ଶିକ୍ଷକ ମଦନ ମୋହନ ମିଶ୍ରଙ୍କ ପରଲୋକ

ଗୁଣପୁର,(ୱାଇଏନଏସ): ଗୁଣପୁର ଓ ନବରଙ୍ଗପୁର ମାଟିର ଜଣେ ସୁପରିଚିତ ଶିକ୍ଷକ, ଜଣେ ଆଦର୍ଶ ଗୁରୁ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ମଦନ ମୋହନ ମିଶ୍ରଙ୍କ ରବିବାର ଦିନ ନବରଙ୍ଗପୁରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ସେ ଗତ କିଛି ମାସ ହେଲା ବୟସାଧିକ ରୋଗରେ ପିଢିତ ଥିଲେ। ମୃତ୍ୟୁ ବେଳକୁ ସ୍ଵର୍ଗତଃ ମିଶ୍ରଙ୍କୁ ୮୯ ବର୍ଷ ବୟସ ହୋଇଥିବା ବେଳେ ତିନି ପୁଅ ପ୍ରଦୀପ,ସୁନିଲ, ସୁଶୀଲ,ଝିଅ ଅଞ୍ଜନା,ବୋହୁ,ଜୁଆଇଁ ଏବଂ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି। ଗତ ୨୦୨୨ ମସିହାରେ ତାଙ୍କର ଧର୍ମପତ୍ନୀଙ୍କ ଦେହାନ୍ତ ଘଟିଥିଲା। ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶେଷ କରି ଗୁଣପୁର ଏବଂ ନବରଙ୍ଗପୁର ହାଇସ୍କୁଲର ଏନସିସି ସାର୍ ଭାବରେ ବେଶ୍ ପରିଚିତ ଥିଲେ। ୧୯୩୭ ମସିହାରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗଙ୍ଗାଧର ପେଣ୍ଠରେ ଜନ୍ମିତ ସ୍ଵର୍ଗତଃ ମିଶ୍ର ରାୟଗଡା ଜିଲ୍ଲା ଗୁଣପୁର ଉଚ୍ଚ ବାଳକ ବିଦ୍ୟାଳୟରେ ଚାକିରୀ ଆରମ୍ଭ ରୁ ୧୯୬୯ ପର୍ଯ୍ୟନ୍ତ ଏବଂ ୧୯୬୯ ରୁ ୧୯୯୭ ଅଵସର ଗ୍ରହଣ ପର୍ଯ୍ୟନ୍ତ ନବରଙ୍ଗପୁର ଆରସିଡି ହାଇସ୍କୁଲରେ ଏନସିସି ଶିକ୍ଷକ ରହିଥିଲେ। ସ୍ଵର୍ଗତଃ ମିଶ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏବଂ ବିପ୍ଳବୀ କମ୍ରେଡ଼ ନାଗ ଭୂଷଣ ପଟନାୟକଙ୍କ ପିଲା ଦିନର ସାଙ୍ଗ ଥିଲେ। ସେ କେବଳ ପାଠ ପଢ଼ାଉଥିବା ଜଣେ ଶିକ୍ଷକ ନଥିଲେ, ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା ଓ ମଣିଷପଣିଆର ଶିକ୍ଷା ଦେଉଥିବା ଜଣେ ପ୍ରକୃତ ଗୁରୁ ଥିଲେ। ତାଙ୍କ ପ୍ରତିଭା କେବଳ ଶିକ୍ଷାଦାନରେ ସୀମିତ ନଥିଲା। ସେ ଜଣେ ଦକ୍ଷ ମଞ୍ଚ କଳାକାର, ଜଣେ ତବଲା ବାଦକ ଏବଂ ଜୟପୁର ଆକାଶବାଣୀର ଜଣେ କଳାକାର ଭାବରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସ୍ଵର୍ଗତଃ ମିଶ୍ର ହେଉଛନ୍ତି ଗୁଣପୁରର ଜଣାଶୁଣା ସଙ୍ଗୀତଜ୍ଞ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ମିଶ୍ରଙ୍କ ବଡ଼ ଭାଇ। ତାଙ୍କ ବିୟୋଗରେ ଗୁଣପୁର ଓ ନବରଙ୍ଗପୁର ଅଞ୍ଚଳରେ ବହୁ ପୁରାତନ ଛାତ୍ର ,କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ସହ କର୍ମଚାରୀ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ରଥ,ତାରିଣୀ ଚରଣ ରଥ,ଜଗନ୍ନାଥ ରଥ, ବି ରାମ ଦାସ, ସତ୍ୟ ନାରାୟଣ ମହାପାତ୍ର ,ବାଳକୃଷ୍ଣ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ