ଶିକ୍ଷକଶୂନ୍ୟ ହେଲା ଭରତପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ): ଏକମାତ୍ର ଶିକ୍ଷକଙ୍କ ଅବସରଗ୍ରହଣ ପରେ ଶିକ୍ଷକଶୂନ୍ୟ ହୋଇପଡିଛି ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପିଲାମାନେ ଦୈନିକ ବିଦ୍ୟାଳୟକୁ ପଢିବାକୁ ଆସି ବିଦ୍ୟାଳୟରେ ତାଲା ପଡିଥିବାରୁ ଘରକୁ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଗତ ମାର୍ଚ୍ଚ ୩୧ତାରିଖରୁ ବିଦ୍ୟାଳୟର ଏକମାତ୍ର ଶିକ୍ଷକ ବିଚିତ୍ର କୁମାର ପଣ୍ଡା ଅବସର ଗ୍ରହଣ କରିଥିବା ବେଳେ ଆଜକୁ ୫ଦିନ ହେବ ସେହି ବିଦ୍ୟାଳୟରେ କୈାଣସି ଶିକ୍ଷକଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀ ନିଯୁକ୍ତି ଦେଇନଥିବା ଜଣାପଡିଛି। ଫଳରେ ବିଦ୍ୟାଳୟର ୩୫ଜଣ ଛାତ୍ରଛାତ୍ରୀମାନେ ପାଠପଢିବାକୁ ବିଦ୍ୟାଳୟକୁ ଦୈନିକ ଆସି ଫେରି ଯାଉଥିବା ଦେଖାଯାଇଛି। ସପ୍ତମ ଶ୍ରେଣୀର ୨୧ଜଣ ଛାତ୍ରଛାତ୍ରୀ ସେମାନଙ୍କ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ନେଇ ଅନ୍ୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ପାରୁନଥିବା ବେଳେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ବିଦ୍ୟାଳୟକୁ ଆସୁଥିବା ପିଲାମାନେ ତାଲା ପଡିଥିବା ଦେଖି ଫେରି ଯାଉଛନ୍ତି। କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଉଭୟ ସେମାନଙ୍କ କର୍ତ୍ତବ୍ୟ ଓ ଦାୟୀତ୍ୱକୁ ଯେମିତି ସଂପୂର୍ଣ୍ଣ ଭୁଲିଯାଇଥିବା ଦେଖାଯାଇଛି। ଏସମ୍ପର୍କରେ ଅବସରଗ୍ରହଣ କରିଥିବା ଶିକ୍ଷକ, ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ୫ମାସ ପୂର୍ବରୁ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ସେହି ବିଦ୍ୟାଳୟକୁ ସଂପୃକ୍ତ ଶିକ୍ଷକଙ୍କ ଅବସରଗ୍ରହଣ ପୂର୍ବରୁ ତୁରନ୍ତ ଶିକ୍ଷକ ଯୋଗାଇ ଦେବାକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ଉଭୟ ଅଧିକାରୀ ତାହାକୁ ଗୁରୁତ୍ୱ ପ୍ରଦାନ କରିନଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ସଂପୃକ୍ତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ଅଭିଭାବକମାନଙ୍କ ପକ୍ଷରୁ ପ୍ରସ୍ତାବ ପ୍ରଦାନ କରାଯାଇଥିବା ବେଳେ ସେହି ପ୍ରସ୍ତାବ ଅନୁଯାୟୀ ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳୟକୁ ଭରତପୁର ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରିବା ପାଇଁ ଓଡିଶା ସ୍କୁଲ ଶିକ୍ଷା ପ୍ରୋଗ୍ରାମ କତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ। ସେହିପତ୍ର ପାଇବା ପରେ ଓଡିଶାଉ ସ୍କୁଲ ଶିକ୍ଷା ପ୍ରୋଗ୍ରାମ କତ୍ତୃପକ୍ଷ ଗତ ଜାନୁଆରୀମାସ ୯ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ନିର୍ଦେଶ ପାଇବା ପରେ ବି ଜିଲ୍ଲା ଶିକ୍ଷା ଅଧିକାରୀ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଏପରି ଘଟଣା ଘଟିଥିବା ଛାତ୍ରଭାଭାବକମାନେ ଅଭିଯୋଗ କରିଛନ୍ତି। ପିଲାମାନଙ୍କ ଭବିଷ୍ୟତ ସହିତ ଉଭୟ ଶିକ୍ଷାଧିକାରୀ ଖେଳ ଖେଳୁଥିବାରୁ ଛାତ୍ରାଭିଭାବକମାନେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ଯଦି ପିଲାମାନଙ୍କ ସହ କୈାଣସି ଦୂର୍ଘଟଣା ଘଟି କିଛି ହୋଇଯାଏ ସେଥିପାଇଁ କିଏ ଦାୟୀ ରହିବେ ମଣ୍ଡଳ ଶିକ୍ଷା ଅଧିକାରୀ ନା ଜିଲ୍ଲା ଶିକ୍ଷା ଅଧିକାରୀ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ