୋକଙ୍କୁ ଦିଗପହଣ୍ଡି କୋର୍ଟ ରୁ ସମନ ଜାରି କରାଯାଇଥିଲା।ସୁଶାନ୍ତ ଏହା ଜାଣିବା ପରେ ବୁଲୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଅଶ୍ଳିଳ ଭାଷାରେ ଗାଳି କରି କୋର୍ଟ ରେ ଯଦି ତାଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିବ ତୁମ ଲେଖା ଛିଡାଇ ଦେବି କହି ଧମକ ଦେଇଥିଲେ। ୪ ତାରିଖ ରାତି ପ୍ରାୟ ସାଢ଼େ ୧୦ ଟାରେ ବୁଲୁ ଘର ବାରଣ୍ଡାରେ ବସିଥିବା ବେଳେ ସୁଶାନ୍ତ ଏବଂ ତାଙ୍କ ସମ୍ପର୍କୀୟ ଲୋକେ ପୂର୍ବ ପ୍ରସ୍ତୁତି ପ୍ରକାରେ ସଂଘବଦ୍ଧ ଭାବେ ତାଙ୍କୁ ଖଣ୍ଡା,କାତି,ଠେଙ୍ଗା ଧରି ଆକ୍ରମଣ କରିଥିଲେ।ବୁଲୁ ପ୍ରାଣ ବିକଳରେ ଘର ମଧ୍ୟକୁ ଦୌଡ଼ି ପଳାଇଥିଲେ।ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ବୁଲୁ ଘଟଣା ସମ୍ପର୍କରେ ଫୋନ ଯୋଗେ ଦିଗପହଣ୍ଡି ଥାନା କୁ ଜଣାଇଥିଲେ।ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ବୁଲୁ ଙ୍କ ସ୍ତ୍ରୀ ଲକ୍ଷ୍ମୀ ବଡ଼ ଡାକ୍ତରଖାନା ରୁ ଫେରିବା ପରେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ନିର୍ଦ୍ଦେଶ ଦେଇଥିଲେ।