ମା ମଙ୍ଗଳାଙ୍କ ମନ୍ଦିରରେ ପ୍ରଥମ ପାଳିଯାତ୍ରା ଅନୁଷ୍ଠିତ

ନିମାପଡ଼ା ,(ସନ୍ତୋଷ କୁମାର ଦାଶ): ମଙ୍ଗଳବାର ଥିଲା ଚୈତ୍ର ମାସ ର ପ୍ରଥମ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପାଳି ଯାତ୍ରା।ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା ।ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ କରାଯାଇ ସର୍ବସାଧାରଣ ମାନଙ୍କ ଦର୍ଶନ ପାଇଁ ମନ୍ଦିର ର ସାହାଣ ମେଲା କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ମାତୃଭକ୍ତ ବ୍ୟାରିକେଟ ମଧ୍ଯ ରେ ଧାଡ଼ି ରେ ମନ୍ଦିର ଭିତରକୁ ଯାଇ ମା ମଙ୍ଗଳା ଙ୍କୁ ଦର୍ଶନ କରିଥିଲେ। ପ୍ରଥମ ପାଳି ଯାତ୍ରା ଅବସର ରେ ମା ଙ୍କୁ ଚନ୍ଦନ ବେଶ ରେ ସଜ୍ଜିତ କରା ଯାଇଥିଲା। ସଧବା ମହିଳା ମାନେ ନିଜ ସ୍ଵାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ମନ୍ଦିର ବେଢାରେ ଥିବା ପନ୍ଥେଇ କୁ ପୂଜା କରିଥିଲେ। ଦିନ ପ୍ରାୟ ୧ ଟା ସମୟ ରେ ନେତ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ନୂଆ ନେତ( ପତାକା) କୁ ମା ମଙ୍ଗଳା ଙ୍କ ନିକଟରେ ପୂଜା କରାଯିବାପରେ ଏକ ବିରାଟ ଶୋଭାଯାତ୍ରା ରେ ମନ୍ଦିର ବେଢ଼ା କୁ ୩ ଥର ପରିକ୍ରମା କରାଯିବା ପରେ ମନ୍ଦିର ଚୁଡ଼ା କୁ ନେତ ନିଆଯାଇ ବନ୍ଧା ଯାଇଥିଲା ଓ ପୁରୁଣା ନେତ କୁ ଖୋଲି ଦିଆଯାଇଥିଲା। ଏହି ସମୟ ରେ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା। ନେତୋତ୍ସବ ଅବସର ରେ ମନ୍ଦିର ଓ ମୁଖଶାଳା ଶୀର୍ଷରେ ଥିବା ଚକ୍ର କୁ ଚୁଆ,ଚନ୍ଦନ,ଅଗୁରୁ,ମହୁ ର ମିଶ୍ରିତ ଶୁଦ୍ଧ ଜଳ ରେ ସ୍ନାନ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ଗୋପାଳ ବେହେରା ସେବକ ମାନେ ନିଜ ନିଜ ଚିରାଟ ଧରି ଓଗାଳ ଲଉଡ଼ି ଗୀତ ଗାଇ, ନାଚି ନାଚି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ଆଜି ମନ୍ଦିର ରେ ପୂଜାପଣ୍ଡା ଭାବେ ହେମନ୍ତ ପାଢ଼ୀ ମା ଙ୍କ ପୂଜା ନୀତି ମାନ ଅନୁଷ୍ଠିତ କରିଥିବାବେଳେ ପାଳିଆ ସେବକ ଭାବେ ଜ୍ଞାନରଞ୍ଜନ ପଣ୍ଡା ପୂଜା ନୀତି ରେ ସାହାଯ୍ୟ ସହଯୋଗ କରି ଥିଲେ। ଜଗତସିଂହପୁର ଅଞ୍ଚଳ ରୁ ଆସିଥିବା ରାଉଳ ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ସେବକ ମାନେ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ ରୁ ପାଣିତୋଳି ଏକ ବିରାଟ ଶୋଭାଯାତ୍ରା ରେ ମନ୍ଦିର କୁ ଆସିଥିଲେ। ମନ୍ଦିର ବେଢା ରେ ଓ ସମ୍ମୁଖ ରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ରାତି ରେ ଭ୍ରମଣୀ ନୀତି ଓ ଭୋଗ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ

ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟ ରାସ୍ତା ର ତୋରଣ ଠାରୁ ମନ୍ଦିର ପର୍ଯ୍ୟନ୍ତ ମେଳା ଲାଗିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ